ଶ୍ରୀଜଗନ୍ନାଥଙ୍କ ଜମିରେ ଘର ନିର୍ମାଣ: ବନ୍ଦ କଲେ ତହସିଲଦାର

ସୁକିନ୍ଦା: ସୁକିନ୍ଦା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶହଶହ ଏକର ଶ୍ରୀ ଜଗନ୍ନାଥଙ୍କ ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ଆଜି ଏଭଳି ଏକ ଜମିରେ ଘର ନିର୍ମାଣକୁ ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ ବନ୍ଦ କରିଛନ୍ତି। ଗତ ୨୧ତାରିଖରେ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ଜନଶୁଣାଣି ଶିବିରରେ ଏନେଇ ଅଭିଯୋଗ ହୋଇଥିଲା। ବନ୍ଧଗା ରାଜସ୍ବ ସର୍କଲର ବୋତଲଣ୍ଡା ମୌଜାର ଖାତା ନଂ. ୫୮୯/୩୧ର ପ୍ଲଟ ନମ୍ବର ୫୯୬, ୫୯୫ ଘରବାରି କିସମର ମାଲିକାନାସ୍ବତ୍ତ୍ବ ଶ୍ରୀ ଜଗନ୍ନାଥଙ୍କ  ନାମରେ ରହିଛି। ଏହି ଜମିର  ୫୯୬ ପ୍ଲଟରେ ଉକ୍ତ ଗ୍ରାମର ସୁଧାକର ସାହୁ ଛାତଘର କରି ରହୁଛନ୍ତି। ତାଙ୍କ  ସାନଭାଇ  ସୁନାକର ସାହୁ ଏହା ନିକଟରେ ଥିବା ୫୯୫ ନମ୍ବର ପ୍ଲଟରେ ନୂତନ ଭାବେ ପକ୍କା ଘର ନିର୍ମାଣ କରୁଥିବା ନେଇ ଅଭିଯୋଗରେ ଦର୍ଶାଯାଇଥିଲା। ପ୍ରଶାସନ  ଉକ୍ତ ଘଟଣାକୁ ଗୁରୁତ୍ବର ସହ ନେଇଥିଲା। ଆଜି ପୂର୍ବାହ୍ନରେ ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ,  ସୁକିନ୍ଦାଗଡ଼ ରାଜସ୍ବ ନିରୀକ୍ଷକ ବାଇଧର ଜତି, ବନ୍ଧଗାଁ ରାଜସ୍ବ ନିରୀକ୍ଷିକ ସ୍ନିଗ୍ଧାରାଣୀ ନନ୍ଦୀ ପହଞ୍ଚି ବେଆଇନ ଘର ନିର୍ମାଣକୁ ବନ୍ଦ କରିଥିଲେ। ଘର ଛାତ ପକାଇବାକୁ ଚିପ୍ସ ଗଦାକରି ରାସ୍ତା ଅବରୋଧ କରିଥିବାରୁ ତୁରନ୍ତ ତାହା ହଟାଇବାକୁ ନିର୍ଦେଶ ଦେଇଥିଲେ। ଦୁଇ ଗୋଟି ପ୍ଲଟ୍‌ରେ ବେଆଇନ ଭାବରେ ଜବରଦଖଲ କରି ପ୍ରଭାବଶାଳୀ ଲୋକମାନେ ଘର ନିର୍ମାଣ କରିଥିବା ସୂଚନା ଅଧିକାର ତଥ୍ୟରୁ ଜଣାପଡ଼ିଛି।

ଏଠାରେ ସୂଚାଇ ଦିଆଯାଇପାରେ ଯେ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ବହୁ ଜମିକୁ ଜବରଦଖଲକରି ଘର ନିର୍ମାଣ କରାଯାଇଥିବା ନେଇ ଦୀର୍ଘଦିନରୁ ଅଭିଯୋଗ ହୋଇ ଆସୁଛି। ଫଳସ୍ୱରୂପ ଶହଶହ ଏକର ଜମିର ମାଲିକାନା ଥାଇ ମଧ୍ୟ ସୁକିନ୍ଦା ଅଞ୍ଚଳର ଦେବୋତ୍ତର ମଠ ମନ୍ଦିର ପରିଚାଳନାରେ ଘୋର ବିଭ୍ରାଟ ସୃଷ୍ଟି ହେଉଛି। ଏହା ବିରୋଧରେ ସୁକିନ୍ଦା ମଠ ମନ୍ଦିର ସୁରକ୍ଷା ସଙ୍ଗଠନ, ତଥା ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର