ଆଜି ଧାମନଗର ଉପନିର୍ବାଚନ ଫଳାଫଳ: ଭୋଟ ଗଣତି ଆରମ୍ଭ

ଭଦ୍ରକ: ଧାମନଗର ଉପନିର୍ବାଚନର ଫଳାଫଳ ଲାଗି ରବିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ଭିତରେ ଭଦ୍ରକ  ସଂସ୍କୃତି ଭବନରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ। ତାପରେ ଇଭିଏମ୍ ଗଣତି କରାଯିବ ବୋଲି ଜଣାଯାଇଛି। ଗଣତି ପାଇଁ ମୋଟ ୧୪ଟି ଟେବୁଲ କରାଯାଇଛି। ମୋଟ ୧୮ ରାଉଣ୍ଡରେ ଗଣତି ହେବ। ଅପରାହ୍ନ ୫ଟା ସୁଦ୍ଧା ଫଳାଫଳ ଘୋଷଣା ହେବା ନେଇ ସୂଚନା ମିଳିଛି। ତେବେ କିଛି ସମୟ ପରେ ପ୍ରଥମ ରାଉଣ୍ଡର ଫଳାଫଳ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

ଉପନିର୍ବାଚନରେ ଦିବଂଗତ ନେତା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ, ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଓ କଂଗ୍ରେସ ପ୍ରାର୍ଥୀ ବାବା ହରେକୃ‌ଷ୍ଣ ସେଠୀଙ୍କ ଭିତରୁ କିଏ ବିଜୟୀ  ହେଉଛନ୍ତି, ତାହା ଦେଖିବାକୁ ପ୍ରବଳ ଉତ୍କଣ୍ଠା ଲାଗି ରହିଛି।

ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ, ମୋଟ ୨ ଲକ୍ଷ ୩୮ ହଜାର ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ ୬୪ ହଜାର ୪୬୫ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ ୭୯ ହଜାର ୧୧ ଜଣ ପୁରୁଷ ଭୋଟର ଥିବା ବେଳେ ୮୫ ହଜାର ୪୫୨ ଜଣ ମହିଳା ଭୋଟର। ଦୁଇ ଜଣ ତୃତୀୟ ଲିଙ୍ଗି ମଧ୍ୟ ମତଦାନରେ ସାମିଲ ହୋଇଛନ୍ତି। ପୁରୁଷ ଭୋଟରଙ୍କଠାରୁ ୬ ହଜାର ୪୫୧ ଜଣ ଅଧିକ ମହିଳା ଭୋଟ୍‌ଦାନ କରିଛନ୍ତି। ପୁରୁଷଙ୍କଠାରୁ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ଚଳିତ ଉପନିର୍ବାଚନରେ ମହିଳାଙ୍କ ଭୋଟ୍‌ ଉପରେ ସମସ୍ତଙ୍କର ନଜର ରହିଛି।।

ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପ୍ରତ୍ୟେକ ରାଉଣ୍ଡର ଫଳାଫଳ ଜଣାଇବା ପାଇଁ ଡାକବାଜି ଯନ୍ତ୍ର ସହ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ନିର୍ବାଚନ ଫଳାଫଳ results.eci.gov.in ମାଧ୍ୟମରେ ପାଇପାରିବେ।

ସମ୍ବନ୍ଧିତ ଖବର