ନବ ଦାସ ହତ୍ୟା ମାମଲାରେ କ୍ରାଇମ୍ ବ୍ରାଞ୍ଚର ଚାର୍ଜସିଟ୍ ରଦ୍ଦି କାଗଜ ସହ ସମାନ: ସୁରେଶ

ସମ୍ବଲପୁର : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମ୍ ବ୍ରାଞ୍ଚ ଯେଉଁ ୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି, ତାହା ଏକ ରଦ୍ଦି କାଗଜ ସହିତ ସମାନ। ଏହା ଜରିଆରେ କ୍ରାଇମ୍ ବ୍ରାଞ୍ଚ ଦ୍ବାରା ସତ୍ୟକୁ ସମାଧି ଦିଆଯାଇଛି। ଗୋପାଳ ଦାସକୁ ଖସାଇବା ସହିତ ଷଡ୍‌ଯନ୍ତ୍ରର ପ୍ରଚ୍ଛଦପଟ ନାୟକ ଏବଂ ପାର୍ଶ୍ବ ନାୟକଙ୍କୁ ବଞ୍ଚାଇବା ପାଇଁ ପୂରା ପ୍ରୟାସ କରାଯାଇଛି। ଚାର୍ଜସିଟ ଦେଖିଲା ପରେ ମନେ ହେଉଛି କ୍ରାଇମ୍‌ ବ୍ରାଞ୍ଚ ଠାରୁ ପୁଲିସ ବିଭାଗର
ଜଣେ କନଷ୍ଟବଳ ବହୁତ ଭଲ ତଦନ୍ତ କରିପାରିବେ ବୋଲି ବରଗଡ଼ ସାଂସଦ ସୁରେଶ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି।

ଶୁକ୍ରବାରଦିନ ସମ୍ବଲପୁର ସାକ୍ଷୀପଡ଼ାସ୍ଥିତ ବାସଭବନରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ସାମ୍ବାଦିକମାନଙ୍କୁ କହିଲେ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପୁଲିସ ଯେଉଁ ଚାର୍ଜସିଟ୍ ଦାଖଲ କରିଛି, ସେଥିରେ ପ୍ରାୟ ଶହେ ଜଣ ସାକ୍ଷ୍ୟ ଏବଂ ୯୦ଟି ଦସ୍ତାବେଜ ରହିଛି। ପୂରା ଚାର୍ଜସିଟ ପଢ଼ିଲା ପରେ ଜଣାପଡ଼ୁଛି ଯେ ତଦନ୍ତ ଗୋପାଳ ଦାସ ଠାରେ ଆରମ୍ଭ ହୋଇ ଗୋପାଳ ଦାସ ଠାରେ ହିଁ ଶେଷ ହୋଇଛି। ହତ୍ୟାକାଣ୍ଡ ପଛରେ ରହିଥିବା ଷଡ୍‌ଯନ୍ତ୍ର ସଂପର୍କରେ ଆଦୌ ତଦନ୍ତ କରାଯାଇନାହିଁ। ପୁଲିସର ଏଫ୍‌ଆଇଆର୍‌ରେ ଷଡ୍‌ଯନ୍ତ୍ର ଦଫା ମଧ୍ୟ ଲଗାଯାଇ ନାହିଁ। ଗୁଜରାଟରେ ନାର୍କୋ ଟେଷ୍ଟ ସମୟରେ ବି ଷଡ୍‌ଯନ୍ତ୍ର ସଂପର୍କରେ ପ୍ରଶ୍ନ ମଧ୍ୟ ପଚରା ଯାଇନାହିଁ। ଗୋପାଳ ଦାସ ଠାରୁ ପୁଲିସ ମୋବାଇଲ ଫୋନ୍ ଜବତ କରିଥିଲା। ହତ୍ୟାକାଣ୍ଡ ପୂର୍ବ ୧୫ ଦିନ ମଧ୍ୟରେ ଗୋପାଳ କାହା କାହା ସହିତ କଥା ହୋଇଥିଲା, ତାହା ଯାଞ୍ଚ କରିଥିଲେ ଷଡ୍‌ଯନ୍ତ୍ର ପଛରେ କେଉଁମାନେ ଥିଲେ ସ୍ପଷ୍ଟ ହୋଇଥାନ୍ତା। କିନ୍ତୁ, କ୍ରାଇମ୍‌ ବ୍ରାଞ୍ଚ ଏହି ଜବତ ମୋବାଇଲ ଫୋନ୍‌କୁ ତଦନ୍ତ ପରିସରଭୁକ୍ତ କରିନାହିଁ। ଗୁଳି ବାଜିବା ପରେ ନବ ଦାସଙ୍କ ସାର୍ଟ ରକ୍ତ ଜୁଡୁବୁଡ଼ୁ ହୋଇଯାଇଥିଲା। ସେହି ରକ୍ତଲଗା ସାର୍ଟ ସଂପର୍କରେ ଚାର୍ଜସିଟରେ କିଛି ଉଲ୍ଲେଖ ନାହିଁ। ପୁଣି ଗୁଳି ଶରୀରରେ ବାଜିବା ଏବଂ ବାହାରି ଯିବା ସମୟର କ୍ଷତ ସଂପର୍କିତ ଗ୍ରାଫିକ୍ସ ମଧ୍ୟ କ୍ରାଇମ୍‌ ବ୍ରାଞ୍ଚ ଚାର୍ଜସିଟ୍‌ରେ ଦେଇନାହିଁ। ଗୋପାଳ ପାଖରେ ୧୮ଟି ଗୁଳି ଥିଲା। ସେଥିରୁ ‌ସେ ୩ଟି ଗୁଳି ବ୍ୟବହାର କରିଥିଲା, ସେଥିରୁ ୨ଟି ଖୋକା ଜବତ ହୋଇଛି।। ନବ ଦାସଙ୍କୁ ବାଜିଥିବା ଗୁଳି ତାଙ୍କ ଶରୀର ଭେଦ କରି ବାହାରି ଯାଇଛି। ତ‌େବେ, ସେହି ଗୁଳି ଗଲା କୁଆଡ଼େ? ତାହା ଜବତ ହୋଇନାହିଁ। ସାଧାରଣତଃ ପୁଲିସ ଅଧିକାରୀଙ୍କୁ ୧୨ଟି ଗୁଳି ଦିଆଯାଇଥାଏ। ଗୋପାଳ କାହିଁକି ୬ଟି ଗୁଳି ଅଧିକ ଦିଆଯାଇଥିଲା, ତାହା ତଦନ୍ତସାପେକ୍ଷ ବୋଲି ସାଂସଦ ଶ୍ରୀ ପୂଜାରୀ କହିଛନ୍ତି।

ସାଂସଦ ଶ୍ରୀ ପୂଜାରୀ ଆହୁରି କହିଛନ୍ତି ଯେ, ନବ ଦାସଙ୍କୁ ଗୋପାଳ ହତ୍ୟା କରିବା ପଛରେ ନବ ଦାସଙ୍କ ସମର୍ଥକଙ୍କ ସହିତ ଗାଡ଼ି ଯାଂଚ ବେଳେ ବଚସା ହେବା ଭଳି ୩ଟି ଛୋଟ ଛୋଟ କାହାଣୀ କହାଯାଇଛି। ଯାହାକୁ ନେଇ ନବ ଦାସଙ୍କୁ ଗୋପାଳ ଭୟ କରୁଥିଲା। ଯେହେତୁ ଗୋପାଳ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରୁଥିଲା, ତେଣୁ ସେ ନବ ଦାସଙ୍କୁ ହତ୍ୟା କରିଥିବା କଥା କ୍ରାଇମ୍‌ ବ୍ରାଞ୍ଚ କହୁଛି। କିନ୍ତୁ, ଆଶଙ୍କା କାରଣରୁ କେହି କାହାକୁ ହତ୍ୟା କରେ ନାହିଁ। କ୍ରାଇମ୍‌ ବ୍ରାଞ୍ଚ ଯେଉଁମାନଙ୍କ ସହିତ ଗୋପାଳର ବଚସା ‌ହୋଇଥିବା କଥା କହୁଛି, ସେମାନଙ୍କ ସଂପର୍କରେ କିଛି ଉଲ୍ଲେଖ ନାହିଁ। ସେମାନଙ୍କ ବୟାନ ରେକର୍ଡ କରାଯାଇନାହିଁ। ଗୋପାଳ ହତ୍ୟା କରିବା ପୂର୍ବରୁ ସମଲେଶ୍ବରୀ ମନ୍ଦିରକୁ ଯାଇ ସଂକଳ୍ପ କରିଥିବା କଥା ବି କହାଯାଇଛି। ନବ ଦାସଙ୍କୁ କଣ ପାଇଁ ସେ ହତ୍ୟାକଲା, ସେ ସଂପର୍କରେ ସେ ୩୦ଟି କାଗଜରେ‌ ଲେଖି ଅନ୍ତଃବସ୍ତ୍ରରେ ଲୁଚାଇ ରଖିଥିଲା। ହତ୍ୟା ପରେ ଘଟଣାସ୍ଥଳରେ ସେସବୁକୁ ଫିଙ୍ଗି ନବ ଦାସଙ୍କୁ କାହିଁକି ହତ୍ୟା କଲା ତାହା ଲୋକଙ୍କୁ ଜଣାଇଥାନ୍ତା। ମାତ୍ର, ତାହା ସେଠାରେ ସେ କରିପାରିନଥିଲା। ସେହି କାଗଜକୁ ପରବର୍ତ୍ତୀ ସମୟରେ ଏୟାରପୋର୍ଟ ଥାନା ପାଇଖାନାରେ ପକାଇ ଦେଇଥିବା ବେଳେ ସେପ୍ଟି ଟାଙ୍କିରୁ ତାହା ଉଦ୍ଧାର କରାଯାଇଥିଲା।

ତେବେ, ଉଦ୍ଧାର ହୋଇଥିବା ସେହି କାଗଜଗୁଡ଼ିକରେ କଣ ଲେଖାଯାଇଥିଲା କିମ୍ବା ପାଣିରେ ଭିଜିବା ପରେ ଲେଖାସବୁ ଲିଭି ଯାଇଥିଲା, ସେ ସଂପର୍କରେ ଚାର୍ଜସିଟରେ ଆଦୌ ଉଲ୍ଲେଖ ନାହିଁ। କ୍ରାଇମ୍ ବ୍ରାଞ୍ଚ ଆରମ୍ଭରୁ ଗୋପାଳ ଦାସଙ୍କୁ ପାଗଳ ପ୍ରମାଣିତ କରିବା ପାଇଁ ଚେଷ୍ଟା କରିଥିଲା, ସେଥିରେ ସେ ବିଫଳ ହୋଇଛି। ଏହା ପରେ ବି ତାକୁ ବଞ୍ଚାଇବା ପାଇଁ ପୂରା ଚେଷ୍ଟା କରାଯାଇଛି। ଚାର୍ଜସିଟରେ ଯାହା ସବୁ ଅଛି, ଏହାର ଗୋଟିଏ କଡ଼ି ସହିତ ଆଉ ଗୋଟିଏ କଡ଼ି ଆଦୌ ମେଳ ଖାଉନାହିଁ। ତେଣୁ, ଗୋପାଳ ଦାସକୁ ଦଣ୍ଡିତ କରିବା ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ, ବରଂ ସେ ଖସିଯିବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ପୂଜାରୀ ଅଭିଯୋଗ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରେଂଗାଲି ବିଧାୟକ ନାଉରୀ ନାୟକ, କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାଏକ, ଯୁବନେତା ରିକନ୍ ପଟ୍ଟନାୟକ, ମାନସ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର