ବିଭିନ୍ନ ଦାବି ନେଇ ଆଦିବାସୀ ସଂଘର ‌‌ଶୋଭାଯାତ୍ରା

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଆଦିବାସୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ଶୋଭାଯାତ୍ରା କରାଯାଇଥିଲା। ପରେ ୧୩ ଦଫା ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ଓ ସହକାରୀ ଜିଲ୍ଲାପାଳଙ୍କୁ ଦିଆଯାଇଥିଲା।

ଆଦିବାସୀ ସଂଘ କର୍ମକର୍ତ୍ତା ଓ ସଦସ୍ୟମାନେ ପାଟଣାଗଡ଼ ବ୍ଲକ୍‌ ଆଦିବାସୀ ସଂଘ ସଭାପତି ଅଷ୍ଟରତ୍ନ ବରିହାଙ୍କ ଆବାହକତ୍ବରେ ସ୍ଥାନୀୟ ଗଡ଼ଭିତର ଯାତ୍ରା ପଡ଼ିଆରେ ଏକତ୍ରିତ ହୋଇଥିଲେ। ସେଠାରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ସହର ପରିକ୍ରମା କରି ଉପ ଜିଲ୍ଲାପାଳଙ୍କ ଅଫିସ ଆଗରେ ପହଞ୍ଚି ଦାବିପତ୍ର ଦେଇଥିଲେ। ଦାବିପତ୍ର ପ୍ରଦାନ କରି ସ୍ଥାନୀୟ ସୁଭଦ୍ରା ଭବନଠାରେ ପହଞ୍ଚି ଏକ ସଭା‌ କରିଥିଲେ। ଦାବିଗୁଡ଼ିକ ମଧ୍ୟରେ ଅନୁସୂଚିତ ଜନଜାତି ନିର୍ଯାତନା ନିବାରଣ ଆଇନ କଡ଼ାକଡ଼ି ଭାବେ ପାଳନ କରିବା, ଶିକ୍ଷାନୁଷ୍ଠାନଗୁଡ଼ିକରେ ଆଦିବାସୀଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ, ମେଡିକାଲ, ଇଂଜିନିଅରିଂ ଛାତ୍ରଛାତ୍ରୀମାନଙ୍କୁ ବିନା ସୁଧରେ ଋଣ, ନକଲି ଆଦିବାସୀ ହଟାଇବା, ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ୟୁସିସି ବିଲ୍‌ ପ୍ରତ୍ୟାହାର, ମଣିପୁରରେ ତୁରନ୍ତ ଶାନ୍ତି ପ୍ରତିଷ୍ଠା ଆଦି ରହିଛି। ଏହି ଅବସରରେ ଜିଲ୍ଲା ସଭାପତି ସତ୍ୟନାରାୟଣ ଭୋଇ, ସମ୍ପାଦକ ପୁରୁଷୋତ୍ତମ ଧରୁଆ, ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ସାଧାରଣ ସମ୍ପାଦକ ଶ୍ୟାମସୁନ୍ଦର ମୁଣ୍ଡା ପ୍ରମୁଖଙ୍କ ସହ ବିଭିନ୍ନ ବ୍ଲକ୍‌ର ସଭାପତିମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶୋଭାଯାତ୍ରା ଓ ସଭାକାର୍ଯ୍ୟରେ ବିପ୍ର ବିଶି, ଦୈତ୍ୟାରି ଭୋଇ, ଶରତ ସିଂ ଭୋଇ, ଘିମାନନ୍ଦ ଭୋଇ, ସୁରେଶ ମାଝୀ, ଡିଙ୍ଗର ଭୋଇ, ବସନ୍ତ ମାଝୀ, ଦୁଖୀଶ୍ୟାମ ଭୋଇ ପ୍ରମୁଖଙ୍କ ସହ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର