ଅଣ୍ଡା ମାଡ଼ ନକରି ପିଲାଙ୍କୁ ଖାଇବାକୁ ଦିଅ: ସୌମ୍ୟ

ଭୁବନେଶ୍ୱର : ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଶାସକ ଦଳର ମନ୍ତ୍ରୀମାନଙ୍କୁ ଅଣ୍ଡା ମାଡ଼ ହେଉଥିବା ବେଳେ ଏହାକୁ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନିନ୍ଦା କରିଛନ୍ତି। ଗୁରୁବାର ଦିନ ଭୁବନେଶ୍ବର ବୁଦ୍ଧ ମନ୍ଦିରରେ ଆୟୋଜିତ ଏକ କାର୍ଯ୍ୟକ୍ରମ‌ରେ ଯୋଗଦେବା ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ପ୍ରତିବାଦର ବିଭିନ୍ନ ବାଟ ରହିଛି। ମହାତ୍ମା ଗାନ୍ଧୀ ମଧ୍ୟ ଇଂରେଜ ସରକାରଙ୍କ ବିରୋଧରେ ପ୍ରତିବାଦ କରୁଥିଲେ। କିନ୍ତୁ ସେତେବେଳେ ଅଣ୍ଡା ମାଡ଼ ହେଉନଥିଲା। ଅଣ୍ଡାଗୁଡ଼ିକ ବରଂ ଗରିବ ପିଲାଙ୍କୁ ଖାଇବାକୁ ଦେଲେ ତାଙ୍କ ପାଇଁ ପୁଷ୍ଟିସାର ହୋଇପାରନ୍ତା। ମୁଁ ବିରୋଧୀ ରା‌ଜନୈତିକ ନେତାମାନଙ୍କୁ ନିବେଦନ କରିବି ଯେ ଅଣ୍ଡା ମାଡ଼ କରିବା ପରିବର୍ତ୍ତେ ସେ ଅଣ୍ଡାଗୁଡ଼ିକୁ ଗରିବ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ଏବଂ ପ୍ରତିବାଦ ପାଇଁ ଭିନ୍ନ ଉପାୟ ଅବଲମ୍ବନ କରନ୍ତୁ। ପ୍ରତିବାଦର ଅଧିକାର ସମସ୍ତଙ୍କର ଅଛି। ପ୍ରତିବାଦର ଯେଉଁ ଅଧିକାର ଅଛି ନ୍ୟାୟାଳୟ ଠାରୁ ଆରମ୍ଭ କରି ସରକାର ତାହାକୁ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ କରନ୍ତୁ। ନ୍ୟାୟ ତ ନ୍ୟାୟାଳୟ ଦେବ। କିନ୍ତୁ ଅଣ୍ଡା ମାଡ଼ ପ୍ରତିବାଦ କରିବାର ଭଲ ବାଟ ନୁହେଁ।

ବିରୋଧୀଙ୍କୁ କଟାକ୍ଷ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଅଣ୍ଡାଗୁଡ଼ିକ ସମସ୍ତେ ଅମଲେଟ୍ କରି ଖାଇଲେ କେତେ ସୁନ୍ଦର ହେବ। ଗରିବ ପିଲାମାନେ ଅଣ୍ଡା ଖାଇବେ। ବୁଧବାର ଦିନ ସବୁ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦିଆଯାଉଥିଲା। ଏବେ ସ୍କୁଲ ଗୁଡ଼ିକ ବନ୍ଦ ଥିଲା। ବହୁତ ଦିନ ହେଲା ଅଣ୍ଡା ଖାଇନଥିବେ। ଅଣ୍ଡା ମାଡ଼ ନକରି, ପ୍ରତିବାଦ ସ୍ବରୂପ ସେମାନେ ଅଣ୍ଡା ବାଣ୍ଟନ୍ତୁ।

ସମ୍ବନ୍ଧିତ ଖବର