ଭୁବନେଶ୍ବର: ଶୁକ୍ରବାର ବିଧାନସଭାର ‘ବିଦ୍ୟୁତ ଶୁଳ୍କ ଆଦାୟରେ ଟାଟା ପାୱାର ମାଲାମାଲ୍, ରାଜ୍ୟବାସୀ ବେହାଲ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଗତ ହୋଇଥିଲା। ଏହି ପ୍ରସ୍ତାବ ସଂପର୍କିତ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବିଦ୍ୟୁତ ପରିବହନ ଜନିତ କ୍ଷତି ଉପରେ ନିଜର ମତ ରଖିଥିଲେ। ସେ କହିଥିଲେ, ‘ବିଦ୍ୟୁତ ପରିବହନ ଜନିତ କ୍ଷତିକୁ ହ୍ରାସ କରିବାରେ ସରକାର ବିଫଳ ହୋଇଛନ୍ତି। ବିଦ୍ୟୁତ ପରିବହନ ଜନିତ କ୍ଷତି ହ୍ରାସ କରିବା ପାଇଁ ଘରୋଇ କମ୍ପାନି ଟିପିଓଡିଏଲକୁ ଦାୟିତ୍ବ ଦିଆ ଯାଇଥିଲା। ହେଲେ କମ୍ପାନି ବିଦ୍ୟୁତ ପରିବହନ ଜନିତ କ୍ଷତି ହ୍ରାସ ପାଇବାରେ ବିଫଳ ହୋଇଛି। ଓଡିଶା ଏକ ବିଦ୍ୟୁତ ବଳକା ରାଜ୍ୟ ହୋଇଥିବା ବେଳେ ବିଦ୍ୟୁତ ତାରିଫ ବଢ଼ି ବଢ଼ି ଚାଲିଛି। ଏହା ଲୋକଙ୍କ ଉପରେ ବୋଝ ହୋଇଛି। ଦିଲ୍ଲୀ, ପଞ୍ଜାବ ଭଳି ଆମ ରାଜ୍ୟ ସରକାର ଉପଭୋକ୍ତାମାନଙ୍କୁ ୨ଶହ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଦିଅନ୍ତୁ।’
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ମୁଲତବୀ ଆଲୋଚନାରେ ଭାଗନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ‘ସରକାର କମ୍ପାନି ସୁରକ୍ଷା ପାଇଁ କାମ କରୁଛନ୍ତି। ମନ୍ତ୍ରୀ କମ୍ପାନିକୁ ସୁହାଇଲା ଭଳି କଥା କହୁଛନ୍ତି। ଜନସାଧାରଣଙ୍କ ସ୍ବାର୍ଥକୁ ବଳି ଦିଆଯାଉଛି। ଉପରୋକ୍ତାଙ୍କ ସ୍ୱାର୍ଥକୁ ଗୁରୁତ୍ବ ଦିଆଯାଉନାହିଁ। ତଣ୍ଟି ଚିପି ବିଲ୍ ଆଦାୟ କରାଯାଉଛି। ବିଦ୍ୟୁତ ସଂସ୍କାରରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଥିବା ବେଳେ, ସରକାରଙ୍କ ଭୁଲ ନୀତି ଏବଂ ବିଭାଗୀୟ ଅପାରଗତା ପାଇଁ ବିଜୁଳି ଦର ବଢୁଛି। ସୁଲଭ ମୂଲ୍ୟରେ ଗୁଣାତ୍ମକ ବିଜୁଳି ସେବା ଯୋଗାଇବାରେ ଓଡ଼ିଶା ସରକାର ବିଫଳ ହୋଇଛନ୍ତି। ବିଦ୍ୟୁତ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ ହୋଇଥିବା ବେଳେ କାହିଁକି କମ୍ ଦରରେ ବିଜୁଳି ମିଳୁନି? ଜାତୀୟ ହାର ୟୁନିଟ ପିଛା ୫ଟଙ୍କା ୧୧ ପଇସା ଥିବା ବେଳେ ରାଜ୍ୟରେ ୫.୨୨ ପଇସା ରହିଛି। ପରିଚାଳନାଗତ ତ୍ରୁଟି ପାଇଁ ହେଉଥିବା ବାଣିଜ୍ୟିକ କ୍ଷତିକୁ ଗ୍ରାହକଙ୍କ ଉପରେ ଲଦାଯାଉଛି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଦାଇତ୍ୱ ନିର୍ବାହରେ ଫେଲ ମାରିଛି। ଅକ୍ଷୟ ଶକ୍ତିକୁ ଗୁରୁତ୍ବ ନଦେଇ ତାପଜ ବିଦ୍ୟୁତ ଉପରେ ନିର୍ଭରଶୀଳ ବଢୁଥିବାରୁ ଦର କହୁନାହିଁ।’
ତେବେ ମୁଲତବୀ ପ୍ରସ୍ତାବ ଅଲୋଚନାର ଉତ୍ତରରେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ‘ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ବାସ୍ତବତା ଉପରେ ଆଧାରିତ ନୁହେଁ। ୨୦୦୦ ମସିହାରେ ୨୮ପ୍ରତିଶତ ଘରକୁ ବିଜୁଳି ସଂଯୋଗ ହୋଇଥିବା ବେଳେ ବର୍ତ୍ତମାନ ୯୭ ପ୍ରତିଶତ ଘରକୁ ବିଜୁଳି ସଂଯୋଗ ରହିଛି। ବିଜୁଳି ବ୍ୟବହାର ବଢିବା ସହିତ ଉତ୍ପାଦନ ବଢିବ। ୨୦୦୦ ମସିହାରେ ୧୬ଲକ୍ଷ ବିଦ୍ୟୁତ ଉପଭୋକ୍ତା ରହିଥିବା ବେଳେ ବିଦ୍ୟୁତ ଚାହିଦା ୧୦ହଜାର ମିଲିୟନ ୟୁନିଟ ଆବଶ୍ୟକ ପଡିଥିଲା। ୨୦୨୩ ମସିହାରେ ଉପଭୋକ୍ତାଙ୍କ ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିଛି। ଚାହିଦା ୨୭ ହଜାର ୪୦୦ ମିଲିୟନ ୟୁନିଟକୁ ବୃଦ୍ଧି ପାଇଛି। ପିକ୍ ଆୱାରରେ ୫ହଜାର ୨ଶହ ମିଲିୟନ ୟୁନିଟ ଆବଶ୍ୟକ ପଡୁଛି। ବିଦ୍ୟୁତ ପରିବହନ ଜନିତ କ୍ଷତି ନିୟନ୍ତ୍ରଣ କରିବାରେ ସଫଳତା ମିଲିଛି। ୨୦୦୦ ମସିହାରେ ୫୭ ପ୍ରତିଶତ କ୍ଷତି ହେଉଥିଲା। ୨୦୨୩ରେ ଏହା ୨୬ ପ୍ରତିଶତକୁ ହ୍ରାସ ପାଇଛି । ପାଣି, ପବନ, ବିଜୁଳି ଏକାନ୍ତ ଆବଶ୍ୟକ। କିନ୍ତୁ ବିଜୁଳି ମାଗଣା ଦେଲେ ଶ୍ରୀଲଙ୍କା ଭଳି ସ୍ଥିତି ହେବ।’