ତେଲକୋଇରେ ବଢୁଛି ହାତୀ ଉପଦ୍ରବ

ଧାନ ଫସଲ ନଷ୍ଟ କରିବା ସହ ଭାଙ୍ଗିଲେ ଘର

ରାଇସୁଆଁ : କେନ୍ଦୁଝର ଜିଲ୍ଲା ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ବିଳମ୍ବିତ ରାତିରେ ରାଣୀବେଡା ଗ୍ରାମ ନୂଆସାହିର ପବିତ୍ର ମୋହନ ନାୟକଙ୍କ ଗୋଡ଼ିଆନାଳି ଚକର ୨ଏକରରୁ ଊର୍ଦ୍ଧ୍ବ ଜମିର ଧାନ ଫସଲକୁ ୧୩ ଟିକିଆ ହାତୀପଲ ଖାଇବା ସହିତ ଦଳିଚକଟି ନଷ୍ଟ କରିଦେଇଛନ୍ତି।

ଗରିବ ପବିତ୍ର ଜଣେ ଦିନ ମଜୁରିଆ। ସେ ଧାର କରଜ କରି ସମବାୟ ସମିତିରୁ ବିହନ କିଣି ଚାଷ କରିଥିଲେ। ଧାନ ଫସଲରେ ରୋଗ ପୋକ ଲାଗିବାରୁ ଗୃହପାଳିତ ପଶୁ ଛେଳି, କୁକୁଡା ବିକି ସାର ଔଷଧ ଆଣି ପ୍ରୟୋଗ କରିଥିଲେ। ଆଜି ହାତୀ ମୁହଁରେ ଗଲା। ଚଳିତ ବର୍ଷ କିପରି ପରିବାର ପ୍ରତିପୋଷଣ କରିବେ ସେଥିନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ସେହିପରି ଝାଟିକିପଶି ମହାନ୍ତ ସାହିର ମଦନ ମହାନ୍ତ, କୃଷ୍ଣଚନ୍ଦ୍ର ମହାନ୍ତ, ଶ୍ୟାମସୁନ୍ଦର ମହାନ୍ତ ପ୍ରମୁଖଙ୍କ ମଧ୍ୟ ଗତକାଲି ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି।

ସେହିପରି ରାଣୀବେଡ଼ା ବିଟ ରାଣୀବେଡା ବଡ଼ପଶି ସାହିର ବସନ୍ତ କୁମାର ମହାନ୍ତଙ୍କ ୩ ବଖରା ଝାଟିମାଟି ଘରକୁ ୧୩ ଟିକିଆ ହାତୀପଲ ଗତକାଲି ବିଳମ୍ବିତ ରାତିରେ ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ଦେଇଛନ୍ତି। ଯେଉଁ ଘରର କାନ୍ଥକୁ ଭାଙ୍ଗିଲେ ସେହି ଘରେ ବସନ୍ତଙ୍କ ବିଧବା ମାଆ ଶୋଇଥିଲେ। ମାଟି କାନ୍ଥ ଭୁଶୁଡ଼ି ତାଙ୍କ ଖଟ ଉପରେ ପଡିଥିଲା। ସେ ଅଳ୍ପକେ ହାତୀ କବଳରୁ ବଞ୍ଚିଯାଇଛନ୍ତି। କାନ୍ଥ ତଳୁ ଛେଳି କୁକୁଡା ଉଦ୍ଧାର କରିଥିଲେ। ବନବିଭାଗ କର୍ମଚାରୀଙ୍କୁ ଖବର ଦିଆଯାଇଥିଲେ ହେଁ ସେମାନେ ଘଟଣାସ୍ଥଳକୁ ଆସି ନଥିବା ବସନ୍ତ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ବିମଳା ବନପାଳ କୌଶଲ୍ୟା ମହାନ୍ତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ବନ କର୍ମଚାରୀ ହାତୀଙ୍କ ଗତିବିଧି ଉପରେ ଦୃଷ୍ଟି ରଖିଛନ୍ତି। ସେଠାକୁ ଯାଇ ଫଟୋ ଉତ୍ତୋଳନ କରିଛନ୍ତି। ଆବେଦନ କରିବା ପରେ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର