ବନ୍ୟା ବିତ୍ପାତ: ପଣସା ପଞ୍ଚାୟତ ବିଚ୍ଛିନ୍ନ

ଯାଜପୁରସଦର: ବୈତରଣୀ ନଦୀରେ ଦ୍ବିତୀୟ ଥର ବନ୍ୟା ଆସିବା ଯୋଗୁଁ ଯାଜପୁର ବ୍ଲକ୍‌ର ପଣସା ପଞ୍ଚାୟତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।  ‌ବୈତରଣୀ ନଦୀ କୂଳରେ ଥିବା ଏହି ପଞ୍ଚାୟତର ‌ଅନେକ ଗାଁ ଏବେ ପାଣି ଘେରରେ ରହିଛି। ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇଛି। ପଣସା ପଞ୍ଚାୟତ ଯାଜପୁର ସହର ଉପକଣ୍ଠରେ ରହିଥିବା ବେଳେ ବୈତରଣୀ ନଦୀ କୂଳରେ ମଧ୍ୟ ରହିଛି।

ସହର ଉପରେ ସଂପୂର୍ଣ୍ଣ ନିର୍ଭର କରୁଥିବା ପଞ୍ଚାୟତବାସୀ ବନ୍ୟା ଯୋଗୁଁ ବିଚ୍ଛିନ୍ନ ହୋଇ ପଡ଼ିଛନ୍ତି। ଲୋକମାନେ ଘରୁ ବାହାରି ପାରୁନଥିବା ବେଳେ ବିନ୍ଧାଣ, ପଣସା, ମ‌ୋଟରଙ୍ଗାପାଳ, ରଘୁନାଥପୁର, ବଳିଘାଇ, କୁଶି ବାରଭାଗିଆ, ବେହେରାପାଟଣା ପ୍ରଭୃତି ଗ୍ରାମକୁ ଯାତାୟାତ ଠପ୍ ହୋଇଯାଇଛି। ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପଞ୍ଚାୟତର ଲୋକମାନେ ଚାଷ ଉପରେ ନିର୍ଭର କରନ୍ତି। ବିଭିନ୍ନ ଅଞ୍ଚଳର ଚାଷଜମି ବନ୍ୟାପାଣିରେ ବୁଡ଼ି ଯାଇଛି। ବନ୍ୟା ପାଇଁ ପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବନ୍ୟାଜଳ ମାଡ଼ି ଆସିବାରୁ ପଣସା ମୁଖ୍ୟରାସ୍ତା, ବିନ୍ଧାଣ ରାସ୍ତା, କୁଞ୍ଜବିହାରୀପୁର, ବେହେରାପାଟଣାକୁ ଯୋଗାଯୋଗ ରାସ୍ତା ପାଣିରେ ବୁଡ଼ିଯାଇଛି। ତେବେ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଉଦ୍ୟମ କରାଯାଉଛି। ‌ସେହିପରି ବୈତରଣୀର ଶାଖା ବୁଢ଼ାନଦୀରେ ବନ୍ୟା ଯୋଗୁଁ ସମିଳିଆ ପଞ୍ଚାୟତ ପ୍ରଭାବିତ ହୋଇଛି। ଗାଁରେ ପାଣି ପଶି ଯାଇଥିବା ବେଳେ ଲୋକମାନେ ଜଳବନ୍ଦି ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର