ଏଫ୍‌ଟିଏକ୍ସ କ୍ରିପ୍ଟୋ କପ୍ ଚେସ୍‌: ପ୍ରଜ୍ଞାନନ୍ଦଙ୍କ ଲଗାତାର ଦ୍ବିତୀୟ ପରାଜୟ

ମିଆମି : ଭାରତୀୟ କିଶୋର ଗ୍ରାଣ୍ଡମାଷ୍ଟର ଆର୍‌. ପ୍ରଜ୍ଞାନନ୍ଦ ଏଫ୍‌ଟିଏକ୍ସ କ୍ରିପ୍ଟୋ କପ୍ ଚେସ୍ ପ୍ରତିଯୋଗିତାରେ ଲଗାତାର ଦ୍ବିତୀୟ ପରାଜୟ ବରଣ କରିଛନ୍ତି। ଲଗାତାର ୪ ରାଉଣ୍ଡ ବିଜୟ ପରେ ପଞ୍ଚମ ଓ ଷଷ୍ଠ ରାଉଣ୍ଡରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ଶନିବାର ପଞ୍ଚମ ରାଉଣ୍ଡ୍‌ରେ ଚୀନର କ୍ବାଙ୍ଗ ଲିମ୍ ଲି’ଙ୍କଠୁ ହାରିଥିବା ଏହି ୧୭ ବର୍ଷୀୟ ଗ୍ରାଣ୍ଡ ମାଷ୍ଟର ରବିବାର ଷଷ୍ଠ ରାଉଣ୍ଡ୍‌ରେ ଟାଇବ୍ରେକର୍‌ (୨-୪)ରେ ପୋଲଣ୍ଡର ଜାନ୍‌-କ୍ରିଜିଷ୍ଟଫ ଦୁଦାଙ୍କଠୁ ପରାଜିତ ହୋଇଥିଲେ। ୪ ଗେମ୍ ବିଶିଷ୍ଟ ଏହି ମ୍ୟାଚ୍ ୨-୨ରେ ଅମୀମାଂସିତ ରହିବାରୁ ଟାଇବ୍ରେକରରେ ବିଜେତା ବଛା ହୋଇଥିଲା। ଏହି ଦୁଇ ପରାଜୟ ସତ୍ତ୍ବେ ସେ ସଂପ୍ରତି ୧୩ ମ୍ୟାଚ୍‌ ପଏଣ୍ଟ୍‌ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ଆଗରେ ବିଶ୍ବର ଏକ ନମ୍ବର ନରୱେର ମାଗ୍ନସ୍‌ କାର୍ଲସନ (୧୫ ମ୍ୟାଚ୍‌ ପଏଣ୍ଟ୍‌) ଶୀର୍ଷରେ ରହିଛନ୍ତି। ଶେଷ ରାଉଣ୍ଡରେ ପ୍ରଜ୍ଞାନନ୍ଦଙ୍କ ଭେଟ କାର୍ଲସନଙ୍କ ସହ ହେବ।

ସମ୍ବନ୍ଧିତ ଖବର