ବିକାଶ ନାଁରେ ବିନାଶ: ସ୍ଲୋଗାନ୍‌ରେ ସୀମିତ ‘ଜଙ୍ଗଲ ସୁରକ୍ଷା, ଆମର ଦୀକ୍ଷା’

ସଙ୍କଟରେ ଆଦିବାସୀଙ୍କ ଜୀବନଜୀବିକା

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ର ସାମନ୍ତିଆପଲ୍ଲୀ ବନାଞ୍ଚଳ। ଦିନ ଥିଲା ଏହି ବନାଞ୍ଚଳ ପାହାଡ଼ ଓ ସବୁଜିମା ପରିବେଶରେ ଭରପୁର ହୋଇଥିବା ବେଳେ ମନଲୋଭା ପଶୁପକ୍ଷୀଙ୍କ ଗତିବିଧିରେ ଚଳଚଞ୍ଚଳ ହୋଇ ଉଠୁଥିଲା। କେବଳ ଏତିକି ନୁହେଁ, ଏହି ବନାଞ୍ଚଳ ଆଦିବାସୀମାନଙ୍କ ଜୀବନରେଖା ପାଲଟିଥିଲା। ସେମାନେ ବିଭିନ୍ନ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ପରେ ବିକ୍ରି କରି ଜୀବିକା ନିର୍ବାହ କରୁଥିଲେ। ତେବ‌େ ଗତ କିଛିବର୍ଷ ମଧ୍ୟରେ ଏହି ବନାଞ୍ଚଳର ସବୁଜିମା ପରିବେଶ ଓ ଜଙ୍ଗଲ ଅବକ୍ଷୟମୁହାଁ ହେବାରେ ଲାଗିଛି। ଆଦିବାସୀମାନଙ୍କ ବିକାଶକୁ ଦ୍ବାହି ଦେଇ ଜଙ୍ଗଲକୁ ନଷ୍ଟ କରାଯାଉଛି। ବିକାଶ ନାମରେ ବିନାଶକୁ ପ୍ରୋତ୍ସାହନ ଦିଆଯାଉଛି। ଏହାସହ ଆଦିବାସୀଙ୍କ ଜୀବନଜୀବିକା ମଧ୍ୟ ସଂପ୍ରତି ସଙ୍କଟରେ ପଡ଼ିଛି।

ପାତ୍ରପୁର ବ୍ଲକ୍‌ର ଆଦିବାସୀବହୁଳ ପଞ୍ଚାୟତର ଅଧିକାଂଶ ଗ୍ରାମ ପାହାଡ଼ ଉପରେ ରହିଛି। ନାକେଇ, ଋଷିମାଳ, ତାଳଗୁଡ଼ି, ସିଂହରାଜ, କେରାଣ୍ଡିମାଳ, ମୟୁରଞ୍ଚା, ବୁଡ଼ାରସିଙ୍ଗି, ବେଙ୍ଗେଇସାହି, ଦୁତିୟାସାହି, ରିପୁର, ଝଗଡ଼ାପଲ୍ଲୀ ଓ ଷଣ୍ଢଭୂଜ ନାମରେ ଅନେକ ଛୋଟବଡ଼ ଅନେକ ଜଙ୍ଗଲ ଓ ପାହାଡ଼ ରହିଛି। କିନ୍ତୁ ବର୍ତ୍ତମାନ ସରକାର ଓ ପ୍ରଶାସନ ଆଦିବାସୀଙ୍କ ଜୀବନଜୀବିକା ପ୍ରତି ଗୁରୁତ୍ବ ‌ନଦେଇ ପାହାଡ଼କୁ କାଟି ରାସ୍ତା ନିର୍ମାଣ କରୁଛନ୍ତି। ଏହାସହ ଅନେକ ମୂଲ୍ୟବାନ ଗଛ ମଧ୍ୟ ଅବାଧ ଭାବେ କଟାଯାଉଛି। ଗତ ଦୁଇ ଦଶନ୍ଧି ଧରି ଏହି ସ୍ଥିତି ଲାଗି ରହିଛି। କେବଳ ଏତିକି ନୁହେଁ, କିଛି ପାହାଡ଼ ଧ୍ବଂସ ହୋଇ ତାହା ବର୍ତ୍ତମାନ ଇତିହାସ ପାଲଟିଛି। ସୀତାଦେଇ ପାହାଡ଼ ଏହାର ଜ୍ବଳନ୍ତ ଉଦାହରଣ। ଏଭଳି ସ୍ଥିତି ଲାଗି ରହିଲେ, ଆଗାମୀ ୧୫ ବର୍ଷ ଭିତରେ ପାତ୍ରପୁର ବ୍ଲକ୍‌ର ସମସ୍ତ ଜଙ୍ଗଲ ଧ୍ବସଂ ହୋଇଯିବା ଆଶଙ୍କା ଦେଖାଦେଇଛି।

ଅନ୍ୟପଟେ ଏହି ବନାଞ୍ଚଳ ଜାତୀୟ ପକ୍ଷୀ ମୟୂରଙ୍କ ପ୍ରମୁଖ ବିଚରଣସ୍ଥଳ ପାଲଟିଥିବା ସହ ଜଙ୍ଗଲର ଶୋଭା ବଢ଼ାଉଥିଲା। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ମୟୂରଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ହ୍ରାସ ପାଇଛି। ବନାଞ୍ଚଳର ବର୍ତ୍ତମାନର ଭୌଗୋଳିକ ସ୍ଥିତି ୨୨ ହଜାର ୫ ଶହ ୬୩ ହେକ୍ଟର୍ ରହିଥିବା ବେଳେ ୩୦ ବର୍ଷ ତଳେ ଏହା ଅଧିକ ଥିଲା। କିନ୍ତୁ ଜଙ୍ଗଲର ପରିସୀମା କମିବାରେ ଲାଗିଥିବାରୁ ପଶୁପକ୍ଷୀଙ୍କ ଜୀବନ ପ୍ରତି ସଂକଟ ଦେଖାଦେଇଛି।
ଫଳରେ ଜଙ୍ଗଲ ସୁରକ୍ଷା ପାଇଁ ପ୍ରଶାସନ ଓ ସରକାର ଯୁଦ୍ଧକାଳୀନ ଭିତ୍ତିରେ ତତ୍ପରତା ଦେଖାଇବାକୁ ସାଧାରଣରେ ଦାବି ହୋଇଛି। ଆଦିବାସୀମାନଙ୍କୁ ପାହାଡ଼ ଉପରୁ ଜଙ୍ଗଲ ତଳଭାଗକୁ ଆଣି ସେମାନଙ୍କୁ ଥଇଥାନ କରିବା ଜୀବନଜୀବିକା ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲେ ଜଙ୍ଗଲ ଧ୍ୱଂସମୁଖରୁ ବର୍ତ୍ତିଯାଇପାରିବ। କାରଣ ପାହାଡ଼ ତଳ ଇଲାକାରେ ଆଦିବାସୀଙ୍କ ଜନବସତି ଆରମ୍ଭ ହେଲେ ଗମନାଗମନଠୁ ଆରମ୍ଭ କରି ବିଦ୍ୟୁତ୍, ପିଇବାପାଣି, ସ୍ବାସ୍ଥ୍ୟ ଓ ଶିକ୍ଷା ଆଦି ସୁବିଧା ପାଇପାରିବେ। ଏହାସହ ପାହାଡ଼ ଓ ଜଙ୍ଗଲକୁ ସୁରକ୍ଷା ମିଳିପାରିବ।

କିନ୍ତୁ ସରକାର ଆଦିବାସୀଙ୍କ ଜୀବନଜୀବିକା ଏବଂ ଥଇଥାନକୁ ଗୁରୁତ୍ବ ନଦେଇ ବିକାଶ ଆଳରେ ପାହାଡ଼ ଓ ଜଙ୍ଗଲକୁ ନଷ୍ଟ କରୁଛନ୍ତି। ଦୁଇ, ଚାରି ଓ ଦଶ ଘର ବିଶିଷ୍ଟ ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ପାହାଡ଼କୁ କାଟି ସବୁଜିମା ପରିବେଶକୁ ନଷ୍ଟ କରାଯାଉଛି। ତିତ୍‌ଲି ବାତ୍ୟା ବେଳେ ପାତ୍ରପୁର ବ୍ଲକ୍ ବିଶେଷମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା। ଅଧିକାଂଶ ଲୋକଙ୍କ ଘର ଉଜୁଡ଼ିଯାଇଥିବା ବେଳ‌େ ୧୨ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ବହୁ ଆଦିବାସୀ ପାହାଡ଼ ଛାଡ଼ି ତଳକୁ ଆସିବାକୁ ଇଚ୍ଛା ପ୍ରକଟ କରିଥିଲେ ହେଁ, ପ୍ରଶାସନ ସେମାନଙ୍କୁ ଥଇଥାନ କରିବା ଦିଗରେ ପଦକ୍ଷେପ ନେଉନି। ଫଳରେ ‘ଜଙ୍ଗଲ ସୁରକ୍ଷା, ଆମର ଦୀକ୍ଷା’ ଅଭିଯାନ କେବଳ ସ୍ଲୋଗାନ୍‌‌ରେ ସୀମିତ ରହିଛି।

ସମ୍ବନ୍ଧିତ ଖବର