କେସିଆରଙ୍କ ‘ବିଆରଏସ୍‌’ରେ ଯୋଗଦେଲେ ଗିରିଧର ଗମାଙ୍ଗ, ଜୟରାମ ପାଙ୍ଗି ଓ କୃଷକ ନେତା ଅକ୍ଷୟ କୁମାର

କୋରାପୁଟ:  ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନୂଆ ରାଜନୈତିକ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)ରେ ଯୋଗଦେଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କର ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁତ୍ର ଶିଶିର ଗମାଙ୍ଗ। ଏଥିସହ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି ଓ କୃଷକ ନେତା ଅକ୍ଷୟ କୁମାର ମଧ୍ୟ ଯୋଗଦାନ କରିଛନ୍ତି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଆୟୋଜିତ ଏକ ଭବ୍ୟ ମିଶ୍ରଣ ପର୍ବରେ ୯ ଜଣ ପୂର୍ବତନ ବିଧାୟକ, ଜଣେ ପୂର୍ବତନ ସାଂସଦ, ବହୁ ଚାଷୀ ନେତା, ସମାଜସେବୀ, ଆଇନଜୀବୀ ମଧ୍ୟ ବିଆର୍‌ଏସ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତରେ ଦଳରେ ଯୋଗ ଦେଇଛନ୍ତି। ଏହି ଅବସରରେ ସମସ୍ତଙ୍କୁ ଉତ୍ତରୀୟ ଦେଇ ବିଆରଏସ୍ ମୁଖ୍ୟ କେସିଆର ସମସ୍ତଙ୍କୁ ସ୍ବାଗତ କରିଥିଲେ। ନୂତନ ସଦସ୍ୟମାନଙ୍କୁ ସମ୍ବୋଧନ କରି କେସିଆର କହିଥିଲେ ଯେ ଏକ ସମୃଦ୍ଧ ଭାରତ ଗଠନ କରିବା ତାଙ୍କ ଦଳର ଲକ୍ଷ୍ୟ।   କିଭଳି ସବୁ ଚାଷୀଙ୍କ ଜମିକୁ ପାଣିଯିବ, ସବୁ ଘରକୁ ପିଇବା ପାଣି ଯିବ ଓ ଲୋକେ କାମ ପାଇଁ ବିଦେଶ ଯେଭଳି ନଯିବେ ତାହା ବିଆଏସର ଉଦ୍ଦେଶ୍ୟ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଉପସ୍ଥିତିରେ ଗମାଙ୍ଗ ପରିବାରର ୩ ମୁଖ୍ୟ ସଦସ୍ୟଙ୍କ ବ୍ୟତୀତ ଦୀର୍ଘ ୪୦ବର୍ଷ ଧରି ଅଣକଂଗ୍ରେସ ଆଦିବାସୀ ନେତା ଭାବେ କୋରାପୁଟ ଜିଲ୍ଲାର ମଙ୍ଗ ଧରିଥିବା ଜୟରାମ ପାଙ୍ଗି ମଧ୍ୟ କେସିଆରଙ୍କ ଦଳରେ ସାମିଲ ହୋଇଛନ୍ତି। ସେହିପରି  ପୂର୍ବତନ ବିଧାୟକ ନବୀନ ନନ୍ଦ ମଧ୍ୟ ମିଶ୍ରଣ ପର୍ବରେ ସାମିଲ ହୋଇ ଆନୁଷ୍ଠାନିକ ଭାବେ ବିଆର୍‌ଏସ୍‌ରେ ଯୋଗ ଦେଇଛନ୍ତି। ଏହାଛଡ଼ା ରାମଚନ୍ଦ୍ର ହାଁସଦା, ବୃନ୍ଦାବନ ମାଝୀ, ରାଘବ ସେଠୀ, ଦେବରାଜ ସେଠ, ଚାଷୀ ନେତା ଶେଷଦେବ ନନ୍ଦ, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଆଜି ବିଆର୍‌ଏସରେ ଯୋଗ ଦେଇଛନ୍ତି। ଓଡ଼ିଶାରୁ ପ୍ରାୟ ୩୦ ଜଣ ନେତା ଆଜି ବିଆରଏସରେ ସାମିଲ ହୋଇଛନ୍ତି।

ପୂର୍ବରୁ ଗିରିଧାରି ଗମାଙ୍ଗ, ଶିଶିର ଗମାଙ୍ଗ ବିଜେପି ଛାଡି ବିଆରଏସରେ ଯୋଗ ଦେବାକୁ ସମ୍ବାଦିକ ସମ୍ମିଳନୀ କରିଥିବାବେଳେ ପୂର୍ବତନ ଏମପି ଜୟରାମ ପାଙ୍ଗି ଭିଡିଓ ଜାରି କରି ଦଳ ଛାଡି ବିଆରଏସରେ ଯୋଗ ଦେବାକୁ କହିଥିଲେ। ଆଜି କେ.ଚନ୍ଦ୍ରଶେଖର ରାଓଙ୍କ ଦ୍ବାରା ଆୟୋଜିତ ମିଶ୍ରଣ ପର୍ବରେ ଦଳୀୟ ଉତ୍ତରୀୟ ଦେଇ ଏହି ନେତାଙ୍କୁ ସ୍ବାଗତ କରିଥିବାବେଳେ ଆଦିବାସୀ, ତେଲଗୁ ଓ ଚାଷୀଙ୍କ ବିଆରଏସ ଦଳ ଓଡ଼ିଶାରେ କାମ କରିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

କିଛିଦିନ ତଳେ ହାଇଦ୍ରାବାଦରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ହି ତିନି ନେତା ଭେଟିଥିଲେ। ତେବେ ଭାରତଯୋଡ଼ କାର୍ଯ୍ୟକ୍ରମରେ କୋରାପୁଟ ଗସ୍ତରେ ଆସିଥିବା ପିସିସି ସଭାପତି କହିଛନ୍ତି ଯେ ଲଢେଇ ବିଜେଡି ଓ କଂଗ୍ରେସ ମଧ୍ୟରେହେବ। କୌଣସି ନୂଆ ଦଳ ସହ କଂଗ୍ରେସ ଲଢେଇ କରିବ ନାହିଁ। ବିଆରଏସ ଭଳି ଅନେକ ଦଳ ଆସିବେ ଆଉ ଯିବେ ବୋଲି ସେ କହିଛନ୍ତି।

ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ କହିଛନ୍ତି ଯେ ବିଜେଡ଼ି ସହ ଲଢିବାକୁ ଓଡ଼ିଶାରେ କେହି ନାହାନ୍ତି। ନବୀନ ସରକାର ଓଡ଼ିଶାବାସୀଙ୍କ ପାଇଁ ଅଛନ୍ତି ଓ ଆଉ ରହିଥିବେ। ଯେଉଁମାନେ ଦଳରେ ମିଶିଛନ୍ତି ସେମାନଙ୍କର ପ୍ରଭାବ ଓଡ଼ିଶାରେ କିଛି ନାହିଁ। ଏହା ଧୁଆଁବାଣ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର