ଏବର୍ଷ ବନ୍ଦ ରହିବ ହବିଷ୍ୟାଳୀ ଯୋଜନା

ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ

ଦର୍ଶନ କରିପାରିବେ ବ୍ରତଧାରୀ, ନ ଆସିବାକୁ ନିବେଦନ
କୁମାର ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଖୋଲା
ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ

ପୁରୀ : ଚଳିତବର୍ଷ ବନ୍ଦ ରହିବ ହବିଷ୍ୟାଳୀ ଯୋଜନା। ନା ହବିଷ୍ୟାଳୀଙ୍କ ରହଣି ବ୍ୟବସ୍ଥା ହେବ ନା ଅନ୍ୟ କିଛି ବିକଳ୍ପ ବ୍ୟବସ୍ଥା। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ସୋମବାର ଏହି ନିଷ୍ପତ୍ତି ନେଇଛି। ହବିଷ୍ୟାଳୀମାନେ ଚାହିଁଲେ ନିଜସ୍ବ ଖର୍ଚ୍ଚରେ ଆସିପାରିବେ ଓ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ସେ କ୍ଷେତ୍ରରେ ଶ୍ରୀମନ୍ଦିର ପ୍ରଶାସନ କୌଣସି କଟକଣା ଲଗାଇନାହିଁ। କିନ୍ତୁ ସଂକ୍ରମଣକୁ ଦୃଷ୍ଟିରେ ରଖି ହବିଷ୍ୟାଳୀମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନ ଆସିବାକୁ ଶ୍ରୀମନ୍ଦିର ପ୍ରଶାସନ ନିବେଦନ କରିଛି। ଅନ୍ୟପଟେ ଆଜି କାର୍ତ୍ତିକ ମାସର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ପୂର୍ବଭଳି ନଭେମ୍ବର ମାସରେ ବି ରବିବାର ବନ୍ଦ ରହିବ। ଏହାସହ ପର୍ବପର୍ବାଣୀ ପାଇଁ ୩ ଦିନ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ‌ନିଆଯାଇଛି। ଖୁବଶୀଘ୍ର ଏ ସଂପର୍କିତ ନୂଆ ଏସ୍‌ଓପି ଜାରି କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ।

କାର୍ତ୍ତିକ ମାସ ନୀତିକାନ୍ତି ଉପରେ ସୋମବାର ଦିନ ନୀଳାଦ୍ରି ଭକ୍ତ ନିବାସରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ସମେତ ବିଭିନ୍ନ ନିଯୋଗର ସଭାପତି, ସମ୍ପାଦକ ଓ ଅନ୍ୟ ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କୁମାର କହିଛନ୍ତି ଯେ ଆସନ୍ତା ୧୫ ତାରିଖ ଦଶହରାରେ ଶ୍ରୀମନ୍ଦିର ବନ୍ଦ ରହିବ। ଅକ୍ଟୋବର ୧୬ରେ ଗୋଷାଣୀ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଅପରାହ୍ଣରୁ ଶ୍ରୀମନ୍ଦିର ବନ୍ଦ ରହିବ। କିନ୍ତୁ କୁମାର ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତିକୁ ବଦଳାଯାଇଛି। ସେବାୟତଙ୍କ ଅନୁରୋଧକୁ ରକ୍ଷାକରି ଏହି ଦିନ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଭକ୍ତମାନେ କୁମାର ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଅନ୍ୟପଟେ ନଭେମ୍ବର ମାସରେ ବିଭିନ୍ନ ପର୍ବପର୍ବାଣୀରେ ଶ୍ରୀମନ୍ଦିରକୁ ବନ୍ଦ ରଖାଯାଇଛି। ନଭେମ୍ବର ୪ ତାରିଖ ଦୀପାବଳି, ନଭେମ୍ବର ୧୬ ତାରିଖ ଦେବୋଉତ୍‌ଥାପନ(ବଡ଼) ଏକାଦଶୀ ଓ ୧୯ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ।

ସମ୍ବନ୍ଧିତ ଖବର