ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ଉଦ୍‌ଯାପନୀ ମହୋତ୍ସବ: ପ୍ରତିବର୍ଷ ହେବ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ

ଭୁବନେଶ୍ବର: ବିଶିଷ୍ଟ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ଉଦ୍‌ଯାପନୀ ମହୋତ୍ସବ ଆଜି ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଓ ଦଶପଲାସ୍ଥିତ ରାମଚନ୍ଦ୍ର ସ୍ମୃତି ସଂସଦର ମିଳିତ ସହଯୋଗରେ ଏହି ଅବସରରେ ଏକ ସ୍ମୃତିଚାରଣ ସଭା ଆୟୋଜିତ ହୋଇଥିଲା। ଏଥିରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ନାଟ୍ୟକାରଙ୍କ ସ୍ମୃତିରକ୍ଷା ଲାଗି ୩ଟି ପ୍ରସ୍ତାବ ରଖିଥିଲେ। ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକଙ୍କ ପ୍ରସ୍ତାବକୁ ପୂର୍ଣ୍ଣାଙ୍ଗ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ। ନିଷ୍ପତ୍ତି ଅନୁଯାୟୀ ନାଟ୍ୟକାର ରାମଚନ୍ଦ୍ରଙ୍କ ସ୍ମୃତିରେ ପ୍ରତିବର୍ଷ ଯେ କୌଣସି ସ୍ଥାନରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ତାଙ୍କ ରଚିତ ନାଟକକୁ ନେଇ ବିଭିନ୍ନ ମଞ୍ଚରେ ନାଟକ ପରିବେଷିତ ହେବ। ରାମଚନ୍ଦ୍ର ସ୍ମୃତି ସଂସଦ ଅନୁଯାୟୀ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନୟାଗଡ଼, ଦଶପଲ୍ଲା କିମ୍ବା ଭୁବନେଶ୍ୱରରେ ପ୍ରତିଷ୍ଠା ହେବ। ସେହିପରି ଏହି ମହାନ ନାଟ୍ୟକାରଙ୍କୁ ସମ୍ମାନ ଜଣାଇ ଏକାଡେମି ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ନାଟକ ଉତ୍ସବ ଦଶପଲ୍ଲାରେ ଆୟୋଜନ କରିବାକୁ ପରବର୍ତ୍ତୀ ସମୟରେ ବିଭାଗ ନିଷ୍ପତ୍ତି ନେବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ।

ପ୍ରାରମ୍ଭିକ ସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ସାମିଲ ହୋଇ ଏହି ମହାନ ସ୍ରଷ୍ଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଭାରେ ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ ରଣଜିତ ପଟ୍ଟନାୟକ ଓ ଏକାଡେମିର ଉପସଭାପତି ମନ୍ମଥ କୁମାର ଶତପଥୀ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଓ ଓଡ଼ିଆ ନାଟକ ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଭାରେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ସାଙ୍ଗକୁ ମଞ୍ଚ ସଂଯୋଜନା କରିଥିଲେ ଏକାଡେମି ସଚିବ ପ୍ରବୋଧ ରଥ। ରାମଚନ୍ଦ୍ର ସ୍ମୃତି ସଂସଦ ସଭାପତି ସୁଶାନ୍ତ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର