ସିଡିଏମ୍‌ଓମାନଙ୍କୁ ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ: ମ୍ୟାଲେରିଆ, ଡେଙ୍ଗୁ ଉପରେ ନଜର ରଖ

ଭୁବନେଶ୍ବର : ରାଜ୍ୟରେ ଏବେ ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି। ତେଣୁ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ରୋଗ ଉପରେ ତୀକ୍ଷଣ ନଜର ରଖିବା ଲାଗି ସବୁ ସିଡିଏମ୍‌ଓମାନଙ୍କୁ ପତ୍ର ଲେଖି ସତର୍କ କରିଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର।

ଡା.ମିଶ୍ର କହିଛନ୍ତି ଯେ ବର୍ଷା ପାଇଁ କିଛି ସ୍ଥାନରେ ଜଳବନ୍ଦୀ ସହିତ ବନ୍ୟା ଭଳି ପରିସ୍ଥିତି ଉପୁଜିପାରେ। ଏସବୁ ସ୍ଥାନରେ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପା‌ରେ। ତେଣୁ ଆବଶ୍ୟକ ମାନବ ସମ୍ବଳ, ଲଜିଷ୍ଟିକ୍ ଓ ଯୋଜନା କରିବା ଉପରେ ଗୁରୁତ୍ବ ଦିଆଯାଉ। ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆକୁ ରୋକିବା ପାଇଁ ଲୋକମାନଙ୍କୁ ଔଷଧୀୟ ମଶାରୀ ବ୍ୟବହାରଠାରୁ ଆରମ୍ଭ କରି ସମସ୍ତ ଜଳ ଉତ୍ସକୁ ବିଶୋଧନ କରିବା ଉପରେ ଲୋକମାନଙ୍କୁ ସଚେତନ କର। ପ୍ରତି ସପ୍ତାହରେ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ସଂପର୍କରେ ସିଡିଏମ୍‌ଓ ଏହାର ସମୀକ୍ଷା କରିବା ସହିତ ଆବଶ୍ୟକ ଯୋଜନା ପ୍ରସ୍ତୁତ କରିବେ। ଆଇଏଚ୍‌ଆଇପି ପୋର୍ଟାଲରେ ନିୟମିତ ତଥ୍ୟ ଅପଲୋଡ୍‌ କରିବା ଲାଗି କୁହାଯାଇଛି।

ରାଜ୍ୟରେ ବେଶ୍‌ କିଛିବର୍ଷ ହେବ ଡେଙ୍ଗୁ ରୋଗ ଲୋକଙ୍କୁ କଲବଲ ‌କରୁଛି। ବିଶେଷକରି ରାଜଧାନୀରେ ମୌସୁମୀ ଓ ଏହାର ପରବର୍ତୀ ସମୟରେ ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହୁଛି। ଏହାସହ ଚଳିତବର୍ଷ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ପୂର୍ବରୁ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟାରେ ଶତ ପ୍ରତିଶତ ବୃଦ୍ଧି ହୋଇଛି। ଗୋଟିଏ ପଟେ ଔଷଧୀୟ ମଶାରିର ଅବଧି ଶେଷ ହୋଇ ଯାଇଥିବା ବେଳେ ନୂଆ ମଶାରି ଯୋଗାଣ ହୋଇ ନ ଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିନ୍ତାର କାରଣ ପାଲଟିଛି। ତେଣୁ ଚଳିତବର୍ଷ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ, ଡେଙ୍ଗୁ ନିୟନ୍ତ୍ରଣ ବେଶ୍‌ ଆହ୍ବାନପୂର୍ଣ୍ଣ ରହିପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର