ଏଏସ୍‌ଆଇକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଆଜିଠୁ ଆରମ୍ଭ କର ନାଟମଣ୍ଡପ ମରାମତି

ପ୍ରତି ୧୫ ଦିନରେ ଦାଖଲ ହେବ କାମ ଅଗ୍ରଗତି ରିପୋର୍ଟ

କଟକ: ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ଆସନ୍ତାକାଲିଠାରୁ ଆରମ୍ଭ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କୌଣସି ବିଳମ୍ବ ନ କରି ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ହାଇକୋର୍ଟ ତାଗିଦ୍ କରିବା ସହ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ)ର କାର୍ଯ୍ୟକଳାପକୁ ନେଇ ଆଜି ପୁଣି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଶୁଣାଣି ସମୟରେ ଏଏସ୍ଆଇ ଦର୍ଶାଇଥିଲା ଯେ ନିକଟରେ ବିଭିନ୍ନ ଅଂଶୀଦାରଙ୍କୁ ନେଇ ଅନୁଷ୍ଠିତ ବୈଠକରେ ମରାମତି କାର୍ଯ୍ୟ ୨୦୨୪ ଜାନୁଆରି ୨୦ରୁ ଆରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇଛି। ହେଲେ ଏହାକୁ ହାଇକୋର୍ଟ ଗ୍ରହଣ କରିନଥିଲେ। ବରଂ ଆସନ୍ତାକାଲି ଠାରୁ ହିଁ ନାଟମଣ୍ଡପ ମରାମତି କାର୍ଯ୍ୟ ‌ଆରମ୍ଭ କରିବାକୁ ରୋକଠୋକ ଶୁଣାଇଥିଲେ। କୋର୍ଟ କହିଥିଲେ ଯେ ଏଥିପାଇଁ ଏଏସ୍ଆଇକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ। ଏହି କାର୍ଯ୍ୟର ଅଗ୍ରଗତି ନେଇ ଆମିକସକ୍ୟୁରି ୧୫ ଦିନରେ ଥରେ ରିପୋର୍ଟ ଦାଖଲ କରିବେ। କେବଳ ସେତିକି ନୁହେଁ, ପରବର୍ତ୍ତୀ ଶୁଣାଣି ସମୟରେ ନାଟମଣ୍ଡପ ମରାମତି କାର୍ଯ୍ୟର ଅଗ୍ରଗତି ନେଇ ଆମିକସକ୍ୟୁରି ଓ ଏଏସ୍ଆଇ ଅବଗତ କରିବେ ବୋଲି ହାଇକୋର୍ଟ ସ୍ପଷ୍ଟ ଭାବେ କହିଥିଲେ। ଡିସେମ୍ବର ୪କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ୍ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ୍.ଏସ୍.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଭିଷେକ ଦାସଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଥିଲେ। ଆଜି ମାମଲାର ଶୁଣାଣି ସମୟରେ ଏଏସ୍ଆଇ ପକ୍ଷରୁ ନାଟମଣ୍ଡପ ମରାମତି ପ୍ରସଙ୍ଗରେ ସାନି ସତ୍ୟପାଠ ଦାଖଲ କରାଯାଇଥିଲା। ଏଏସ୍ଆଇ ପୁରୀ ସର୍କଲ ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟ ଡକ୍ଟର ଡି.ବି.ଗଡ଼ନାୟକଙ୍କ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ନାଟମଣ୍ଡପର ଫଟା ବିମ୍ ସଶକ୍ତ କରିବା ପାଇଁ ପରିବର୍ତ୍ତିତ ଡିଜାଇନ ଓ ଡ୍ରଇଂ ମିଳିଛି। ଏଏସ୍ଆଇ କୋର୍ କମିଟି ସଦସ୍ୟଙ୍କ ନୂଆ ପରାମର୍ଶକୁ ବିଚାରକୁ ନେଇ ଏହି ଡିଜାଇନ ଓ ଡ୍ରଇଂ ପ୍ରସ୍ତୁତ ହୋଇଛି। ନଭେମ୍ବର ୪ରେ ପୁରୀଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ, ଏଏସ୍ଆଇ ପ୍ରତିନିଧି, ଆମିକସକ୍ୟୁରି, ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଆଲୋଚନା କରାଯାଇଛି ଓ ଆସନ୍ତା ଜାନୁଆରି ୨୦ରୁ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଦିନକୁ ୬ ଘଣ୍ଟା କାର୍ଯ୍ୟ ସମୟ ସହିତ ୧୨୦ ଦିନ ଭିତରେ ଏହି ମରାମତି କାର୍ଯ୍ୟ ‌ସଂପୂର୍ଣ୍ଣ ହେବ। ନାଟମଣ୍ଡପ ଭିତରେ ଏହି କାର୍ଯ୍ୟ ସଂପାଦନ ସମୟରେ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପ୍ରତିଶ୍ରୁତି ଦେଇଛନ୍ତି। ଏଏସ୍ଆଇ କୋର୍ କମିଟି ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବୈଷୟିକ କମିଟି ପରାମର୍ଶରେ ଏହି କାର୍ଯ୍ୟ କରାଯିବ ବୋଲି ଏଏସ୍ଆଇ ସତ୍ୟପାଠରେ ଦର୍ଶାଯାଇଥିଲା।

ଅନ୍ୟପକ୍ଷରେ ନାଟମଣ୍ଡପ ମରାମତି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିବା ବେଳେ ତୁରନ୍ତ କାର୍ଯ୍ୟ ଆରମ୍ଭ ନ କରି ଏଥିପାଇଁ ଆସନ୍ତା ବର୍ଷ ଜାନୁଆରି ୨୦କୁ ତାରିଖ ଧାର୍ଯ୍ୟ କରାଯିବାକୁ ନେଇ ହାଇକୋର୍ଟ ବିରକ୍ତି ପ୍ରକାଶ କରିଥିଲେ। ନାଟମଣ୍ଡପ ମରାମତି କାର୍ଯ୍ୟ ପାଇଁ ଆଉ କେତେ ସମୟ ନେବ ବୋଲି ହାଇକୋର୍ଟ ଏଏସ୍ଆଇକୁ ପ୍ରଶ୍ନ କରିଥିଲେ। ଏଏସ୍ଆଇ ତରଫରୁ ଦର୍ଶାଯାଇଥିଲା ଯେ ବର୍ତ୍ତମାନ କାର୍ତ୍ତିକମାସ ପାଇଁ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ପ୍ରବଳ ଭିଡ଼ ରହୁଛି। ଏଣୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସହିତ ଆଲୋଚନା ପରେ କାର୍ଯ୍ୟ ଆରମ୍ଭ ସମୟ ଧାର୍ଯ୍ୟ ହେବ। ମରାମତି କାର୍ଯ୍ୟ ଆରମ୍ଭ ପାଇଁ ଏଏସଆଇ ତରଫରୁ ଦର୍ଶାଯାଇଥିବା ପ୍ରସ୍ତାବିତ ତାରିଖକୁ ନେଇ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିବା ସହିତ ଏହି ପ୍ରସଂଗରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ କହିଥିଲେ। ମରାମତି କାର୍ଯ୍ୟ ଆରମ୍ଭ ପାଇଁ କିଛି ବାଧା ନାହିଁ। ଏଏସଆଇ ଯେତେବେଳେ ଚାହିଁବ ମରାମତି କାର୍ଯ୍ୟ ଆରମ୍ଭ କରିବ, ଏଥିପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ଦର୍ଶାଯାଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ଅଧୀକ୍ଷଣ ଯନ୍ତ୍ରୀ ବ୍ୟକ୍ତିଗତ ଭାବେ ଶୁଣାଣି ସମୟରେ ଉପସ୍ଥିତ ରହି ଏଭଳି ତଥ୍ୟ ଉପସ୍ଥାପନ କରିଥିଲେ। ଏହାପରେ ହାଇକୋର୍ଟ ଆସନ୍ତାକାଲିଠାରୁ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ନଭେମ୍ବର ୬ରେ ଏହି ମାମଲାର ଶୁଣାଣି ସମୟରେ ୨୦୧୭ରୁ ଏଏସଆଇ କଣ କରୁଛି ବୋଲି ହାଇକୋର୍ଟ ପ୍ରଶ୍ନ କରିବା ସହିତ ଶ୍ରୀଜଗନ୍ନାଥ ମନ୍ଦିର ନ‌ାଟମଣ୍ଡପର ମରାମତି କାର୍ଯ୍ୟ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ନ ହେବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି କହିଥିଲେ। ୨୦୧୭ରେ ଏହି କାର୍ଯ୍ୟ ଏଏସଆଇ ହାତକୁ ନେଇଥିବା ବେଳେ ଚାରି ମାସ ଭିତରେ କାର୍ଯ୍ୟ ଶେଷ ହେବ ବୋଲି ପ୍ରତିଶ୍ରୁ୍ତି ଦେଇଥିଲା। କେଉଁ ପରିସ୍ଥିତିରେ ଓ କଣ ପାଇଁ ନାଟମଣ୍ଡପ ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇ ନାହିଁ ସେ ନେଇ ସ୍ପଷ୍ଟୀକରଣ ଦେବାକୁ ଏଏସଆଇକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ପ୍ରସଂଗ ନେଇ ଅଭିଷେକ ଦାସ ୨୦୧୬ରେ ହାଇକୋର୍ଟରେ ଏହି ମାମଲା ରୁଜୁ କରିଥିଲେ। ଆମିକସ୍ କ୍ୟୁରି ଇଂଜିନିୟର ଏନ.କେ.ମହାନ୍ତି ଓ ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର, କେନ୍ଦ୍ର ସରକାରଙ୍କ ପକ୍ଷରୁ ଡିଏସଜିଆଇ ପ୍ରସନ୍ନ କୁମାର ପାଢୀ, ସିନିୟର ପ୍ୟାନେଲ କାଉନସିଲ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର