ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରସଂଗ: ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାରଙ୍କ ଦରଦ ଏମିତି !

ସମ୍ବଲପୁର: ସବୁବେଳେ ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାର କୃପାଦୃଷ୍ଟି ରହି ଆସିଥିବା ଶାସକ ଦଳର ନେତା ଓ ମନ୍ତ୍ରୀମାନେ ସଭାସମିତିରେ କହି ଆସୁଛନ୍ତି। ହେଲେ, ସରକାର କିନ୍ତୁ ଚତୁରତାର ସହିତ ପଶ୍ଚିମ ଓଡ଼ିଶାର ପ୍ରମୁଖ ଦାବିଗୁଡ଼ିକୁ ଅଣଦେଖା କରି ଆସୁଛନ୍ତି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟାଳୟ ରାଜଧାନୀରୁ ପଶ୍ଚିମାଂଚଳକୁ ଏପର୍ଯ୍ୟନ୍ତ ଆସିପାରିନଥିବା ବେଳେ ହାଇକୋର୍ଟ ବେଞ୍ଚ ସ୍ଥାପନ କ୍ଷେତ୍ରରେ ବି ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାର ଜନଭାବନା ସହିତ ଖେଳ ଖେଳୁଥିବା ଅଭିଯୋଗ ହେଉଛି।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ଏବର ନୁହେଁ। ଏହି ଆନ୍ଦୋଳନର ମୂଳଦୁଆ ଦୀର୍ଘ ୫୦ ବର୍ଷ ତଳେ ପଡ଼ିଥିଲା। ରାଜ୍ୟରେ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ଥିବା ଉପଲବ୍ଧି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଥମେ ନିର୍ଦ୍ଦିଷ୍ଟ ଭାବେ ସମ୍ବଲପୁର ଓ ବ୍ରହ୍ମପୁରରେ ହାଇ‌କୋର୍ଟର ‌ସ୍ଥାୟୀ ବେଞ୍ଚ ସ୍ଥାପନ ନିମନ୍ତେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଥିଲେ। ପରବର୍ତ୍ତୀ ସମୟରେ ସେ ପୁଣି କେନ୍ଦ୍ର ସରକାରଙ୍କୁ ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ସ୍ଥାପନ ନିମନ୍ତେ ପ୍ରସ୍ତାବ ମଧ୍ୟ ପଠାଇଥିଲେ। ଏବେ ବି ଏହି ପ୍ରସଂଗକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପତ୍ର ଦିଆନିଆ ଚାଲିଛି। ତେବେ, ଗତ ୨୦ ଏପ୍ରିଲରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆବଶ୍ୟକ ପରାମର୍ଶ ନେଇ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଭିତ୍ତିଭୂମି, ଜଜ୍ ଓ କର୍ମଚାରୀମାନଙ୍କ ରହଣି ବ୍ୟବସ୍ଥା ଆଦି ସଂକ୍ରାନ୍ତରେ ବିସ୍ତୃତ ଭାବେ ଜଣାଇବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଏହି ପ୍ରସଂଗ ପୁଣି ତେଜିଛି। ଗତ ୨୮ ମେ’ ରେ ସିଏସି ବୈଠକର ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ରକୁ ପୂର୍ଣ୍ଣାଂଗ ପ୍ରସ୍ତାବ ପଠାଇବା ନିମନ୍ତେ ରାଜ୍ୟ ସରକାରଙ୍କୁ ୩୦ ଜୁନ୍ ପର୍ଯ୍ୟନ୍ତ ମହଲତ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ଉତ୍ତରକୁ ସମଗ୍ର ପଶ୍ଚିମ ଓଡ଼ିଶାବାସୀ ବେଶ୍‌ ଉତ୍କଣ୍ଠାର ସହିତ ଚାହିଁ ରହିଥିଲେ।

ମାତ୍ର, ଏହି ଅବଧି ମଧ୍ୟରେ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଲେ ନାହିଁ। ଏହାର ପ୍ରତିବାଦରେ ଗତ ୮ ଜୁଲାଇରେ ଚେତାବନୀ ଦିବସ ପାଳନ ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘର ସଭ୍ୟମାନେ ରାଲିରେ ବାହାରି ନିଜ ନିଜ ଅଂଚଳର ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଲାପାଳ ଓ ଆର୍‌ଡିସିଙ୍କ ଜରିଆରେ ରାଜ୍ୟପାଳ ଦାବିପତ୍ର ଦେଇଥିଲେ। ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସାକ୍ଷାତ ପାଇଁ ସମୟ ମଗାଯାଇଥିଲେହେଁ ସମୟ ଦିଆନଯିବାରୁ ଗତ ୨୮ ସେପ୍‌ଟେମ୍ବରରେ ସିଏସିର ନେତୃତ୍ବରେ ଶହ ଶହ ଓକିଲ ରାଜଧାନୀ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ୩ ଜଣ ମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହିତ ବହୁ ସମୟ ଧରି ଆଲୋଚନା କରିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଫେରିବା ଶୀଘ୍ର ଆବଶ୍ୟକ ପଦ‌କ୍ଷେପ ନିଆଯିବାକୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର, ସେଭଳି କିଛି ନହେବାରୁ ଓକିଲ ଆନ୍ଦୋଳନ ପୁଣି ତେଜିଥିବା ବେଳେ ଏଥିପ୍ରତି ଦିନକୁ ଦିନ ଜନ ସମର୍ଥନ ବଢ଼ିବାରେ ଲାଗିଛି। ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେବା ବଦଳରେ ଦୋହରା ନୀତି ଅବଳମ୍ବନ କରୁଥିବା ଅଭିଯୋଗ ହେଉଛି। ଓଡ଼ିଶା ଆଇନଜୀବୀ ପରିଷଦର ପଦକ୍ଷେପ ନେଇ ରାଜ୍ୟ ସରକାର ନିଜର ଆଭିମୁଖ୍ୟ ବି ସ୍ପଷ୍ଟ କରୁନାହାନ୍ତି।

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନକୁ ମୁଖ୍ୟତଃ କଟକର ଓକିଲମାନେ ବିରୋଧ କରୁଛନ୍ତି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ହେଲେ ଏହି ଦୁଇ ବିଶାଳ ଅଂଚଳର ଜନସାଧାରଣଙ୍କୁ ଦ୍ବାର ଦେଶରେ ନ୍ୟାୟ ମିଳିପାରିବ। ଲୋକଙ୍କୁ ଆଉ ହାଇକୋର୍ଟରେ ମୋକଦ୍ଦମା ଲଢ଼ିବା ପାଇଁ କଟକ ଦୌଡ଼ିବାକୁ ପଡ଼ିବ ନାହିଁ କି ଆଗଭଳି ଆଉ ଖର୍ଚ୍ଚାନ୍ତ ବି ହେବାକୁ ପଡ଼ିବ ନାହିଁ। ଲୋକଙ୍କ ଉଭୟ ସମୟ ଆଉ ଅର୍ଥ ବଞ୍ଚିଯିବ‌େ। ଏଥି ସହିତ ରାଜ୍ୟ ସରକାର ବି ଏହି ଦୁଇ ଅଂଚଳବାସୀଙ୍କ ହୃଦୟକୁ ଜିତିପାରିବେ। ମାତ୍ର, ରାଜ୍ୟ ସରକାର ମାତ୍ର ଗୋଟିଏ ଜିଲ୍ଲାର ବିରୋଧକୁ ଦେଖି ହାଇକୋର୍ଟ ବେଞ୍ଚ ସ୍ଥାପନ ଦିଗରେ ଟାଳଟୁଳ ନୀତି ଅବଳମ୍ବନ କରୁଥିବା ପଶ୍ଚିମ ଓଡ଼ିଶାର ଓକିଲମାନେ ଅଭିଯୋଗ କରୁଛନ୍ତି। କେତେବେଳେ ପାଲ କମିସନ ତ ଆଉ କେତେବେଳେ ଉଚ୍ଚକ୍ଷମତା ସଂପନ୍ନ କମିଟି ଗଠନ ଆଳରେ ସମୟ ଗଡ଼ାଇ ଚାଲିଛନ୍ତି। ଆଜିର ସତ୍ୟାଗ୍ରହ ସମୟରେ ରାଜ୍ୟ ସରକାରଙ୍କ ପ୍ରତି ଥିବା ଜନସାଧାରଣ ମନରେ ଅସନ୍ତୋଷ ସ୍ପଷ୍ଟ ବାରି ହୋଇଥିଲା। ଓକିଲ ସଂଘ ପୂର୍ବରୁ ସ୍ବତନ୍ତ୍ର ରାଜ୍ୟ ଦାବି ଆନ୍ଦୋଳନକୁ ସମର୍ଥନ ଘୋଷଣା କରିଥିବା ବେଳେ ଆଜି ଆନ୍ଦୋଳନରେ ଯୋଗ ଦେଇଥିବା ଲୋକଙ୍କ ମୁହଁରୁ ବି ଏଭଳି ସ୍ଲୋଗାନ ଶୁଣିବାକୁ ମିଳିଥିଲା। ‘ସ୍ବତନ୍ତ୍ର ପଶ୍ଚିମ ଓଡ଼ିଶା ରାଜ୍ୟ  ଆମର ଦାବି’,  ‘ହାଇକୋର୍ଟ ବେଞ୍ଚ ନୁହେଁ, ହାଇକୋର୍ଟ ଆମର ଦାବି’ ଭଳ ସ୍ଲୋଗାନ ଶୁଣିବାକୁ ମିଳିଥିଲା। ରାଜ୍ୟ ସରକାର ଠିକ୍ ସମୟରେ ଉପଯୁକ୍ତ ପଦକ୍ଷେପ ନନେ‌ଲେ ଆଗାମୀ ଦିନରେ ରାଜ୍ୟର ଭୌଗଳିକ ପରିବର୍ତ୍ତନ ହେବା ଭଳି ସ୍ଥିତି ସୃଷ୍ଟି ହେବା ବଡ଼ କଥା ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଚାଲିଛି।

ସମ୍ବନ୍ଧିତ ଖବର