ବାଲି କାଢ଼ିବା ବେଳେ ସତର୍କ ନ ହେଲେ ଭୁଶୁଡ଼ିଯିବ କୋଣାର୍କ ମନ୍ଦିର ଜଗମୋହନ

କଟକ: କୋଣାର୍କରୁ ବାଲି କାଢ଼ିବା ବେଳେ ସତର୍କତା ଅବଲମ୍ବନ କରାଯାଉ। ଆବଶ୍ୟକସ୍ଥଳେ ବିଶେଷଜ୍ଞଙ୍କ ଉପସ୍ଥିତିରେ ଜଗମୋହନରୁ ବାଲିକଢ଼ା କାର୍ଯ୍ୟ କରାଯାଉ। ନ‌ଚେତ୍‌ ଜଗମୋହନ ଭୁଶୁଡ଼ି ପଡ଼ିବ। ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ମରାମତି ପ୍ରସଙ୍ଗରେ ଆମିକସ୍ କ୍ୟୁରି ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ଏହା ଦର୍ଶାଇଛନ୍ତି। କୋଣାର୍କ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ପରେ ଆମିକସ୍ କ୍ୟୁରି ହାଇକୋର୍ଟରେ ଏହି ରିପୋର୍ଟ ଦାଖଲ କରିଛନ୍ତି। କୋଣାର୍କ ଜଗମୋହନରୁ ବାଲି କଢ଼ାଯିବ ବା ନାହିଁ ସେ ନେଇ ବହୁ ତର୍କବିତର୍କ ପରେ ନିଷ୍ପତ୍ତି ନିଆଯାଇଛି। ସୁରକ୍ଷା ପାଇଁ ବାଲି କାଢ଼ିବା ଲାଗି ପୂର୍ବରୁ ପରାମର୍ଶ ଦିଆଯାଇଥିବା ବେଳେ ଏ ନେଇ ଜାତୀୟସ୍ତରର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଶେଷରେ ଜଗମୋହନରୁ ବାଲି କାଢ଼ିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଏଥିପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ଏକ ପରାମର୍ଶ ତଥା ବୈଷୟିକ ବିଶେଷଜ୍ଞ କମିଟି ୨୦୨୦, ଜୁନ ୧୧ରେ ଗଠନ କରିଥିଲା। ୨୦୨୦, ଅଗଷ୍ଟ ୧୩ରେ ଏହି କମିଟିର ପ୍ରଥମ ବୈଠକ ବସିଥିଲା। ଏପର୍ଯ୍ୟନ୍ତ ଏହି କମିଟିର ଆଉ ବୈଠକ ବସିନାହିଁ। ଜଗମୋହନ ଭିତରକୁ ପ୍ରବେଶ ପାଇଁ ବାଟ କରାଯାଉଛି। ବିଶେଷଜ୍ଞ କମିଟି ପ୍ରତି ୧୫ ଦିନରେ ଥରେ ସ୍ଥିତି ଅନୁଧ୍ୟାନ କରିବା ଉଚିତ। ବାଲି କାଢ଼ିବା କାର୍ଯ୍ୟର ତଦାରଖ ପାଇଁ ଆବଶ୍ୟକସ୍ଥଳେ ଏଏସ୍‌ଆଇ ଜାତୀୟସ୍ତରର ବା ବିଦେଶର ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। ୟୁନେସ୍କୋ ଦ୍ବାରା ଗଠିତ ଇଣ୍ଟନ୍ୟାସନାଲ ସେଣ୍ଟର ଫର ଷ୍ଟଡି ଅଫ ଦି ପ୍ରିଜରଭେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ କଲଚରାଲ ପ୍ରପୋର୍ଟି (ଆଇସିସିଆରଓଏମ) ବାଲି କାଢ଼ିବା ସପକ୍ଷରେ ରିପୋର୍ଟ ଦେଇଥିଲା। ଆଇସିସିଆରଓଏମ ବି‌େଶଷଜ୍ଞଙ୍କ ସହିତ ଏହି ପ୍ରସଙ୍ଗରେ ଏଏସ୍‌ଆଇ ପରାମର୍ଶ କରିପାରିବ। ବିଶ୍ବ ଐତିହ୍ୟ କୋଣାର୍କର ସୁରକ୍ଷା ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ହାଇକୋର୍ଟ ସଂରକ୍ଷଣ ଓ ମରାମତି କାର୍ଯ୍ୟର ତଦାରଖ କରନ୍ତୁ ବୋଲି ଆମିକସ୍ କ୍ୟୁରିଙ୍କ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଆମିକସ୍ କ୍ୟୁରିଙ୍କ ରିପୋର୍ଟ ସମସ୍ତ ପକ୍ଷଙ୍କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩, ଜାନୁଆରି ୫କୁ ମାମଲା ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ ଆବେଦନକାରୀ ୨୦୧୬ରେ କୋଣାର୍କ ମନ୍ଦିର ପରିସରରେ ପାଣି ଜମିବା ଓ ମରାମତି ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଏହି ମାମଲା ବିଚାରାଧୀନ ଥିବା ବେଳେ ‘ସମ୍ବାଦ’ର ୨୦୧୮, ନଭେମ୍ବର ୧୫ ଓ ୨୫ ତାରିଖ ସଂସ୍କରଣରେ କୋଣାର୍କ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ସଂପର୍କରେ ଖବର ପ୍ରକାଶ ପାଇଥିଲା। କୋଣାର୍କର ସୁରକ୍ଷା ପ୍ରସଙ୍ଗକୁ ନେଇ ବିଧାନସଭାରେ ଆଲୋଚନା ହୋଇଥିବା ବେଳେ ବିଧାୟକମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାପରେ ଆବେଦନକାରୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ଅବସ୍ଥା ଏବେ ଚିନ୍ତାଜନକ ପରିସ୍ଥିତିରେ ରହିଛି ଦର୍ଶାଇ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ି ସାନି ପିଟିସନ୍ ଦାଖଲ କରିଥିଲେ। ଏହାପରେ ୨୦୨୨, ଅଗଷ୍ଟ ୨୩ରେ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଆମିକସ୍ କ୍ୟୁରୀ ଦର୍ଶାଇଥିଲେ ଯେ କୋଣାର୍କ ମନ୍ଦିର ଗସ୍ତ କରି ସ୍ଥିତି ଅନୁଧ୍ୟାନ ପରେ ସେ ସତ୍ୟପାଠ ଦାଖଲ କରିବେ। ଆବେଦନକାରୀ ଦିଲ୍ଲୀପ କୁମାର ମହାପାତ୍ରଙ୍କ ତରଫରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ଓ ଏଏସ୍‌ଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର