ପିଉଥିବା କ୍ଷୀର ବିଶୁଦ୍ଧ ନା ବିଷାକ୍ତ? ରାଜ୍ୟର ୩୦% କ୍ଷୀର ନମୁନା ନିମ୍ନମାନର

କ୍ଷୀରରେ ଆଫ୍ଲାଟକ୍ସିନ୍ ମାତ୍ରା ଅଧିକ ନେଇ ବିଶେଷଜ୍ଞଙ୍କ ଉଦ୍‌ବେଗ

କ୍ଷିତିଶ ରାୟ
ଭୁବନେଶ୍ବର: ପୋଷଣର ଆବଶ୍ୟକତାକୁ ପୂରଣ କରିବାର ଏକ ପ୍ରମୁଖ ମାଧ୍ୟମ ହେଉଛି କ୍ଷୀର। ପ୍ରତିଦିନ ଆମେ ପିଉଥିବା ଏହି କ୍ଷୀର ବିଶୁଦ୍ଧ ନା ବିଷାକ୍ତ? ବଜାରରେ ମିଳୁଥିବା କ୍ଷୀର ଆଉ କେବଳ ଅପମିଶ୍ରିତ ଭିତରେ ସୀମିତ ରହିନାହିଁ, ବିଷାକ୍ତ ସ୍ଥିତିକୁ ଗଲାଣି। ଜାତୀୟସ୍ତରରେ ହୋଇଥିବା ସର୍ବେକ୍ଷଣ ଅନୁଯାୟୀ ଦେଶରେ ଉପଲବ୍ଧ ଥିବା ପ୍ରତି ୧୦ ଲିଟର କ୍ଷୀରରୁ ଗୋଟିଏ ଲିଟର କ୍ଷୀର ପିଇବା ଅନୁପଯୋଗୀ। ଏହା ପଛର ପ୍ରମୁଖ କାରଣ ଆଫ୍ଲାଟକ୍ସିନ୍ ବୋଲି କୁହାଯାଉଛି। ଛୋଟ ପିଲାମାନେ ବିଷାକ୍ତ କ୍ଷୀର ପିଇବା କାରଣରୁ ସେମାନଙ୍କଠାରେ ପେଟ ରୋଗ ଦେଖିବାକୁ ମିଳୁଛି। ତେଣୁ ଗୋପାଳକମାନଙ୍କୁ ଏଥିପ୍ରତି ସଚେତନ କରିବାର ଆବଶ୍ୟକତା ରହିଛି ବିଶେଷଜ୍ଞମାନେ ମତ ଦେଲେଣି। ପାଳ ବା କୁଟାରେ ଆଫ୍ଲାଟକ୍ସିନ୍ ନାମକ ଫଙ୍ଗସ୍ ସୃଷ୍ଟି ହୋଇଥାଏ। ବିଶେଷକରି ବର୍ଷାଦିନେ ପଚି ଯାଇଥିବା ନଡ଼ାରେ ଏହାକୁ ଦେଖିବାକୁ ମିଳିଥାଏ। ଖର୍ଚ୍ଚ ବଞ୍ଚାଇବା ପାଇଁ ଗୋପାଳକମାନେ ଉତ୍କୃଷ୍ଟ ଚାରା ବଦଳରେ ନିମ୍ନମାନର ଚାରା ଦେଇଥାନ୍ତି। ଆଫ୍ଲାଟକ୍ସିନ୍ ସଂପର୍କରେ ସେମାନେ ଅଜ୍ଞ ରହିଥିବାରୁ ପଚିସଢ଼ି ଯାଇଥିବା ନଡ଼ାକୁ ଗାଈ କିମ୍ବା ମଇଁଷି ଖାଇବା ଫଳରେ ସେମାନଙ୍କ କ୍ଷୀରରେ ଏହାର ଉପସ୍ଥିତି ଦେଖିବାକୁ ମିଳୁଛି। ତେଣୁ ଟକ୍ସିନ୍ ମୁକ୍ତ କ୍ଷୀର ପାଇଁ ଗାଈଗୋରୁଙ୍କୁ ସବୁଜ ଚାରା ଦେବାର ଆବଶ୍ୟକତା ରହିଛି। ମାତ୍ର ଜମି କମି କମି ଚାଲିଥିବା ବେଳେ ନିୟମିତଭାବେ ଗାଈଗୋରୁଙ୍କୁ ସବୁଜ ଚାରା ଯୋଗାଇବା ଏକପ୍ରକାର ଆହ୍ବାନ ସୃଷ୍ଟି କଲାଣି।

ଓୟୁଏଟିର ଜଣେ ପ୍ରଫେସରଙ୍କ ମତରେ, ପଚି ଯାଇଥିବା ନଡ଼ାରେ ଏହି ଆଫ୍ଲାଟକ୍ସିନ୍ ଫଙ୍ଗସ୍‌ ରହିଥାଏ। ବର୍ଷାଦିନେ ନଡ଼ାକୁଟାକୁ ପାଣିରେ ଧୋଇ ଓ ଖରାରେ ଶୁଖାଇବା ପରେ ଗାଈଗୋରୁଙ୍କୁ ଦେବା ଲାଗି ଆମେ ସଚେତନ କରୁଛୁ। ତେବେ ଯାଇ ଆଫ୍ଲାଟକ୍ସିନ୍‌ ପଶୁସଂପଦ ଶରୀର ଯିବାକୁ ରୋକାଯାଇ ପାରିବ। ରାଜ୍ୟରେ ଉପଲବ୍ଧ କ୍ଷୀରରେ କେତେ ପରିମାଣରେ ଆଫ୍ଲାଟକ୍ସିନ୍ ରହିଛି ତାହା ସଂପର୍କରେ ବିଶେଷ ତଥ୍ୟ ନାହିଁ। ତେଣୁ ଗୋପାଳକମାନେ ବିକ୍ରି କରୁଥିବା କ୍ଷୀରକୁ ସଂଗ୍ରହ କରାଯାଇ ପରୀକ୍ଷା କରାଗଲେ ତାହା ସ୍ପଷ୍ଟ ହୋଇପାରିବ। ଡାକ୍ତର ଲଳିତ ବେହେରା କହିଛନ୍ତି, ଆଫ୍ଲାଟକ୍ସିନ୍ ଫଙ୍ଗସ୍ ମୁଖ୍ୟତଃ ଧାନ ଫସଲରେ ଦେଖିବାକୁ ମିଳିଥାଏ। ତେଣୁ ଏହାକୁ ଖାଉଥିବା ଗାଈଗୋରୁଙ୍କଠାରେ ଏହା ଦେଖାଯିବା ସ୍ବାଭାବିକ। ଏହା ଏକ ପରମିସିବଲ ବା ଅନୁମତିପ୍ରାପ୍ତ ମାନଦଣ୍ଡ ଭିତରେ ରହିଲେ ଭଲ। ମାନଦଣ୍ଡ ଅନୁଯାୟୀ କ୍ଷୀରରେ ଆଫ୍ଲାଟକ୍ସିନ୍ ୦.୫% ପିପିବି(ପାର୍ଟସ୍ ପର ବିଲିଅନ୍) ଓ ଅନ୍ୟାନ୍ୟ ଖାଦ୍ୟରେ ୨୦% ପିପିବି ରହିବା କଥା। ମାତ୍ର କ୍ଷୀର ପାଶ୍ଚରୀକୃତ ହୋଇଯିବା ପରେ ଏହାର ପରିମାଣ ୫୯.୪୫% ବୃଦ୍ଧି ପାଉଛି। ଯାହାକି ଅନୁମତିପ୍ରାପ୍ତ ସୀମା ୫୦ ନାନୋଗ୍ରାମ୍/କେଜିଠାରୁ ଅଧିକ। ପାଶ୍ଚରୀକୃତ କ୍ଷୀରରେ କାହିଁକି ଆଫ୍ଲାଟକ୍ସିନ୍‌ର ମାତ୍ରା ବୃଦ୍ଧି ପାଉଛି ତାହାର ଅଧିକ ଅନୁଧ୍ୟାନ କରାଯିବାର ଆବଶ୍ୟକତା ରହିଛି। ମାତ୍ର ଆଫ୍ଲାଟକ୍ସିନ୍‌ ଯୁକ୍ତ କ୍ଷୀର ପିଇବା ଫଳରେ ଯେଉଁ ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଛି ସେମାନଙ୍କଠାରେ ଫଙ୍ଗାଲ ଡାଇରିଆ, ଅପପୁଷ୍ଟି ଓ ଓଜନରେ ହ୍ରାସ ହେବାର ଆଶଙ୍କା ରହିଛି ବୋଲି ଡା.ବେହେରା କହିଛନ୍ତି।

ଅପରପକ୍ଷରେ ରାଜ୍ୟରେ ଗତ ୨ବର୍ଷରେ ପରୀକ୍ଷା ହୋଇଥିବା କ୍ଷୀର ନମୁନାକୁ ଦେଖିଲେ ଏଥିରେ ଓଡ଼ିଶାର ସ୍ଥିତି ସେତେଟା ଭଲ ନାହିଁ। ୨୦୨୨ ମସିହାରେ ରାଜ୍ୟରେ କ୍ଷୀରର ୫ଟି ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୪ ନମୁନା ଭଲ ରହିଥିବା ନଜରକୁ ଆସିଥିଲା। ଗୋଟିଏ ନମୁନାର ମିସ୍ ବ୍ରାଣ୍ଡିଂ ରହିଥିଲା। ସେହିପରି କ୍ଷୀର ଜାତୀୟ ଉତ୍ପାଦର ୨୨ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୧୫ ଭଲ ରହିଥିବା ବେଳେ ୫ ନିମ୍ନମାନର ଓ ୨ଟି ମିସ୍ ବ୍ରାଣ୍ଡିଂ ଥିବା ସ୍ପଷ୍ଟ ହୋଇଥିଲା। ହେଲେ ଚଳିତବର୍ଷ ଏହି ସ୍ଥିତିରେ ବଡ଼ ପରିବର୍ତ୍ତନ ଆସିଛି। ୨୦୨୩ରେ ୧୭ କ୍ଷୀର ନମୁନା ପରୀକ୍ଷା ହୋଇଥିବା ବେଳେ ୪ଟି ନମୁନା ନିମ୍ନମାନର ଓ ଗୋଟିଏ ନମୁନା ଅସୁରକ୍ଷିତ(ଅନସେଫ୍) ରହିଥିଲା। ଯାହାକି ପରୀକ୍ଷା ହୋଇଥିବା କ୍ଷୀର ନମୁନାର ୩୦%। ସେହିପରି କ୍ଷୀରଜାତୀୟ ଉତ୍ପାଦର ୧୬ ନମୁନା ଭିତରୁ ୭ଟି ନିମ୍ନମାନର ନଜରକୁ ଆସିଥିଲା। ତେଣୁ ରାଜ୍ୟରେ ପ୍ରତିବର୍ଷ କ୍ଷୀର ଓ କ୍ଷୀରଜାତୀୟ ଉତ୍ପାଦର ସ୍ଥିତି ଧୀରେ ଧୀରେ ଗମ୍ଭୀର ଆଡ଼କୁ ଗତି କରିବାରେ ଲାଗିଛି। ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି, ପୂର୍ବରୁ କ୍ଷୀରରେ ଆଫ୍ଲାଟକ୍ସିନ୍ ରହିଥିବାର ପରୀକ୍ଷା ହେଉ ନ ଥିଲା। ଏବେ ବର୍ଷେ ହେବ ଏହାର ପରୀକ୍ଷା ଆରମ୍ଭ ହୋଇଛି। ଆଫ୍ଲାଟକ୍ସିନ୍ ପରୀକ୍ଷା ପାଇଁ ହାଇଏଣ୍ଡ ଯନ୍ତ୍ରପାତିର ଆବଶ୍ୟକତା ରହିଛି। ରାଜ୍ୟର ଏକ ଘରୋଇ ପରୀକ୍ଷା କେନ୍ଦ୍ର ଓ ସରକାରଙ୍କ ପରୀକ୍ଷାଗାରରେ ଏହାର ପରୀକ୍ଷା ହୋଇପାରିବ। ତେଣୁ ଏବେ ଓଡ଼ିଶାରେ ମିଳୁଥିବା କ୍ଷୀରରେ ଆଫ୍ଲାଟକ୍ସିନ୍ ରହିଛି କି ନାହିଁ ତାହା ସଂପର୍କରେ କହିବା ମୁସ୍କିଲ୍। ଆଗାମୀ ଦିନରେ ଏହା ସଂପର୍କରେ ବିଶେଷଭାବେ ତଥ୍ୟ ମିଳିପାରିବ। ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ମୁଖ୍ୟତଃ ଅପମିଶ୍ରିତ, ମେଲାଲାଇନ୍‌ର ବ୍ୟବହାର ଓ ପାଉଡରର ମିଶ୍ରଣ ଇତ୍ୟାଦି ସଂପର୍କରେ ପରୀକ୍ଷା କରାଯାଉଛି। ରାଜ୍ୟରେ ଅସଂଗଠିତ କ୍ଷେତ୍ରରେ ବିକ୍ରି ହେଉଥିବା ଅପମିଶ୍ରିତ ଓ ନିମ୍ନମାନର ରହୁଛି। କ୍ଷୀର ଅଧିକ ଧଳା ଦେଖାଯିବା ପାଇଁ ସେମାନେ ମେଲାଲାଇନ୍ ବ୍ୟବହାର କରୁଛନ୍ତି। ନିକଟରେ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ଦେଶବ୍ୟାପୀ କ୍ଷୀର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଏଥିରେ ଓଡ଼ିଶାର ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତଭାବେ ଭଲ ରହିଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର