ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ପୂର୍ବରୁ ୨୨ଟି ପ୍ରଶ୍ନ ପଚାରିଲେ ଜୟନାରାୟଣ

ଭୁବନେଶ୍ବର : ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗସ୍ତ ପୂର୍ବରୁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ୨୨ଟି ପ୍ରଶ୍ନ ପଚାରିଛନ୍ତି। ଅତୀତରେ କୁଚିଣ୍ଡାବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ ପୂର୍ବରୁ ସବୁ ପ୍ରଶ୍ନର ଉତ୍ତର ଦେବା ଦରକାର ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସୋମବାର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦାକୁ ବାହାରୁ ନାହାନ୍ତି। ସେ ସିନ୍ଦୂର ଖୋଳପା ଭିତରେ ରହୁଛନ୍ତି। ଲୋକସେବା ଭବନ ବା ବିଧାନସଭାକୁ ଆସୁନାହାନ୍ତି। ଓଡ଼ିଶା ଆସୁଥିବା କେନ୍ଦ୍ରମନ୍ତ୍ରୀଙ୍କୁ ବି ଘରକୁ ଡାକି କଥାବାର୍ତ୍ତା ହେଉଛନ୍ତି। ହେଲେ ରାଜନୀତି କରିବା ପାଇଁ ତାଙ୍କ ପାଖରେ ବହୁତ ସମୟ ଅଛି। ନିର୍ବାଚନ ପ୍ରଚାର ଆଳରେ ବିଜୁ ସ୍ବାସ୍ଥ୍ୟକାର୍ଡ ବାଣ୍ଟିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି। କିନ୍ତୁ ମୃତ ମମିତାଙ୍କ ଘରକୁ ଯାଇ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିପାରୁନାହାନ୍ତି।

ଶ୍ରୀ ମିଶ୍ର ପଚାରିଛନ୍ତି ଯେ କୁଚିଣ୍ଡା ସମେତ ପଶ୍ଚିମ ଓଡ଼ିଶାର ଗରିବ ଲୋକମାନଙ୍କୁ କାହିଁକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେବାରୁ ବଞ୍ଚିତ କରାଯାଇଛି? କୁଚିଣ୍ଡା ଉପଖଣ୍ଡକୁ ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଗଠନ ଓ ସ୍ବତନ୍ତ୍ର ଆଦିବାସୀ ଜିଲ୍ଲା ମାନ୍ୟତା କେବେ ମିଳିବ? ଖର୍ଲା ଓ ଭେଡେନ୍ ନଦୀରେ ବ୍ୟାରେଜ୍ ପାଇଁ ୨୦୧୪ରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ କାହିଁକି କାମ ଆରମ୍ଭ ହେଉନି? ଜମନକିରା ବ୍ଲକର ସଙ୍ଖାଲାଙ୍ଗୁଡି ନାଳରେ ଗୁହୁରିନାଳା ଓ ବାମରା ବ୍ଲକର ଲହରଙ୍ଗା ନାଳରେ ବ୍ୟାରେଜ୍ ନିର୍ମାଣ କେବେ ହେବ? କୁଚିଣ୍ଡା ଉପଖଣ୍ଡରେ ଶୀତଳଭଣ୍ଡାର ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ଆଦିବାସୀ ଓ ବନବାସୀଙ୍କ ସ୍ବରୋଜଗାର ବୃଦ୍ଧି ପାଇଁ ଜଙ୍ଗଲ ଓ କୃଷିଭିତ୍ତିକ କାରଖାନା ପ୍ରତିଷ୍ଠା, ଉନ୍ନତମାନର ଚିକିତ୍ସା ପାଇଁ ଉନ୍ନତମାନର ଡାକ୍ତରଖାନା ପ୍ରତିଷ୍ଠା, କୁଚିଣ୍ଡା କଲେଜକୁ ସଂପୂର୍ଣ୍ଣ ସରକାରୀ ମାନ୍ୟତା କେବେ ମିଳିବ? କୁଚିଣ୍ଡା ଏନ୍‌ଏସିର ଚାରିପାର୍ଶ୍ବରେ ରିଙ୍ଗରୋଡ୍‌, ସ୍ବେରେଜ୍ ଓ ଡ୍ରେନେଜ୍ ବ୍ୟବସ୍ଥା କେବେ ହେବ? କୁଚିଣ୍ଡା ଉପଖଣ୍ଡର ୩୫% ଚାଷ ଜମିକୁ କେବେ ଜଳସେଚିତ କରାଯିବ କୁଚିଣ୍ଡା ବାସୀଙ୍କ ତରଫରୁ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।

ସେହିପରି ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା ପଶ୍ଚିମ ଓଡ଼ିଶାର କୌଣସି ମନ୍ତ୍ରୀ କି ବିଜେଡିର ବିଧାୟକ, ନେତାମାନେ କାହିଁକି ମୁହଁ ଖୋଲିନାହାନ୍ତି? ମୁଖ୍ୟମନ୍ତ୍ରୀ ମଧ୍ୟ ନିରବତା ଅବଲମ୍ବନ କରିଛନ୍ତି। ମୌନେ ସମ୍ମତି ଲକ୍ଷଣ କି? ମମିତା ହତ୍ୟା ମାମଲାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ମୋବାଇଲ୍ କଲ୍‌ ରେକର୍ଡ ଯାଞ୍ଚ କରାଯାଉ। ଏଭଳି ସମ୍ବେଦନଶୀଳ ଘଟଣାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ବାରା କରାଯାଉ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ, ଠାକୁର ରଣଜିତ୍ ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ, ରାଜ୍ୟ ଗଣମାଧ୍ୟମ ବିଭାଗ ସହ ପ୍ରମୁଖ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର