ନାବାଳିକା ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ: ଆଜି ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଏବଂ ସ୍ବତନ୍ତ୍ର ପକ୍‌ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୪୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ରହିଲେ ଦୁଷ୍କର୍ମକାରୀକୁ ଅଧିକ ବର୍ଷେ କାରାଦଣ୍ଡ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି।

ସୂଚନା ପ୍ରକାରେ, ଗତ ୨୦୧୯ ମସିହା ସେପ୍‌ଟେମ୍ବର ୩ ତାରିଖ ଦିନ ରାଇକିଆ ଥାନା ଅଞ୍ଚଳରେ ଜଣେ ନାବାଳିକା ନିଜ ଘରେ ଏକୁଟିଆ ଥିବା ବେଳେ ପବିଙ୍ଗିଆ ଗ୍ରାମର ସୁନୀଲ ଦିଗାଲ (୨୯) ଅପହରଣ କରି ନେଇ ତା’ ସହ ଦୁଷ୍କର୍ମ କରିଥିଲା। ପୀଡ଼ିତାଙ୍କ ବାପା, ମା’ ଘରେ ନଥିବା ବେଳେ ସୁନୀଲ ଉକ୍ତ ନାବାଳିକାକୁ ନେଇ ନିକଟସ୍ଥ ଏକ ଜଙ୍ଗ‌ଲରେ ନାବାଳିକା ସହ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ପୀଡ଼ିତା ଘରେ ଜଣାଇବା ପରେ ରାଇକିଆ ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା। ପୁଲିସ ସୁନୀଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ବିଚାର କରି ସ୍ବତନ୍ତ୍ର ପକ୍‌ସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଉପରୋକ୍ତ ଦଣ୍ଡାଦେଶ ଶୁଣାଣି କରିଛନ୍ତି। ଏହା ସହିତ ପୀଡ଼ିତାର ପରିବାରକୁ ଆଇନସେବା ପ୍ରାଧିକରଣ ପକ୍ଷରୁ ୬ ଲକ୍ଷ ଟଙ୍କାର କ୍ଷତିପୂରଣ ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ପିପି ଅସୀମ ପ୍ରହରାଜ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର