୨୮ରେ ଭିତର ରତ୍ନଭଣ୍ଡାର ଲେଜର୍‌ ସ୍କାନିଂ: ଗଠନ ହେଲା ବୈଷୟିକ କମିଟି, ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମତି

ପୁରୀ: କାର୍ତ୍ତିକ ମାସ ଶେଷ ପରଦିନ ଅର୍ଥାତ୍‌ ନଭେମ୍ବର ୨୮ ତାରିଖରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଲେଜର୍‌ ସ୍କାନିଂ ହେବ। ପ୍ରଥମେ ରତ୍ନଭଣ୍ଡାରର ବାହାର ପାର୍ଶ୍ବ କାନ୍ଥର ଲେଜର୍‌ ସ୍କାନିଂ ହେବ। ଆବଶ୍ୟକ ପଡ଼ିଲେ, ରତ୍ନଭଣ୍ଡାର ଭିତରପାର୍ଶ୍ବ କାନ୍ଥର ଲେଜର୍‌ ସ୍କାନିଂ ହେବ। ଏଥିସହ ଶ୍ରୀମନ୍ଦିର ପାର୍ଶ୍ବ ଦେବବେଦୀ ମନ୍ଦିର କାନ୍ଥର ବି ଲେଜର୍‌ ସ୍କାନିଂ କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ଆଜି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗକୁ ଏହି କାମ ପାଇଁ ଅନୁମତି ପ୍ରଦାନ କରିଛି। ଏଥିପାଇଁ ଏକ ବୈଷୟିକ କମିଟି ବି ଗଠନ କରାଯାଇଛି। ଏହି କମିଟି ରତ୍ନଭଣ୍ଡାର ଲେଜର୍‌ ସ୍କାନିଂର ପ୍ରତ୍ୟକ୍ଷ ତତ୍ତ୍ବାବଧାନ କରିବ। ତେବେ କେତେଦିନ ଏହି ଲେଜର୍‌ ସ୍କାନିଂ ପ୍ରକ୍ରିୟା ଚାଲିବ, ସେ ଉପରେ କେହି ସ୍ପଷ୍ଟ ମତ ରଖିନାହାନ୍ତି।

ଆଜି ପ୍ରଥମେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଲେଜର୍‌ ସ୍କାନିଂ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଗତବର୍ଷ ଅଗଷ୍ଟ ୮ରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିରକୁ ପ୍ରଶାସନକୁ ରତ୍ନଭଣ୍ଡାର ଅନୁଧ୍ୟାନ ଓ ମରାମତି ପାଇଁ ଅନୁମତି ମାଗିଥିଲା। ଲେଜର୍‌ ସ୍କାନିଂର ବି ଅନୁମତି ମାଗିଥିଲା। ଆଜି ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥର ଲେଜର୍‌ ସ୍କାନିଂ କରିବାକୁ ଅନୁମତି ମିଳିଛି। ଏହି ବୈଠକରେ ବୈଷୟିକ କମିଟି ବି ଗଠନ କରାଯାଇଛି। କମିଟିରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ବିଶେଷଜ୍ଞଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବୖଷୟିକ ବିଶେଷଜ୍ଞ ଭାବେ ଏନ ସି ପାଲ୍‌, ବି. ସୁବୁଦ୍ଧି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର, ଜଗନ୍ନାଥ କର, ଅଶୋକ ମହାପାତ୍ର ପ୍ରମୁଖ ରହିଛନ୍ତି। ପରେ ଅପରାହ୍ଣରେ ଏ ସମ୍ପର୍କିତ ଏକ ବୈଠକ ଡାକି ଲେଜର୍‌ ସ୍କାନିଂର ବିସ୍ତୃତ ରୂପରେଖ ପ୍ରସ୍ତୁତ ହୋଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି, ଅପରାହ୍ଣରେ ଅନୁଷ୍ଠିତ ବୈଠକରେ ନିର୍ମାଣ ବିଭାଗ, ଆମିକସ୍‌କ୍ୟୁରି, ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ। କାର୍ତ୍ତିକ ମାସ ଭିଡ଼ କମିବା ପରେ ଚଳିତ ମାସ ୨୮ ତାରିଖରେ ରତ୍ନଭଣ୍ଡାର ବାହାରପାର୍ଶ୍ବ କାନ୍ଥ ଲେଜର୍‌ ସ୍କାନିଂ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହ ଅନ୍ୟ ପାର୍ଶ୍ବ ଦେବଦେବୀ ମନ୍ଦିର ବି ଲେଜର୍‌ ସ୍କାନିଂ କରାଯିବ। ଏକ ସମୟରେ ଲେଜର୍‌ ସ୍କାନିଂ କାମ ଶେଷ ହେବ। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଯାହା ସହାୟତା ଚାହିବେ, ତାହା ଲିଖିତ ଆକାରରେ ଜଣାଇଲେ, ଶ୍ରୀମନ୍ଦିର ପ୍ରଶାସନ ଆବଶ୍ୟକ ସହାୟତା ଯୋଗାଇଦେବ। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର ସର୍କଲ୍‌ ଅଧୀକ୍ଷକ ଡି ବି ଗଡ଼ନାୟକ କହିଛନ୍ତି, ଚଳିତ ମାସ ୨୮ ତାରିଖରେ ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥ ଲେଜର୍‌ ସ୍କାନିଂ ପରେ ଶ୍ରୀମନ୍ଦିର ପାର୍ଶ୍ବ ଦେବଦେବୀ ମନ୍ଦିର ଲେଜର୍‌ ସ୍କାନିଂ ହେବ। ଲେଜର୍‌ ସ୍କାନିଂ ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଏଥିପାଇଁ ଲେଜର୍‌ ସ୍କାନିଂ ବି ଆସିସାରିଛି।

ଲେଜର୍‌ ସ୍କାନିଂ ପରିଚାଳନା ପାଇଁ ବିଶେଷଜ୍ଞମାନେ ବି ପ୍ରସ୍ତୁତ ଅଛନ୍ତି। ଲେଜର୍‌ ସ୍କାନିଂ ସମୟରେ ସେବାୟତମାନଙ୍କ ସହଯୋଗ ଆବଶ୍ୟକ। ଶ୍ରୀ ଗଡ଼ନାୟକ କହିଛନ୍ତି, ଲେଜର୍‌ ସ୍କାନିଂ ଏକ ଉଚ୍ଚକ୍ଷମତା ସଂପନ୍ନ(ହାଇ ପିକ୍ସେଲ୍‌) କ୍ୟାମେରା ଡିଭାଇସ୍‌, ଯାହା ଅତି କ୍ଷୁଦ୍ର ଫାଟକୁ ବି ଠଉରାଇ ପାରିବ। ଯଦ୍ବାରା ମରାମତି ସହଜ ଓ ସୁବିଧା ହେବ। ୨୦୧୮-୧୯ ମସିହାରେ ରତ୍ନଭଣ୍ଡାର ଖୋଲିବାକୁ ପ୍ରୟାସ କରାଯାଇଥିଲା। କିନ୍ତୁ ଏହା ବିଫଳ ହୋଇଥିଲା। ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥର ଲେଜର୍‌ ସ୍କାନିଂ ପରେ ଆବଶ୍ୟକ ମରାମତି କରାଯିବ। ପରେ ରତ୍ନଭଣ୍ଡାର ଭିତରପାର୍ଶ୍ବ କାନ୍ଥ କଥା ବିଚାର କରାଯିବ। ପାର୍ଶ୍ବ ଦେବବେଦୀ ମନ୍ଦିରରୁ ପାଣି ଗଳୁଥିବା ନେଇ ବାରମ୍ବାର ଅଭିଯୋଗ ଆସୁଛି। ଲେଜର୍‌ ସ୍କାନିଂ ପରେ ଏହାର ବି ଆବଶ୍ୟକ ମରାମତି କରାଯିବ ବୋଲି ଶ୍ରୀ ଗଡ଼ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର