ଫୋର୍ବସ ତାଲିକା: ଦେଶର ୨୩ ଜଣିଆ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ଓଡ଼ିଆ ଝିଅ ଜୟନ୍ତୀ

ମାଲକାନଗିରି: ଦେଶର ସୁନାମଧନ୍ୟ ଫୋର୍ବସ ତାଲିକାରେ ମାଲକାନଗିରି ଜିଲ୍ଲାର ଆଦିବାସୀ ମହିଳା ଜୟନ୍ତୀ। ଜିଲ୍ଲାରେ ଜଂଗଲ ରାଣୀ ଓ ବଡିଦିଦି ଭାବେ ପରିଚିତ ଜୟନ୍ତୀଙ୍କୁ ଏହି ତାଲିକାରେ ସ୍ଥନୀତ କରାଯାଇଥିବାରୁ ଶୁଭେଛାର ସୁଅ ଛୁଟୁଛି।

ପ୍ରକାଶ ଥାଉକି ଏହି ଫୋର୍ବସ ତାଲିକାରେ ଦେଶବିଦେଶର ଅନେକ ଶକ୍ତିଶାଳୀ ମହିଳା ରହିଥାନ୍ତି। ଦେଶର ୨୩ ଜଣ ଆତ୍ମନିର୍ଭର ମହିଳାଙ୍କ ମଧ୍ୟରୁ ଜିଲ୍ଲାର ସୁନା ଝିଅ ଜୟନ୍ତୀ ସ୍ଥାନ ପାଇଛନ୍ତି।ଏହି ତାଲିକାରେ ବିଶ୍ବବ୍ୟାଙ୍କ ଏମଡି ଅନୁଶଳାକାନ୍ତ, କ୍ରିକେଟର ଦୀପ୍ତି ଶର୍ମା, ସିନେ ଜଗତର ଚର୍ଚ୍ଚିତ ଚେହେରା କୀର୍ତ୍ତି ସେନନ, ଚେସ ଗ୍ରାଣ୍ଡ ମାଷ୍ଟର ଆର.ବୈଶାଳୀଙ୍କ ଭଳି ବହୁ ମହିଳା ସ୍ଥାନ ପାଇଛନ୍ତି।

ଦେଶ-ବିଦେଶର ଶକ୍ତିଶାଳୀ ମହିଳାଙ୍କ ମଧ୍ୟର ଓଡିଶାର ଏକ ମାତ୍ର ମାଲକାନଗିରି ଜିଲ୍ଲାରୁ ଜୟନ୍ତୀ ରହିଛନ୍ତି। ଜୟନ୍ତୀ ଏଫଡବ୍ଲିଏମଆଇ, ଉମେନ ଆଣ୍ଡ ନେଟଵର୍କରେ ଫିଲୋସିପି ଗ୍ରହଣ କରିଥିଲେ। ଏହାପରେ ସେ ଜଂଗଲ ରାଣୀ ଇନିସିଆଟିଭ କରି ଜିଲ୍ଲାର ଆଦିବାସୀଙ୍କ ପରଂପରା, ସଂସ୍କୃତି ଲୋକଲୋଚନକୁ ଆଣିବା ସହ ଆଦିବାସୀ ଝିଅଙ୍କୁ ଟେକନଲୋଜି ବିଷୟରେ ଶିକ୍ଷା ଦେଇ ଦୁର୍ଗମ ଅଂଚଳର ପ୍ରତିଟି ଖବର ଯେପରି ସେମାନଙ୍କ ନିକଟରେ ପହଞ୍ଚିବା ନେଇ ଅହରହ ଚେଷ୍ଟା ଜାରି ରଖିଛନ୍ତି। ଏଥିସହ ଗତ ୬ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସେ ବଡିଦିଦି ନାମକ ସଂଗଠନ ଗଢି ଆଦିବାସୀଙ୍କୁ ଋତୁଶ୍ରାବ ବିଷୟରେ ସମସ୍ତ ସୂଚନା ପ୍ରଦାନ ସହ ସଚେତନ କରାଉଛନ୍ତି।

ଜୟନ୍ତୀ ହେଉଛନ୍ତି ଆଦିବାସୀ ଜିଲ୍ଲାର ପ୍ରଥମ ଆଦିବାସୀ ସାମ୍ବାଦିକା। ସାମ୍ବାଦିକ କ୍ଷେତ୍ରରେ ସେ ଜିଲ୍ଲାର ପ୍ରମୁଖ ଖବରଗୁଡିକକୁ ଲୋକଲୋଚନକୁ ଆଣିବା ସହ ବଣ୍ଡାଘାଟି ଏବଂ ଚିତ୍ରକୋଣ୍ଡାର ଆଦିବାସୀ ଯୁବତୀ ଓ ମହିଳାଙ୍କୁ ସଚେତନ କରାଉଥିଲେ। ୨୦ ଜଣ ଶିକ୍ଷିତ ଆଦିବାସୀ ଯୁବତୀଙ୍କୁ ନେଇ ଗଠନ କରିଥିବା ବଡିଦିଦି ଆଜି ବି ଦୁର୍ଗମ ଅଂଚଳରେ ପହଞ୍ଚି ଆଦିବାସୀ ଯୁବତୀଙ୍କୁ ସଚେତନ କରାଉଛନ୍ତି। ଦୁର୍ଗମ ଅଂଚଳରେ ଆଦିବାସୀ ମହିଳା ଓ ଯୁବତୀଙ୍କୁ ସାନିଟାରି ପେଡ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ସାହାଯ୍ୟ କଲେ। ବର୍ତ୍ତମାନ କିଛି ସ୍ଥାନରେ ପ୍ୟାଡ ବ୍ୟାଙ୍କ ମଧ୍ୟ ସେ ତିଆରି କରିଛନ୍ତି। ମାଓଗଡ଼ରୁ ଫୋର୍ବସ ତାଲିକାରେ ସ୍ଥାନ ପାଇ ଜିଲ୍ଲାକୁ ସେ ଗୌରାବନ୍ବିତ କରିଛନ୍ତି। ଜିଲ୍ଲାରେ ଆଦିବାସୀ ମହିଳାଙ୍କୁ ସମ୍ମାନର ସହ ବଞ୍ଚିବାର ରାହା ଦେଖାଇଛନ୍ତି।ଆଗକୁ ଆହୁରି ବେଶୀ ବାଟ ଯିବାର ଅଛି ବୋଲି ଜୟନ୍ତୀ କହନ୍ତି।

ସମ୍ବନ୍ଧିତ ଖବର