ସଫେଇ, ମରାମତିରେ କୋଟିକୋଟି ଖର୍ଚ୍ଚ ତଥାପି… ଶୁଖିଲା ପଡ଼ିଛି କେନାଲ, ବିଲ ଫାଟି ଆଁ

ଗୋପ: ସରକାର ଜଳକର ନେଉଛନ୍ତି ମାତ୍ର ଫସଲ ପାଇଁ ପାଣି ମିଳୁନି। କେନାଲ ସଫେଇ, ଘାସଚଞ୍ଛା, ଘଳିଆମରା, ପ୍ରୋଟେକ୍ସନ ୱାଲ, କେନାଲ କଂକ୍ରିଟ୍ ଲାଇନିଂ ନିର୍ମାଣ ଓ ମରାମତି ନାମରେ ଗୋପ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର କେନାଲ ତଳ ମୁଣ୍ଡରେ ପାଣି ପହଞ୍ଚି ପାରୁନି। ଫଳରେ କେଉଁଠି ଏକର ଏକର ଚାଷଜମି ପଡ଼ିଆ ପଡ଼ୁଛି ତ କେଉଁଠି ପାଣି ଅଭାବରୁ ବିଲ ଫାଟି ଆଁ କଲାଣି। ଆଉ କେଉଁଠି କେନାଲ ଘାଇ ଯୋଗୁ ଜମିରେ ଆଣ୍ଠୁଏ ପାଣି ଜମି ରହୁଛି। ୪ ବର୍ଷ ହେଲା ପାଣି ପଞ୍ଚାୟତ କେନାଲ ସଫେଇ କାର୍ଯ୍ୟରୁ ବାଦ୍‌ ପଡ଼ିଥିବାରୁ କେନାଲ ସଫେଇ ଓ ମରାମତି ପାଇଁ ବିଭାଗ ପକ୍ଷରୁ ଟେଣ୍ଡର ଡକାଯାଉଛି। ମାତ୍ର ଟେଣ୍ଡର ନେଉଥିବା ଠିକାଦାର କେବଳ ଜନଗହଳିପୂର୍ଣ୍ଣ ସ୍ଥାନରେ କେନାଲକୁ ସଫା କରୁଥିବା ବେଳେ ଅନ୍ୟ ସ୍ଥାନ ଯେଉଁ ଅବସ୍ଥାରେ ଥିଲା ସେଇ ଅବସ୍ଥାରେ ଛାଡ଼ି ଯାଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ କେନାଲର ଶଯ୍ୟାକୁ ଡ୍ରୋଜର୍‌ ସାହାଯ୍ୟରେ ସଫାକରାଯଉଥିବାରୁ ଦିନକୁ ଦିନ କେନାଲର ଶଯ୍ୟା ଗଭୀର ହେବାରୁ ଷୋଠ ଉପରକୁ ପଣି ଉଠୁନି। ଏବେ ଧାନ ଥୋଡ଼ ବାହରିବା ସମୟରେ ପାଣି ଅଭାବରୁ ବିଲ ଶୁଖିଲା ରହିଛି। ଚାଷୀମାନେ ଅଭିଯୋଗ କରିଛନ୍ତି ଯେ ଯଦି ଏ ସମୟରେ ପାଣି ମିଳୁନି ତେବେ ଧାନ ଫସଲ ନଷ୍ଟ ହେବା ଥୟ। ଏବେ ଏହାକୁ ନେଇ ଚାଷୀମାନେ ଗୋପ ଜଳସଂପଦ ବିଭାଗ କର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଆସୁଥିବା ବେଳେ କାର୍ଯ୍ୟାଳୟରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଛାଡ଼ିଦେଲେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ଦେଖାମିଳୁନି।

ଗୋପ ବ୍ଲକ୍‌ ଅଧୀନ ତରଙ୍ଗିରା, ସଇଦାବାଦ, ନାଗପୁର, ନେତପୁର, ଷୋଳପୁର, ଚଢ଼େଇଗାଁ, ମଦରଙ୍ଗ ଆଦି ବିଭିନ୍ନ ଅଞ୍ଚଳରେ ଫସଲ ନଷ୍ଟହେବା ଆଶଙ୍କାରେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ଏହି ଅଞ୍ଚଳଗୁଡ଼ିକ ଗୋପ ଓ ଗଣେଶ୍ବରପୁର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ଅଧୀନରେ ଆସୁଥିବା ବେଳେ କାର୍ଯ୍ୟରତ ଯନ୍ତ୍ରୀ ବିଭିନ୍ନ ଆଳ ଦେଖାଇ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି। କୌଣସି କେନାଲ ପରିଦର୍ଶନ କରିବାକୁ ଯାଉନଥିବା ଅଭିଯୋଗ ହୋଇଛି। ଏପରିକି କୌଣସି ସ୍ଥାନରେ ଘଳିଆ କିମ୍ବା ଘାଇ ହେଲେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସଂପୃକ୍ତ ଯନ୍ତ୍ରୀ ଘଟଣାସ୍ଥଳକୁ ଯାଉନଥିବା ଅଭିଯୋଗ ହେଉଛି। ତେବେ ଚାଷୀମାନେ ସରକାରଙ୍କୁ ପ୍ରତିବର୍ଷ ଜଳକର ଦେଉଥିବା ବେଳେ କେନାଲ ସଫେଇ ଓ ମରାମତି ପାଇଁ ବିଭାଗ ପକ୍ଷରୁ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କା କାହା ସ୍ବାର୍ଥରେ ବୋଲି ଏବେ ପ୍ରଶ୍ନ ଉଠିଛି। ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ ଗୋପ ଓ ଗଣେଶ୍ବରପୁର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ଦାୟିତ୍ବରେ ଥିବା ଯନ୍ତ୍ରୀ ମହେଶ୍ବର ବେହେରାଙ୍କ ପ୍ରତିକ୍ରିୟା ନେବାକୁ କାର୍ଯ୍ୟାଳୟକୁ ଯିବା ସମୟରେ ସେ ଅନୁପସ୍ଥିତ ଥିବା ବେ‌ଳେ ନିମାପଡ଼ା ଉପଖଣ୍ଡ ଜଳସମ୍ପଦ ଅଧୀକ୍ଷଣ ଯନ୍ତ୍ରୀ ବୈକୁଣ୍ଠନାଥ ଦଳେଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏପରି କୌଣସି ଖବର ମିଳିନାହିଁ। ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର