ଏବର୍ଷ ଜାଡ଼ ପଡ଼ିବନି: ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଢେର୍‌ ଅଧିକ

ଫେବ୍ରୁଆରି ୧୫ରୁ ବଢ଼ିଯିବ ତାପମାତ୍ରା, ପ୍ରଭାବିତ ହୋଇପାରେ ରବି ଫସଲ

ଭୁବନେଶ୍ବର: ମାର୍ଗଶିର ଅଧା ହେଲାଣି। ଓଡ଼ିଶାରେ ଏଯାଏ ଶୀତ ଅନୁଭୂତ ହେଉନି। ଏହି ସମୟରେ ଓଡ଼ିଶାରେ ଶୀତ ଅନୁଭୂତ ହେବା କଥା। ମାତ୍ର ତାପମାତ୍ରାର ଅସ୍ବାଭାବିକ ଆଚରଣକୁ ନେଇ ସମସ୍ତେ ବିସ୍ମିତ। ବାତ୍ୟା ପ୍ରଭାବରେ ତିନି ଦିନ କୋହଲା ପାଗ ଥିବାରୁ ଟିକେ ଥଣ୍ଡା ଅନୁଭୂତ ହେଉଥିଲା। ଆଜି ଅପରାହ୍ଣରୁ ପାଗ ବଦଳିଛି ଏବଂ ଥଣ୍ଡା ଉଭାନ୍‌ ହେବା ଆରମ୍ଭ କରିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବାଦଲ ପୂରା ହଟିବା ପରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ। ଅର୍ଥାତ୍ ରାତିର ତାପମାତ୍ରାର ସ୍ବାଭାବିକ ସ୍ଥିତିକୁ ଫେରିପାରେ। ଏପଟେ ଦିନର ତାପମାତ୍ରା ମଧ୍ୟ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି।

ପାଣିପାଗ କେନ୍ଦ୍ର ତଥ୍ୟ କହୁଛି ଏବେ ସାରା ରାଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୪ରୁ ୮ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହୁଛି। ବର୍ତ୍ତମାନ ସମୟରେ ଫୁଲବାଣୀର ସର୍ବନିମ୍ନ ସ୍ବାଭାବିକ ତାପମାତ୍ରା ୯.୨ ଡିଗ୍ରି ରହିବା କଥା। ମାତ୍ର ତାହା ୧୭ ଡିଗ୍ରିରେ ରହିଛି। ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ସ୍ବାଭାବିକ ତାପମାତ୍ରା ଯଥାକ୍ରମେ ୧୩.୬, ୧୧.୨ ଡିଗ୍ରି ରହିବା କଥା। ଏବେ ରହିଛି ୧୭ ଡିଗ୍ରି। ଭୁବନେଶ୍ବର ତାପମାତ୍ରା ୧୫.୯ ଡିଗ୍ରି ରହିବା ସ୍ଥାନରେ ୧୯.୫ ଡିଗ୍ରି, କଟକର ସର୍ବନିମ୍ନ ତାପମାତ୍ରା ୧୫.୬ ଡିଗ୍ରି ବଦଳରେ ୧୯ ଡିଗ୍ରି, ସମ୍ବଲପୁରର ୧୨.୨ ଡିଗ୍ରି ରହିବା ବଦଳରେ ୧୯.୨, ବଲାଙ୍ଗୀରରେ ୧୦.୯ ସ୍ଥାନରେ ୧୯ ଡିଗ୍ରି ରହିଛି। କୋରାପୁଟର ହିଲ୍‌ ଷ୍ଟେସନ୍‌ ବ୍ୟତୀତ ଆଉ କୌଣସି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଆଜି ୧୫ ଡିଗ୍ରି ତଳକୁ ନାହିଁ। ନବରଙ୍ଗପୁର, ଟିଟିଲାଗଡ଼, ରାୟଗଡ଼ା, ପାରଳାଖେମୁଣ୍ଡି ପ୍ରଭୃତି ସ୍ଥାନରେ ରାତିର ତାପମାତ୍ରା ସ୍ବାଭାବିକଠାରୁ ବହୁ ଅଧିକ ରହୁଛି। ବାରିପଦା, ବାଲେଶ୍ବର, ଚାନ୍ଦବାଲି, କେନ୍ଦୁଝର ପ୍ରଭୃତି ସ୍ଥାନରେ ୪ ଡିଗ୍ରି ଉପରେ ରହିଛି।

ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବାନୁଯାୟୀ ଏଥର ପୂର୍ବ ପାର୍ଶ୍ବରୁ ଓଡ଼ିଶାକୁ ଲଗାତାର ଭାବେ ବାତ୍ୟା ରହିଲା। ଏଥିସହ ପଶ୍ଚିମ ବାୟୁ ପ୍ରବାହ ଆସୁ ନ ଥିବାରୁ ଶୀତ ହେଉ ନ ଥିଲା। ଏବେ ପଶ୍ଚିମା ବାୟୁ ପ୍ରବାହ ଆସୁଥିବାରୁ ଶୀତ ପଡ଼ିପାରେ। ତେବେ ଚଳିତବର୍ଷ ଲଗାତାର ଭାବେ ଶୀତ ହେବ ନାହିଁ। ଦୁଇରୁ ତିନି ଦିନ ଶୀତ ରହିବା ପରେ ପୁଣିଥରେ ପାରଦ ଉପରମୁହାଁ ହୋଇଯିବ। ଏଭଳିସ୍ଥିତି ଜାନୁଆରି ଶେଷ ନ ହେଲେ ଫେବ୍ରୁଆରି ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ। ଏଲ୍‌-ନିନୋ ପ୍ରଭାବରେ ଫେବ୍ରୁଆରି ୧୫ ପ‌ରେ ତାପମାତ୍ରା ହଠାତ୍‌ ବଢ଼ିଯିବ। ଏବର୍ଷ ବଙ୍ଗୋପସାଗରରେ ୩ଟି ବାତ୍ୟା ଆସିଲାଣି। ଆଗରୁ କେବେ ଏମିତି ଆସୁ ନ ଥିଲା। ଶୀତ ସମୟରେ ଯେଉଁ ବାତ୍ୟା ଆସେ ତାହା ଓଡ଼ିଶା ଉପରେ ସେତେଟା ପ୍ରଭାବ ପକାଏ ନାହିଁ। ତାମିଲନାଡ଼ୁ ନ ହେଲେ ଦକ୍ଷିଣ ଆନ୍ଧ୍ର ଉପରେ ପ୍ରଭାବ ପକାଇଥାଏ। ଏଥର ତିନୋଟି ଯାକ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ଅଳ୍ପେ ବହୁତେ ପଡ଼ିଛି। ଗତ ବାତ୍ୟାରେ ସାରା ରାଜ୍ୟରେ ବର୍ଷା ହୋଇଛି।

ଆଉ କିଛି ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଗ୍ରୀଷ୍ମ ମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ଜଳ ପତ୍ତନର ତାପମାତ୍ରା ସ୍ବାଭାବିକଠାରୁ ୧.୫ ଡିଗ୍ରି ଅଧିକ ରହିବା ସହ ଏଲ୍‌ନିନୋ ଶକ୍ତିଶାଳୀ ରହିଛି। ୨୦୨୪ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହା ଜାରି ରହିବ। ତେଣୁ ଚଳିତ ଶୀତ ଋତୁ ତଥା ଫେବ୍ରୁଆରି ପର୍ଯ୍ୟନ୍ତ ଓଡ଼ିଶା ସମେତ ସାରା ଦେଶରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଉତ୍ତରପ୍ରଦେଶ, ରାଜସ୍ଥାନର ଯେଉଁ ପ୍ରଭାବ ଓଡ଼ିଶା ଉପରେ ପଡ଼ିବା କଥା ତାହା ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ। ତେଣୁ କମ୍‌ ଶୀତ ଅନୁଭୂତ ହେବ। ଶୀତ ଋତୁରେ ତାପମାତ୍ରା ଅଧିକ ସହ ମଝି ମଝିରେ ବର୍ଷା ଯୋଗୁଁ ଶୀତଦିନିଆ ଫସଲ, ପନିପରିବା ଅମଳ କମ୍‌ ସହ ମାନ ହ୍ରାସ ପାଇବ। ରୋଗପୋକର ପ୍ରାଦୁର୍ଭାବ ବଢ଼ିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର