ଏସ୍‌ଆଇଟି ସ୍କାନରରେ ଓଡ଼ିଶା! ମାର୍ଚ୍ଚ ମାସରେ ସ୍ବତନ୍ତ୍ର ବୈଠକ

ଭୁବନେଶ୍ବର: କଳାଧନ ସମ୍ପର୍କିତ ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥାର ସ୍କାନରରେ ଓଡ଼ିଶା। ରାଜ୍ୟରେ ଘଟିଯାଇଥିବା କିଛି ଦିନର ଆର୍ଥିକ ସମ୍ପର୍କିତ ଘଟଣାବଳିକୁ ନଜରରେ ରଖି ଏସ୍‌ଆଇଟି ଏହି ପଦକ୍ଷେପ ନେଇଛି। ଏସ୍‌ଆଇଟିର ଉପାଧ୍ୟକ୍ଷ ଡକ୍ଟର ଜଷ୍ଟିସ ଅରିଜିତ ପଶାୟତ ଏନେଇ ରାଜ୍ୟ ଓ କେନ୍ଦ୍ରର ବିଭିନ୍ନ ବିଭାଗକୁ ତଥ୍ୟ ମାଗିଛନ୍ତି। ଆସନ୍ତା ମାର୍ଚ୍ଚ ମାସରେ ଏନେଇ ଓଡ଼ିଶାରେ ଏକ ସ୍ବତନ୍ତ୍ର ବୈଠକ ହେବ ଓ ସୁପ୍ରିମକୋର୍ଟକୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜଷ୍ଟିସ ପଶାୟତ କହିଛନ୍ତି।

ସେ ‘ସମ୍ବାଦ’କୁ କହିଛନ୍ତି ଯେ, ଡିସେମ୍ବର ୬ତାରିଖ ବାହାର ରାଜ୍ୟର ମଦ ବ୍ୟବସାୟୀଙ୍କର ଓଡ଼ିଶାରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନରେ ଚଢ଼ଉ ହେବା ଓ ବିପୁଳ ପରିମାଣର ଟଙ୍କା ଜବତ ଘଟଣାକୁ ଏସ୍‌ଆଇଟି ଅତି ଗମ୍ଭୀରତାର ସହ ଗ୍ରହଣ କରିଛି। ତୁରନ୍ତ ଏ ନେଇ ଆଇଟି ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଠାରୁ ତଥ୍ୟ ମଗାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଅନେକ ତଥ୍ୟ ମିଳିଛି ଓ ପରବର୍ତ୍ତୀ ବୈଠକରେ କେନ୍ଦ୍ରର ଏହି ଦୁଇ ସଂସ୍ଥାକୁ ଚୂଡ଼ାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଓଡ଼ିଶାର ବାଲି, ମୋରମ ଭଳି ଲଘୁଜାତ ଖଣିଜ ପଦାର୍ଥର ପ୍ରଚୁର ଚୋରା ଚାଲାଣ ହେଉଥିବା ତଥ୍ୟ ହସ୍ତଗତ ହୋଇଛି। ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ସମେତ କିଛି ସ୍ଥାନରେ ଛୋଟଛୋଟ ଜାହାଜରେ ବାହାର ରାଜ୍ୟକୁ ଚାଲାଣ ହେଉଛି। ଏସମସ୍ତ କାରବାର ନଗଦ ଅର୍ଥ ମାଧ୍ୟମରେ ହେଉଥିବା ସୂଚନା ମିଳିଛି। ପୂର୍ବରୁ କିଛି ଚୋରା ଚାଲାଣକାରୀଙ୍କ ବ୍ୟାବସାୟିକ ସଂସ୍ଥା ଉପରେ କେନ୍ଦ୍ର ଓ ରାଜ୍ୟ ଜିଏସ୍‌ଟି ବିଭାଗ ଚଢ଼ଉ କରି ଅନେକ ବେଆଇନ ଆର୍ଥିକ ଦେଣନେଣ ସମ୍ପର୍କରେ ତଥ୍ୟ ହାସଲ କରିଛି। ଆୟକର ବିଭାଗ ମଧ୍ୟ କିଛି ଦସ୍ତାବିଜ ଜବତ କରି ଏସ୍‌ଆଇଟିକୁ ପ୍ରଦାନ କରିଛି।

ସମ୍ବନ୍ଧିତ ଖବର