ହାତୀ ଆକ୍ରମଣରେ ପୁଣି ଜଣେ ମୃତ

ହାତୀକୁ ସ୍ଥାନାନ୍ତର ଦାବିରେ ରାସ୍ତାରୋକ

ଅଂଳାବେରେଣୀ ବନ କାର୍ଯ୍ୟାଳୟରେ ତାଲା

ପଣ୍ଡୁଆ/କାମାକ୍ଷାନଗର : କାମାକ୍ଷାନଗର ବ୍ଲକ୍‌ ପାରିମାଳ ଅଞ୍ଚଳକୁ ପୁଣି ନରହନ୍ତା ଦନ୍ତା ଲେଉଟିଛି। ଏହି ଦନ୍ତା ଆକ୍ରମଣରେ ପୂର୍ବରୁ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ପୁଣି ଜଣକର ଜୀବନ ଯାଇଛି। ମୃତକ ଜଣକ ହେଲେ କାମାକ୍ଷାନଗର ବ୍ଲକ୍‌ ତୁମୁସିଂହା ଥାନା ଜକା ଗ୍ରାମର ଗଦାଧର ମହାରଣା (୬୨)।

ମିଳିଥିବା ସୂଚନା ଅନୁଯାୟୀ, ଗଦାଧର ଆଜି ସକାଳ ୮ଟା ବେଳେ ଏକ ସାଇକେଲରେ କୁସୁମଯୋଡ଼ି ପଞ୍ଚାୟତର ଶାଳପଡ଼ା ଗ୍ରାମକୁ କାଠ କାମ କରିବାକୁ ଯାଉଥିବା ବେଳେ ଉକ୍ତ ଦନ୍ତା ସହ ମୁହାଁମୁହିଁ ହୋଇଥିଲେ। ଦନ୍ତାଟି ଶୁଣ୍ଢରେ ଗଦାଧରଙ୍କୁ ଟେକି ତଳେ କଚାଡ଼ି ଦେବା ସହ ତାଙ୍କ ଡାହାଣ ଗୋଡ଼କୁ ଛିଣ୍ଡାଇ ଫିଙ୍ଗି ଦେଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ଶହ ଶହ ଲୋକ ଘଟଣାସ୍ଥଳରେ ପହଞ୍ଚି ଗଦାଧରଙ୍କ ମୃତ୍ୟୁ ପାଇଁ ବନ ବିଭାଗକୁ ଦାୟୀ କରିଥିଲେ। ଢେଙ୍କାନାଳ ଏସିଏଫ୍‌ଓ ବିକ୍ରମ କୁମାର ନାୟକ, କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ବିଭୁଦାନନ୍ଦ ମିଶ୍ର, ବନପାଳ ରଞ୍ଜନ ସିଂହ, ପଣ୍ଡୁଆ ଫାଣ୍ଡି ଅଧିକାରୀ ପ୍ରଭାତ କୁମାର ରାଉତ ଲୋକଙ୍କୁ ବୁଝାସୁଝା କରିଥିଲେ। କ୍ଷତିପୂରଣ ନିମନ୍ତେ ପ୍ରାଥମିକ ପର୍ଯ୍ୟାୟରେ ୪୦ ହଜାର ଟଙ୍କା ଚେକ୍‌ ପ୍ରଦାନ ପରେ ଗ୍ରାମବାସୀ ଶବ ନେବାକୁ ଛାଡ଼ିଥିଲେ।

ପ୍ରକାଶଥାଉକି, ଏହି ଅଞ୍ଚଳରେ ଦୀର୍ଘଦିନ ଧରି ଦନ୍ତାଟି ମୃତ୍ୟୁର ତାଣ୍ଡବ ଚଳାଇଛି। ଦନ୍ତା ଆକ୍ରମଣରେ ୯ ଜଣଙ୍କର ମୃତ୍ୟୁ ଘଟିବା ସହ ବହୁ ଘରଦ୍ୱାର ଭାଙ୍ଗିଛି। ନରହନ୍ତା ଦନ୍ତାକୁ ନନ୍ଦନକାନନ ନେବା ଦାବିରେ ବାରୁଆଁ (କା) ସମିତି ସଭ୍ୟ ଦୀପକ ମାହୁନ୍ତଙ୍କ ନେତୃତ୍ୱରେ ପୂର୍ବରୁ ଦୁଇ ଥର ରାସ୍ତାରୋକ ହୋଇଥିଲା। ବନ ବିଭାଗ ପକ୍ଷରୁ ସେତେବେଳେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏହାକୁ ପାଳନ କରାଗଲାନାହିଁ। ଯାହାଫଳରେ ଆଜି ପୁଣି ଦନ୍ତା ଆକ୍ରମଣରେ ଜଣକର ମୃତ୍ୟୁ ଘଟିଥିବା ଶାଳପଡ଼ା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରତିବାଦରେ ଗ୍ରାମବାସୀ ଅଂଳାବେରେଣୀ ବନପାଳଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିଲେ। ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର