ଅମିତଙ୍କ ଗର୍ଜନ ବେଳେ ବିଜେପିକୁ ଝଟ୍‌କା

ବିଜେପିର ବିଜେପୁର କ୍ଷତରେ ଏନ୍‌ଏସି ଲୁଣଛିଟା

ଭୁବନେଶ୍ୱର: ୧୨୦+ ନୁହେଁ, ଏହାଠାରୁ ଢେର୍‌ ଅଧିକ ଆସନରେ ଜିତିବ ବିଜେପି। ଓ଼ଡ଼ିଶାରେ ସରକାର କରିବ। ତ୍ରିପୁରାଠୁ ବଡ ବିଜୟ ଦେଖିବ ଓଡ଼ିଶା। ଏକଥା ସେ ଦେଖିକି ଜାଣିପାରୁଛନ୍ତି। ବିଜେପିର ଚାଣକ୍ୟ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ବଲାଙ୍ଗୀରରେ ଯୁବ ସମାବେଶକୁ ଉଦ୍‌ବୋଧନ ଦେବା ବେଳେ ଏମିତି ଢଙ୍ଗରେ ଦମ୍ଭୋକ୍ତି ପ୍ରକାଶ କରିଥିଲେ। ହେଲେ ବାସ୍ତବତା ଥିଲା ଏୟା ଯେ ଯେଉଁ ମଞ୍ଚ ଉପରେ ଛିଡା ହୋଇ ଯେଉଁ ସମୟରେ ଅମିତ ଶାହ ନବୀନ ପଟ୍ଟନାୟକ ସରକାରକୁ ଉପା଼ଡି ଫିଙ୍ଗିଦେବାକୁ ଗର୍ଜନ କରୁଥିଲେ, ଠିକ୍‌ ସେହି ସମୟରେ ପଡ଼ୋଶୀ ବରଗଡ଼ ଜିଲ୍ଲାର ଅତାବିରା ଏନ୍‌ଏସିରେ ଭୋଟର ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଶଙ୍ଖ ଫୁଙ୍ଖିଥିବା ସଂପର୍କରେ ଘୋଷଣା କରାଯାଉଥିଲା। କେବଳ ଯେ ବିଜେପିର ଦବ୍‌ଦବା ଥିବା ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାରେ ପଦ୍ମ ଶୁଖି ଲୋଚାକୋଚା ହୋଇଯାଇଥିଲା ତା ନୁହେଁ, ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍‌ଏସିରେ ମଧ୍ୟ । ଭୋଟର ଆଜି ସେଠାରେ ବି ବିଜେପି ପ୍ରତି ସେମାନଙ୍କ ନକାରାତ୍ମକ ମନୋଭାବ ପ୍ରକଟ କରିଛନ୍ତି। ଅତାବିରାରେ ଦଳ ଖାତା ଖୋଲିପାରିନି, ଚିତ୍‌ପଟାଙ୍ଗ ମାରିଛି। ହିନ୍ଦୋଳ ଏନ୍‌ଏସିରେ ବହୁତ କଷ୍ଟରେ ଦଳ ଏଠାରେ ଗୋଟିଏ ମାତ୍ର ଓ୍ଵାର୍ଡରେ ଜିତିପାରିଛି। ବିରୋଧୀ ଶକ୍ତିକୁ ମୂଳପୋଛ କରି ନବୀନ ଅତାବିରାରେ ସମସ୍ତ ୧୨ଟି ଓ୍ଵାର୍ଡରେ ବିଜୟ ଲାଭ କରିଥିବା ବେଳେ ହିନ୍ଦୋଳରେ ୧୩ଟି ଓ୍ଵାର୍ଡରେ ଜିତି ତାଙ୍କ ଗ୍ରହଣୀୟତା ପ୍ରତିପାଦିତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ବିଜୟୀ କାଉନ୍‌ସିଲରମାନଙ୍କୁ ଭେଟିବା ଅବସରରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏପରି ବିପୁଳ ବିଜୟ ଲାଗି ଅତାବିରା ଓ ହିନ୍ଦୋଳ ଜନସାଧାରଣଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମେ ସର୍ବଦା ଚେଷ୍ଟିତ। ଅମିତ ଶାହଙ୍କ ମିସନ ୧୨୦+ରୁ ଅଧିକ ଆସନ ଜିତିବା ମନ୍ତବ୍ୟ ନେଇ ମୁଖ୍ୟମନ୍ତ୍ରୀ ଏକଥା ବି କହିଛନ୍ତି ଯେ ଏହା କେବଳ ଅତିରଞ୍ଜନ। ଏପଟେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଶାହଙ୍କ ଭାଷଣବାଜି, ନବୀନଙ୍କ ନିର୍ବାଚନୀ ସଫଳତା ଓ ଭୋଟ ଫଳାଫଳକୁ ନେଇ ବିଜେପିର ଓ କଂଗ୍ରେସର ଭବିଷ୍ୟତ ଆଙ୍କିଛନ୍ତି। ସୂଚାଇଛନ୍ତି, ଶ୍ରୀ ଶାହ ବିଜେପିକୁ କେତେ ସୁଦୃଢ କଲେ ବା ତାଙ୍କ ବକ୍ତବ୍ୟ ସ୍ଥାନୀୟ ଲୋକଙ୍କୁ କେତେ ଛୁଇଁଲା, ବିଜେପି କର୍ମୀ କେତେ ମାତ୍ରାରେ ଉତ୍ସାହିତ ହେଲେ, ତାହା ପରେ ଜଣାପଡିବ। ମାତ୍ର ଆଜି ଭୋଟର ଉଭୟ ଦଳକୁ ଯେଉଁ ବାର୍ତ୍ତା ଦେଇଛନ୍ତି, ତାହା ନିଶ୍ଚୟ ବିଜେପିର ଚାଣକ୍ୟ ଓ କଂଗ୍ରେସ ହାଇକମାଣ୍ଡଙ୍କୁ ବିଚଳିତ କରିଦେଇଥିବ। ଅପେକ୍ଷାକୃତ ସହରାଞ୍ଚଳରେ ବିଜେପି ପ୍ରତି ଭଲପାଇଥିବା ଥିବା ନେଇ ସ୍ଥାନୀୟ ନେତାମାନେ ଯେଉଁ ଦାବି କରିଆସୁଥିଲେ, ତାହା କେତେ ତୁଚ୍ଛ ଆଜି ପ୍ରମାଣିତ ହୋଇଛି। କଂଗ୍ରେସ ସଂପର୍କରେ ସେମାନଙ୍କର ମତ ଯେ ଏହି ପାର୍ଟି ଯେକୌଣସି ମୁହୂର୍ତରେ ରାଜ୍ୟରେ ଅସ୍ଥିତ୍ୱ ହରାଇପାରେ। ଦଳୀୟ ନେତାମାନେ ଏବେ ମର୍ମେ ମର୍ମେ ଅନୁଭବ କଲେଣି। ବିଜେପୁର ଉପନିର୍ବାଚନରେ ବିଜେପିକୁ ୪୧ ହଜାର ଭୋଟରେ ପରାସ୍ତ କରିଥିବା ବିଜେଡି ଆଜି ଅତାବିରାରେ ବି ତାର ତାକତ ଦେଖାଇଛି। ଏଠାରେ ବିଜେଡି ସପକ୍ଷରେ ୫୯.୫୨% (୫୭୫୧) ଭୋଟର ତାଙ୍କ ମତ ଦେଇଛନ୍ତି। ପରିଣାମରେ ସମୁଦାୟ ୧୨ଟି ଯାକ ଓ୍ଵାର୍ଡ ଯାଇଛି ସରକାରୀ ଦଳର ଖାତାକୁ। ବିଜେଡି ପାଇଥିବା ଭୋଟ୍‌ର ଅଧା (୨୪୯୭) ବି ବିଜେପିକୁ ମିଳିିନି। ମାତ୍ର ୨୫.୮୪% ଭୋଟ ପଦ୍ମ ସପକ୍ଷରେ ଯାଇଛି। ମାତ୍ର ୧୨.୪୩% (୧୨୦୧) ଭୋଟର କଂଗ୍ରେସକୁ ଭୋଟ ଦେଇଛନ୍ତି। ସ୍ୱାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ୨.୨% ଭୋଟ ପଡିଛି। ୪ଟି ଓ୍ଵାର୍ଡରେ ବିଜେପି ତୃତୀୟ ସ୍ଥାନରେ ରହିଥିବା ବେଳେ ଭୋଟର ବାକି ୮ଟି ଓ୍ଵାର୍ଡରେ ହାତ ଚିହ୍ନକୁ ତିନି ନମ୍ବର ସ୍ଥାନରେ ରଖିଛନ୍ତି। ଅନୁରୂପ ଭାବେ ହିନ୍ଦୋଳର ଭୋଟର ବି ଶାସକ ବିଜେଡି ସପକ୍ଷରେ ସ୍ପଷ୍ଟ ମତ ଦେଇଛନ୍ତି। ଶଙ୍ଖ ଚିହ୍ନର ୧୩ଜଣ ପ୍ରାର୍ଥୀଙ୍କୁ ଜିତାଇଛନ୍ତି। ସମୁଦାୟ ୫୧.୩୯% ଭୋଟ ବିଜେଡି ସପକ୍ଷରେ ପଡିଛି। ଆଉ ବିଜେପି ଏଠାରେ ୩୧.୮୨% ଭୋଟ ପାଇଥିଲେ ହେଁ, ମାତ୍ର ଗୋଟିଏ ଓ୍ଵାର୍ଡରେ ଜିତିପାରିଛି। ବାକି ୨ଟି ଓ୍ଵାର୍ଡରେ ସ୍ୱାଧୀନ ପ୍ରାର୍ଥର୍ୀ ଜିତିଛନ୍ତି ଓ କଂଗ୍ରେସ ଏଠାରେ ଧୂଳି ଚାଟିଛି। କଂଗ୍ରେସକୁ ମାତ୍ର ୨.୭୨% ଭୋଟର ସମର୍ଥନ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ବିଜେପୁର ଉପନିର୍ବାଚନ ବିପର୍ଯ୍ୟୟ ପରେ ବିଜେପି ଦେହରେ ଯେଉଁ କ୍ଷତ ସୃଷ୍ଟି ହୋଇଥିଲା, ସେଥିରେ ମଲମ ଲଗାଇବାକୁ ଆସିଥିଲେ ଅମିତ ଶାହ। ଓଡ଼ିଶାବାସୀଙ୍କୁ ତାଙ୍କ ଉପରେ ଭରସା କରିବା ଲାଗି ସେ ଆହ୍ଵାନ ଦେଇଥିଲେ ହେଁ, କିଛି ତୃଣମୂଳସ୍ତରର ଭୋଟର (ବିଜେପିର ଉଭୟ ଅଞ୍ଚଳରେ ଦବ୍‌ଦବା ରହିଛି) ଆଜି ଶ୍ରୀ ଶାହଙ୍କୁ ଦଳର ବିପର୍ଯ୍ୟୟ ସ୍ଥିତି ଓ ଗ୍ରହଣୀୟତା ସଂପର୍କରେ ସୂଚାଇ ଦେଇଛନ୍ତି। କର୍ମୀଙ୍କ ମନୋବଳ ବଢାଇବା ପାଇଁ ଯେତେ ଗର୍ଜିଲେ ବି ଅସଲରେ ତୃଣମୂଳରୁ ଯେ ପଦ୍ମ ଡଙ୍କ ମୋଡି ହୋଇଯାଉଛି, ଏହାର ଏକ ଶକ୍ତ ବାର୍ତା ବିଜେପି କେନ୍ଦ୍ରୀୟ ନେତୃତ୍ୱକୁ ଭୋଟର ଜଣାଇ ଦେଇଛନ୍ତି। ସମାନ୍ତରାଳ ଭାବେ ରାଜ୍ୟ କଂଗ୍ରେସର ଶୋଚନୀୟ ସ୍ଥିତି ବି ସାମ୍ନାକୁ ଆସିଛି। ଏହି ଦୁଇଟି ଆସନରେ ଗତଥର ଦଳ ଭଲ ପ୍ରଦର୍ଶନ କରି ଶାସକ ବିଜେଡିକୁ ଚିନ୍ତାରେ ପକାଇ ଦେଇଥିଲା। ସେ ସମୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଥିଲେ। ହେଲେ ଏବେ କିନ୍ତୁ ସେହିସବୁ ଆସନରେ ଭୋଟର କଂଗ୍ରେସକୁ ମୁହଁ ମୋଡି ଦେଇଛନ୍ତି। ବିପର୍ଯ୍ୟୟ ଏତେ ସାଂଘାତିକ ହୋଇଛି ଯେ ଦଳର ସ୍ଥିତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ।

ସମ୍ବନ୍ଧିତ ଖବର