ଆରମ୍ଭ ହେଲା ଦାଦନର ସୁଅ, ରୋକିବ କିଏ?

ଜୟପୁର: ଗାଁରେ  ମିଳୁନି ଆଉ କାମ। ଚାଷ କାମ ବି ନାହିଁ। ଘରେ ବସି ବସି ଆଉ କେତେ ଦିନ ରହିବୁ। ଦାଦନ ଯାଇ ମାସକ କାମ କରି ଗାଁକୁ ପୁଣି ଫେରି ଆସିଲେ ମିଳିଥିବା ମଜୁରୀ ଟଙ୍କାରେ ତିନି ମାସର ଆରାମ।  ଜିଲ୍ଲାର ସହାରାଂଚଳ ଠାରୁ ଢ଼େର ଅଧିକା ମଜୁରୀ ବି ବାହାର ରାଜ୍ୟରେ  ମିଳୁଛି। ଏଭଳି କହିଛନ୍ତି ଜୟପୁର ବ୍ଲକର କଙ୍ଗା ଓ ବଡ଼ଜିଉନା ପଂଚାୟତରୁ ବାହାରକୁ ଦାଦନ ଖଟିବାକୁ ଯାଉଥିବା କହିଛନ୍ତି କିଛି  ଦାଦନ ଶ୍ରମିକ।  ଜୟପୁର ଉପଖଣ୍ଡର ଜୟପୁର, ବୋରିଗୁମ୍ମା, କୋଟପାଡ଼, କୁନ୍ଦ୍ରା ଓ ବୈପାରୀଗୁଡା ବ୍ଲକର ବିଭିନ୍ନ ଗାଁ ସମେତ ପଡୋଶୀ ନବରଙ୍ଗପୁର ଜିଲ୍ଲାରୁ ବି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଲୋକେ ଯାଉଥିବା ଦେଖିବାକୁ ମିଳିଛି।

ପ୍ରତ୍ୟେକ ଦିନ ହାଇଦ୍ରାବାଦ, ବିଶାଖାପାଟଣା‌ , ବିଜୟୱାଡା, ରାଜ‌ମହେନ୍ଦ୍ରୀ , ଭଦ୍ରାଚଳମ୍ , ମୋଟୁ , ଚିତ୍ରକୋଣ୍ଡ‌ୋ ଓ ଏମଭି ୭୯କୁ ଯାଉଥିବା ଘରୋଇ ଓ ସରକାରୀ ବସ ଗୁଡିକ କେବଳ ଏମାନଙ୍କ ପାଇଁ ହିଁ ଚାଳିଛି ବୋଲି ଜଣେ ବସ ମାଲିକ କହିଛନ୍ତି।  ଏଭଳିକି ବିଭିନ୍ନ ଦୁର୍ଗମ ଗାଁ ଗୁଡିକରୁ ଅନ୍ୟ ଘରୋଇ ବସ, ଆଟୋ ଆଦିରେ  ଜୟପୁର ଆସି ଏଠାରୁ ବି ଏମାନେ ଅନ୍ୟ ବସରେ ବି ଯାଉଥିବା ଦେଖିବାକୁ ମିଳିଛି। ପୁଲିସ ଓ ପ୍ରଶାସନ ଗତ କରୋନା ପର ଠାରୁ ଦାଦନ ଶ୍ରମିକ ଚାଳାଣ ଉପରେ ଆଉ କିଛି ଆଖି ଦୃଷ୍ଟିଆ  ପଦକ୍ଷେପ ନେଉ ନଥିବାରୁ ଏବେ ଏହି ଦାଦନ ଶ୍ରମିକ ଦଲାଲ ମାନେ ମାତିଗଲେଣି। ଜିଲ୍ଲାର ୯୦ ପ୍ରତିଶତ ଦାଦନ ବାହାର ରାଜ୍ୟକୁ ଯାଇଥାନ୍ତି। କିନ୍ତୁ ଜିଲ୍ଲାର କୌଣସି ବ୍ୟକ୍ତିଙ୍କୁ ଦାଦନ ଚାଲାଣ କରିବାକୁ ଲାଇସେନ୍ସ ଦିଆଯାଇନାହିଁ। ବାହାର ରାଜ୍ୟରୁ ଫେରୁଥିବା ଦାଦନମାନଙ୍କୁ ମନରେଗା ଯୋଜନାରେ କାମ ଯୋଗାଇବାକୁ ସରକାର ପ୍ରାଥମିକତା ଦେଇଛନ୍ତି। କିନ୍ତୁ ଏହା ଘୋଷଣାରେ ହିଁ ସୀମିତ ରହିଛି। ଅଧିକାଂଶ ସ୍ଥାନରେ ଠିକାଦାରଙ୍କୁ ପୋଷିବା ପାଇଁ ମେସିନ୍‌ ଦ୍ବାରା କାମ ଚାଲିଛି।

ଏହାର ପ୍ରତିବାଦ ହେଉଥିଲେ ହେଁ କିଛି ଫଳ ମିଳୁନାହିଁ। ନିକଟରେ ଏସବୁ ବ୍ଲକ୍‌ରେ ଅଧିକାଂଶ ନରେଗା କାମ ମେସିନ୍‌ ଲଗାଇ କରାଯାଉଥିବା ବି ଅଭିଯୋଗ ହୋଇଛି।  ଲୋକଙ୍କୁ ମନେରେଗା କାମ ମିଳୁନଥିବା ଅଭିଯୋଗ ହେଉଛି।  ଅପରପକ୍ଷରେ ଯଦିବା ଏମାନେ  ମନରେଗାରେ କାମ କରିଲେ ମଧ୍ୟ ସଂପ୍ରତି ରହିଥିବା ପଦ୍ଧତି ଅନୁଯାୟୀ ଏମାନଙ୍କ ମଜୁରୀ ଟଙ୍କା ବି ମିଳୁନି। ଗତ ମାସକ ତଳେ ଜୟପୁର ବ୍ଲକର ୧୦ଟି ପଂଚାୟତର ସରପଂଚ ମାନେ ମଧ୍ୟ ନରେଗା ମଜୁରୀ ମିଳୁନଥିବାକୁ ନେଇ ବ୍ଲକ କାର୍ଯ୍ୟାଳୟକୁ ଘେରାଉ ବି କରିଥିଲେ। ଜୟପୁର ଉପଖଣ୍ଡ ସମେତ ଜିଲ୍ଲାରୁ ପ୍ରତିବର୍ଷ ବାହାର ଜିଲ୍ଲା ଏବଂ ରାଜ୍ୟକୁ ହଜାର ହଜାର ଦାଦନ ଶ୍ରମିକ ଚାଲାଣ ହେଉଛନ୍ତି। କିନ୍ତୁ ଏମାନଙ୍କ ହିସାବ କାହାରି ପାଖରେ ରହୁନାହିଁ। କେବଳ ଉଦ୍ଧାର ପାଉଥିବା ଦାଦନଙ୍କ ତାଲିକା ପ୍ରଶାସନ ପାଖରେ ରହୁଛି। ଯଦ୍ବାରା ଅଣସଂଗଠିତ ଥିବା ଏହି ଶ୍ରମିକମାନେ ସବୁ ସରକାରୀ ଯୋଜନାରୁ ବି ବଂଚିତ ରହୁଛନ୍ତି।

 

 

ସମ୍ବନ୍ଧିତ ଖବର