କବି ରାଧାମୋହନଙ୍କ ଗାଁକୁ ଭୁଲିଗଲେ: ଘୋଷଣାରେ ସୀମିତ ‘ଆଦର୍ଶ ଗ୍ରାମ’

୨୦ଲକ୍ଷ ପଡ଼ିଛି, କାମ ହୋଇ ପାରୁନି, ବର୍ଷେ ପରେ ବି ହେଲାନି ଅଧିଗ୍ରହଣ

ରାଜେଶ କୁମାର ନାୟକ

ବଅଁରପାଳ: କବିଙ୍କ ଗାଁ ହେବ ଆଦର୍ଶ ଗ୍ରାମ। ସ୍ମୃତିଫଳକଠାରୁ ଆରମ୍ଭ କରି ତିଆରି ହେବ କବିଙ୍କ ପ୍ରତିମୂର୍ତ୍ତି। ହେ‌ଲେ ଏସବୁ ସୀମିତ ରହିଯାଇଛି କେବଳ ଘୋଷଣାରେ। ଘୋଷଣାକୁ ବର୍ଷେ ବିତି ଯାଇଥିଲେ ମଧ୍ୟ ମାଟି ମୁଠାଏ ପଡ଼ି ପାରିନି କବି ରାଧାମୋହନ ଗଡ଼ନାୟକଙ୍କ ଗାଁ କଲଣ୍ଡାପାଳରେ। ଯାହା ପ୍ରାଶାସନିକ ଉଦାସୀନତା ଓ ଅବହେଳାର ଚରମ ନିଦର୍ଶନ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ସାଆନ୍ତରାପୁର-ଖ ପଞ୍ଚାୟତସ୍ଥିତ କଲଣ୍ଡାପାଳ ହେଉଛି ସବୁଜ ଯୁଗର କବି ରାଧାମୋହନ ଗଡ଼ନାୟକଙ୍କ ଜନ୍ମମାଟି। ଦେଶ ସ୍ୱାଧୀନତା ପାଇବାର ପ୍ରାୟ ୩୬ ବର୍ଷ ପୂର୍ବରୁ ୧୯୧୧ ମସିହା ଅଗଷ୍ଟ ୨୫ତାରିଖରେ ଏଇ ଗାଁରେ କବି ରାଧାମୋହନଙ୍କ ଜନ୍ମ। ଏଇ ମାଟିରୁ ଆରମ୍ଭ ହୋଇଥିଲା କବିଙ୍କ ଲେଖନୀ ଚଳନା। ଯାହା ପରାଧୀନ ଭାରତ ବର୍ଷରେ ଦେଶପ୍ରେମର ନୂଆ ଜାଗରଣ ସୃଷ୍ଟି କରିଥିଲା। ତାଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଏହି କଲଣ୍ଡାପାଳ ଗାଁକୁ ଆଦର୍ଶ ଗ୍ରାମ ଯୋଜନା‌ରେ ସାମିଲ କରିବାକୁ ରାଜ୍ୟ ସରକାର ଆଗ୍ରହ ଦେଖାଇଥିଲେ। ଏନେଇ ଗତବର୍ଷ ମେ ୧୦ ତାରିଖରେ ଘୋଷଣା ବି କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଏଥିପାଇଁ ଦାୟିତ୍ବ ଦିଆଯାଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ଅନୁଧ୍ୟାନ କରି ଜିଲ୍ଲାପାଳଙ୍କୁ ଏ ସମ୍ପର୍କିତ ରିପୋର୍ଟ ଦେବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା କୁହାଯାଇଥିଲା। ହେଲେ ଇତିମଧ୍ୟରେ ବର୍ଷେ ବିତି ଯାଇଥିଲେ ବି ଗାଁରେ କୌଣସି କାର୍ଯ୍ୟ ଆରମ୍ଭ ହୋଇନାହିଁ।

ପ୍ରସ୍ତାବ ମୁତାବକ, ଗ୍ରାମର ପ୍ରବେଶପଥଠାରୁ କବିଙ୍କ ଅନ୍ତୁଡ଼ିଶାଳ ପର୍ଯ୍ୟନ୍ତ ସବୁଠି ନାମଫଳକ ଲାଗିବା ସହ ପ୍ରତିମୂର୍ତ୍ତି ନିର୍ମାଣ ହୋଇଥା’ନ୍ତା। ସେଠାରେ ଥିବା ପାଠାଗାର ମଧ୍ୟ ନୂଆରୂପ ପାଇଥା’ନ୍ତା। ବରପୁତ୍ରଙ୍କ ଜୟନ୍ତୀ ଓ ଶ୍ରାଦ୍ଧବାର୍ଷିକୀ ସମ୍ମାନର ସହ ପାଳନ କରାଯାଇଥା’ନ୍ତା। ହେଲେ ସେଭଳି କିଛି ହେଲାନାହିଁ। ସରକାରୀ ଘୋଷଣାର ବର୍ଷେ ପରେ ବି ପ୍ରସ୍ତାବିତ ଜମି ଅଧିଗ୍ରହଣ ହୋଇପାରି ନାହିଁ। କୌଣସି ବରିଷ୍ଠ ସରକାରୀ ଅଧିକାରୀଙ୍କ ପାଦ ଏ ଗାଁରେ ଏଯାଏଁ ପଡ଼ି ପାରିଲାନି। ରାଧାମୋହନ ସ୍ମୃତି ପରିଷଦ ଓ ଜିଲ୍ଲା ସାହିତ୍ୟ ସଂସଦ ମିଳିତ ବୈଠକରେ ସମସ୍ତ ଆଲୋଚନା ଓ ନିଷ୍ପତ୍ତିକ୍ରମେ ଗାଁକୁ ଆଦର୍ଶ ଗ୍ରାମ କରାଯିବ ବୋଲି ସେତେବେଳେ ଜିଲ୍ଲା ପ୍ରଶାସନ କହିଥିଲା। କିନ୍ତୁ ଏଯାବତ୍ ଥରୁଟିଏ ବି ବୈଠକ ହୋଇନାହିଁ କିମ୍ବା କୌଣସି ଆଲୋଚନା ହୋଇନାହିଁ ବୋଲି ସ୍ମୃତିପରିଷଦ ଓ ସାହିତ୍ୟ ସଂସଦ କମିଟି ସଦସ୍ୟ ସୁଶୀଲ ତ୍ରିପାଠୀ, ମାନସ ଗଡ଼ନାୟକ ଓ ଗଗନ ଗଡ଼ନାୟକ ପ୍ରମୁଖ ପ୍ରକାଶ କରିଛନ୍ତି। ଏପରିକି ସରକାର କେବଳ ଦିନରେ ସ୍ବପ୍ନ ଦେଖାଇ ଭଣ୍ଡେଇ ଦେଲେ ବୋଲି ସେମାନେ କ୍ଷୋଭର ସହ କହିଛନ୍ତି।

ସୂଚନା ମୁତାବକ, କବି ରାଧାମୋହନଙ୍କ ଜନ୍ମମାଟି କଲଣ୍ଡାପାଳରେ ଆଜି ବି ମାଳମାଳ ସମସ୍ୟାରେ ଲୋକେ ଯୁଝି ହେଉଛନ୍ତି। ବସୁଧା କିମ୍ବା ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପରୁ କବିଙ୍କ ଗାଁ ବାଦ ପଡ଼ିଛି। ଏପରିକି ସବୁଦିନିଆ ଭଲ ରାସ୍ତା ନଥିବାରୁ ବର୍ଷା ଦିନେ ଲୋକେ କାଦୁଅ ପଚପଚ ରାସ୍ତାରେ ଯାତାୟାତ କରନ୍ତି। ଗାଁରେ ଥିବା ସ୍କୁଲ୍‌ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଏ ପାଠ ପଢ଼ିବା ସୁବିଧା ଥିବାବେଳେ ମାତ୍ର ୩ଜଣ ଶିକ୍ଷକ ପାଳି କରି ପାଠ ପଢ଼ାଉଛନ୍ତି। ଛନ୍ଦକବିଙ୍କ ପ୍ରତି ଏହା କି ପ୍ରକାର ସମ୍ମାନ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ସମାଜସେବୀ ଦିବ୍ୟରଞ୍ଜନ ସାମଲ, ବିଜେପି ନେତା କିଟୁ ପଣ୍ଡା, ବ୍ଲକ୍ କଂଗ୍ରେସ ଓବିସି ସେଲ୍ ସଭାପତି ଜଗନ୍ନାଥ ବେହେରା ପ୍ରମୁଖ କ୍ଷୋଭ ପ୍ରକାଶ କରିବା ସହ ପ୍ରାଶାସନିକ ଉଦାସୀନତାକୁ ନିନ୍ଦା କରିଛନ୍ତି। ଅନ୍ୟପଟେ ଅନୁଦାନ ରାଶି ମଞ୍ଜୁର ହୋଇ ରହିଥିଲେ ବି ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ କାମ ହୋଇ ପାରି ନଥିବା ବିଡିଓ ଲୋଚନ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର