ନଭେମ୍ବର ୨୦ରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତ; ଜାଣନ୍ତୁ ପୂରା କାର୍ଯ୍ୟକ୍ରମ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ (ନଭେମ୍ବର ୨୦ ତାରିଖ) ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ତିନିଦିନିଆ ଗସ୍ତ କାଳରେ ମହାମହିମ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଗସ୍ତକାଳରେ ବାରିପଦା, ରାଇରଂଗପୁର, ପାହାଡ଼ପୁର, ବାଦାମପାହାଡ଼, ସମ୍ବଲପୁର ଓ ବୁର୍ଲାରେ ଆୟୋଜିତ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି।

ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି ଯେ, ମହାମହିମ ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୦ ତାରିଖ (ସୋମବାର) ବାରିପଦାଠାରେ ପୂର୍ବାହ୍ନ ୧୧ଟା ୨୫ରୁ ଅପରାହ୍‌ଣ ୧୨ଟା ୨୫ ପର୍ଯ୍ୟନ୍ତ ଆୟୋଜିତ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବ ଓ ସାହିତ୍ୟ ମହୋତ୍ସବକୁ ଉଦ୍‌ଘାଟନ କରିବେ। ଏହା ପରେ ସେ ଅପରାହ୍‌ଣ ୨ଟା ୩୫ରୁ ୩ଟା ୧୫ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ରାଷ୍ଟ୍ରପତି ଲୋକାର୍ପଣ କରିବେ।

ନଭେମ୍ବର ୨୧ତାରିଖ (ମଙ୍ଗଳବାର) ରାଷ୍ଟ୍ରପତିଙ୍କୁ ମୟୂରଭଞ୍ଜର ପାହାଡପୁର ଗ୍ରାମବାସୀ ପୂର୍ବାହ୍‌ଣ ୮ଟା ୧୫ରୁ ୯ଟା ୧୫ ମଧ୍ୟରେ ସ୍ବାଗତ କରିବେ। ସେଠାରେ ରାଷ୍ଟ୍ରପତି ସ୍ବର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବେ। ପରେ ସେ ପ୍ରୟାସ ଟ୍ରଷ୍ଟ ଦ୍ବାରା ନିର୍ମିତ ଏକ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟନ କରିବେ। ସକାଳ ୮ଟା ୫୦ରୁ ୯ଟା ୧୫ ମଧ୍ୟରେ ଏସ୍‌ଏଲଏସ୍‌ ମେମୋରିଆଲ ଆବାସିକ ସ୍କୁଲ ପରିସରରେ ସମାଧୀ ସ୍ଥଳକୁ ଯିବେ। ସେଠାରେ ଏସ୍‌ଏଲଏସ୍‌ ଟ୍ରଷ୍ଟ ସ୍କୁଲର ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ସଂପର୍କୀୟଙ୍କୁ ସମ୍ବୋଧିତ କରିବେ। ଏହା ପରେ ବିଦ୍ୟାଳୟ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ମହାମହିମ ଏହି ଦିନ ସକାଳ ୯ଟା ୧୫ରୁ ୧୦ଟା ୪୫ ଭିତରେ ବାଦାମପାହାଡ଼ ରେଳଷ୍ଟେସନରୁ ତିନୋଟି ନୂଆ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିବେ। ଏହି ଟ୍ରେନ୍‌ଗୁଡ଼ିକ ହେଲା ବାଦାମପାହାଡ଼- ଟାଟାନଗର ମେମୁ;  ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ; ଏବଂ ବାଦାମପାହାଡ଼ – ଶାଲିମାର ସାପ୍ତାହିକ ଏକ୍ସପ୍ରେସ। ରାଷ୍ଟ୍ରପତିଙ୍କ ଦ୍ବାରା ନୂଆ ରାଇରଙ୍ଗପୁର ଡାକ ଡିଭିଜନ ଉଦ୍‌ଘାଟନ କରାଯିବ। ସେ ମଧ୍ୟ ରାଇରଙ୍ଗପୁର ଡାକ ଡିଭିଜନର ଏକ ସ୍ମାରକୀ ଲଫାପା ଜାରି କରିବେ। ଏଥିସହିତ ବାଦାମପାହାଡ଼ ରେଳଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ କରିବେ। ସେ ପୂର୍ବାହ୍ନ ୧୦ଟା ୪୫ରୁ ୧୧ଟା ୨୫ ଭିତରେ ବାଦାମପାହାଡ଼-ଶାଲିମାର ଏକ୍ସପ୍ରେସରେ ବାଦାମପାହାଡ଼ ଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ଯାତ୍ରା କରିବେ। ମଙ୍ଗଳବାର ଅପରାହ୍‌ଣ ୪ଟା ୩୦ରୁ ୫ଟା ୩୦ ମଧ୍ୟରେ ରାଷ୍ଟ୍ରପତି ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ବବିଦ୍ୟାଳୟର ୧୫ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ।  ଏହା ପୂର୍ବରୁ ସେ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବେ। ସନ୍ଧ୍ୟା ୫ଟା ୪୫ରେ ସେ ମା’ ସମଲେଶ୍ବରୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବେ।

ଆସନ୍ତା ୨୨ ତାରିଖ ପୂର୍ବାହ୍‌ଣ ୧୦ଟା ୨୦ରୁ ୧୧ଟା ୨୦ ମଧ୍ୟରେ ରାଷ୍ଟ୍ରପତି ସମ୍ବଲପୁରଠାରେ ବ୍ରହ୍ମକୁମାରୀ ସଂସ୍ଥାଦ୍ବାରା ଆୟୋଜିତ ଜାତୀୟ ଶିକ୍ଷା ଅଭିଯାନ- ନୂଆ ଭାରତ ପାଇଁ ନୂଆ ଶିକ୍ଷାକୁ ଶୁଭାରମ୍ଭ କରିବେ। ଏହାପରେ ରାଷ୍ଟ୍ରପତି ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ତ୍ତି ଗସ୍ତ କରିବେ, ଯେଉଁଠାରେ ସେ ଶ୍ରୀ ସତ୍ୟ ସାଇ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ୪୨ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।

ସମ୍ବନ୍ଧିତ ଖବର