ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍‌

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ନୀଳିଗିରି ଥାନା ଅଞ୍ଚଳରେ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ବାଲେଶ୍ବର ପୋକ୍‌ସୋ ଅଦାଲତର ସ୍ବତନ୍ତ୍ର ବିଚାରପତି ରଂଜନ କୁମାର ସୁତାର ଆଜି ଦୋଷୀକୁ ୨୦ ବର୍ଷର ଜେଲ ଦଣ୍ଡ ସହ ୧୪ ହଜାର ଟଙ୍କାର ଜରିମାନା ଭରିବାକୁ ଆଦେଶ ଦେଇଛନ୍ତି। ଏଥିସହ ଜରିମାନା ଅନାଦେୟ ହେଲେ ଦୋଷୀ ଆଉ ୮ ମାସ ଅଧିକ ଜେଲ୍‌ଦଣ୍ଡ ଭୋଗିବ ବୋଲି ରାୟ‌େର ଉଲ୍ଲେଖ କରାଯାଇଛି।
୨୦୨୦ ମସିହା ଫେବ୍ରୁଆରି ୬ ତାରିଖରେ ନୀଳଗିରି ଥାନା ଅଞ୍ଚଳର ସନ୍ତୋଷ ସିଂ ନାମକ ଜଣେ ଯୁବକ ନିଜ ଗ୍ରାମର ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଥିଲା। ପୀଡ଼ିତାଜଣଙ୍କୁ ଆସାମୀ ସନ୍ତୋଷ ସିଂ ସଂନ୍ଧ୍ୟାବେଳେ ଗାଁ ପାଖରେ ଥିବା ଏକ ଦୋକାନ ପାଖକୁ ଡାକିନେଇ ମଦ୍ୟପାନ କରାଇଥିଲା।

ଏହାପରେ ପୀଡ଼ିତାଙ୍କୁ ନିଶାସକ୍ତ ଅବସ୍ଥାରେ ନିକଟସ୍ଥ ଏକ ବିଲ ଭିତରକୁ ନେଇ ଦୁଷ୍କର୍ମ କରିବା ପରେ ଏ ସମ୍ପର୍କରେ ଘରଲୋକଙ୍କୁ ଜଣାଇଲେ ଜୀବନରୁ ମାରିଦେବାକୁ ସନ୍ତୋଷ ଧମକାଇଥିଲା। ତେବେ ୩ ମାସ ପରେ ନାବାଳିକା ଜଣକ ପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିବା ଦେଖି ଘରଲୋକେ ତାକୁ ପଚାରିଥିଲେ। ଏହାପରେ ସେ ବାପାମାଙ୍କ ଆଗରେ ସବୁ ସତକଥା କହିଥିଲେ। ଏଥିରେ ୧୩ ଜଣ ସାକ୍ଷୀଙ୍କ ବୟାନ ଏବଂ ୨୦ଟି ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ଆସାମୀ ସନ୍ତୋଷ ସିଂକୁ ପୋକ୍‌ସୋ ଧାରାରେ ୨୦ ବର୍ଷ ଜେଲ୍‌ ଦଣ୍ଡ ସହିତ ୧୪ ହଜାର ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୮ ମାସ ଜେଲଦଣ୍ଡ ଆଦେଶ ଦେଇଛନ୍ତି ଅଦାଲତ। ଏହି ମାମଲାରେ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ପ୍ରଣବ କୁମାର ପଣ୍ଡା ଏହି ମାମଲାକୁ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର