ଅର୍ଥ କମିସନଙ୍କ ଉଦ୍‌ବେଗକୁ ବେଖାତିର୍‌: ୧୮ ପୌର ସଂସ୍ଥାର ଅନାଦାୟ ହୋଲ୍ଡିଂ ଟିକସ ୧୭୮ କୋଟି

ବଜେଟ୍ ପ୍ରହସନ: ୨୦ଟି ସଂସ୍ଥା ତନାଘନାରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ, ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୩୧୪୭କୋଟି ଟଙ୍କା ଆୟ କମିଗଲା

ଭୁବନେଶ୍ବର: ଆର୍ଥିକ ଆତ୍ମନିର୍ଭରଶୀଳତା ବିନା ସ୍ବାୟତ୍ତ ଶାସନ ସଂସ୍ଥାଗୁଡ଼ିକ ସ୍ବାଧୀନ ନିଷ୍ପତ୍ତି ନେବା ସହଜ ନୁହେଁ। ତେଣୁ ଜାତୀୟ ଅର୍ଥ କମିସନଙ୍କ ଠାରୁ ଆରମ୍ଭ କରି ରାଜ୍ୟ ଅର୍ଥ କମିସନଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ନିମନ୍ତେ ବାରମ୍ବାର ତାଙ୍କ ରିପୋର୍ଟରେ ଗୁରୁତ୍ବ ଆରୋପ କରି ଆସିଛନ୍ତି। ବିଶେଷଜ୍ଞଙ୍କ ମତରେ ଆମ ରାଜ୍ୟର ବିଡ଼ମ୍ବନା ହେଲା-ଏ ପର୍ଯ୍ୟନ୍ତ ପାଖାପାଖି ୩% ପଞ୍ଚାୟତ କିମ୍ବା ପୌର ସଂସ୍ଥା ରାଜସ୍ବ ବଳକା ହୋଇପାରି ନାହାନ୍ତି। ଅତିରିକ୍ତ ସମ୍ବଳ ସଂଗ୍ରହ ଦୂରେ ଥାଉ ବରଂ ଧାର୍ଯ୍ୟ ଲକ୍ଷ୍ୟର ଟିକସ ଅସୁଲ କ୍ଷେତ୍ରରେ ରାଜ୍ୟର ପୌର ସଂସ୍ଥାଗୁଡ଼ିକ ବର୍ଷ ବର୍ଷ ଧରି ବିଫଳ ହେବା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ନିକଟରେ ବିଧାନସଭାରେ ଉପସ୍ଥାପିତ ରିପୋର୍ଟରେ ଏହି ପ୍ରସଙ୍ଗରେ ସିଏଜି ଗୁରୁତର ଆପତ୍ତି ଉଠାଇଛନ୍ତି।

ପୌରବାସୀଙ୍କଠାରୁ ପ୍ରତି ବର୍ଷ ଅସୁଲଯୋଗ୍ୟ ହୋଲ୍ଡିଂ ଟିକସ ବା ସମ୍ପତ୍ତି କର ପୌର ସଂସ୍ଥାଗୁଡ଼ିକର ଅନ୍ୟତମ ରାଜସ୍ବ ଉତ୍ସ। ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ସିଏଜି ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମ ସମେତ ୧୮ଟି ପୌର ସଂସ୍ଥାର ହୋଲ୍ଡିଂ ଟିକସ ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ସମୟରେ ଜଣାପଡ଼ିଥିଲା ଯେ ୨୦୧୫-୧୬ରୁ ୨୦୧୯-୨୦ ପାଞ୍ଚ ବର୍ଷ ମଧ୍ୟରେ ଏହି ୧୮ଟି ପୌର ସଂସ୍ଥା ୫୫୪ କୋଟି ୧୫ ଲକ୍ଷ ୩୦ ହଜାର ଟଙ୍କା ହୋଲ୍ଡିଂ ଟିକସ ଅସୁଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ମାତ୍ର ଆଦାୟ କରିଥିଲେ ୩୭୫ କୋଟି ୮୭ ଲକ୍ଷ ୭୬ ହଜାର ଟଙ୍କା। ଅର୍ଥାତ ୧୭୮ କୋଟି ୨୭ ଲକ୍ଷ ୫୪ ହଜାର ଟଙ୍କା ଅସୁଲ କରିବାରେ ସମ୍ପୃକ୍ତ ପୌର କର୍ତ୍ତୃପକ୍ଷ ବିଫଳ ହୋଇଥିଲେ। ଏପରିକି ଦଶପଲ୍ଲା, ରଣପୁର ଭଳି କେତେକ ବିଜ୍ଞପିତ ପୌର ପରିଷଦ (ଏନ୍ଏସି)ରୁ ସେ ବାବଦରେ ଟଙ୍କାଟିଏ ମଧ୍ୟ ଅସୁଲ ହୋଇ ନାହିଁ। ହୋଲ୍ଡିଂ ଟିକସ ବାବଦ ଅନାଦାୟ ରାଶିର ସିଂହଭାଗ ଭୁବନେଶ୍ବର, ରାଉରକେଲା ଓ ବ୍ରହ୍ମପୁର ମହାନଗର ନାମରେ ରହିଛି। ଏହି ୩ଟି ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଯଥାକ୍ରମେ ୬୯ କୋଟି ୧୭ ଲକ୍ଷ ୯୮ ହଜାର, ୨୦ କୋଟି ୬୩ ଲକ୍ଷ ୬୮ ହଜାର ଓ ୧୧ କୋଟି ୪୯ ଲକ୍ଷ ୬୫ ହଜାର ଟଙ୍କା ବାକି ପଡ଼ିଛି।

ସେହିପରି ପୌର ସଂସ୍ଥାଗୁଡ଼ିକ ଆକଳନ କରୁଥିବା ବଜେଟ୍‌ରେ ଲକ୍ଷ୍ୟ ରଖାଯାଉଥିବା ଆୟ ତୁଳନାରେ ଖୁବ କମ ଅସୁଲ ହେଉଥିବାରୁ ବାର୍ଷିକ ବ୍ୟୟ ମଧ୍ୟ ହ୍ରାସ ପାଉଛି। ରାଜ୍ୟର ୨୦ଟି ପୌର ସଂସ୍ଥାର ବଜେଟ୍, ଆୟ ଓ ବର୍ଷ ଶେଷକୁ ବ୍ୟୟ ସମ୍ପର୍କରେ ସିଏଜି ସମୀକ୍ଷା କରି ଦେଇଥିବା ରିପୋର୍ଟ ଅନୁସାରେ ୨୦୧୫-୧୬ରୁ ୨୦୧୯-୨୦ ପାଞ୍ଚ ବର୍ଷ ମଧ୍ୟରେ ସେଗୁଡ଼ିକ ଦ୍ବାରା ଅନୁମୋଦିତ ମୋଟ ବଜେଟ୍ ଅଟକଳ ଥିଲା ୮୭୭୧ କୋଟି ୪୩ ଲକ୍ଷ ଟଙ୍କା। ମାତ୍ର ଅଟକଳ ତୁଳନାରେ ପ୍ରକୃତ ଆୟ ଥିଲା ୫୬୨୪ କୋଟି ୧୮ ଲକ୍ଷ ଟଙ୍କା। ଅର୍ଥାତ ଅବାସ୍ତବ ବଜେଟ୍ କିମ୍ବା କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଉପରୋକ୍ତ ୫ ବର୍ଷରେ ୩୧୪୭ କୋଟି ୨୫ ଲକ୍ଷ ଟଙ୍କାର ରାଜସ୍ବ ଆୟ ହାସଲ ହୋଇପାରି ନଥିଲା। ପରିଣାମସ୍ବରୂପ ସମ୍ପୃକ୍ତ ପୌର ସଂସ୍ଥାଙ୍କ ଦ୍ବାରା ଧାର୍ଯ୍ୟ ବ୍ୟୟ ଅଟକଳ ଲକ୍ଷ୍ୟ ବର୍ଷ ଶେଷକୁ ବିଫଳ ହୋଇଥିଲା।

ସମ୍ବନ୍ଧିତ ଖବର