ସୁନ୍ଦରଗଡ଼ରେ ବାଲି ଲୁଟ୍‌ ବେଲଗାମ: ମାସକୁ ୬ କୋଟିରୁ ଅଧିକ ରୟାଲିଟି ହଡ଼ପ

୪୬ ବାଲିଘାଟକୁ ମିଳିନି ଟିପି, ମାଲେମାଲ୍‌ ହେଉଛନ୍ତି ଠିକାସଂସ୍ଥା

ରାଉରକେଲା: ତହସିଲରୁ ଖଣି ବିଭାଗକୁ ପଥରଖାଦାନ ଓ ବାଲିଘାଟ ଚାଲିଯିବା ଲିଜ୍‌ଧାରୀ ଠିକାସଂସ୍ଥା ମାଲେ୍‌ମାଲ୍‌। ସୁନ୍ଦରଗଡ଼ରେ ୧୮ଟି ତହସିଲ ଅଧିନରେ ଚାଲିଥିବା ୯୦% ବାଲିଘାଟ ଓ ପଥରଖାଦାନାରୁ ବେଧଡ଼କ ଲୁଟ୍‌ ହେଉଛି ବାଲି ଓ ପଥର। ଖଣିବିଭାଗକୁ ଚାଲିଯିବା ପରେ ତହସିଲଦାର କାର୍ଯ୍ୟାନୁଷ୍ଠାନ ନେଇପାରୁନି। ଲିଜ୍‌ଧାରୀ ଠିକାସଂସ୍ଥା ଆବଶ୍ୟକ କାଗଜପତ୍ର ଜମା କରୁନଥିବାରୁ ଖଣିବିଭାଗ କାହାକୁ ଅନୁମତି ଦେଇନି। ଉଭୟ ବିଭାଗ ସମନ୍ବୟ୍ ଅଭାବର ଭରଫରୁ ଫାଇଦା ଉଠାଉଛନ୍ତି ଠିକାସଂସ୍ଥା। ସ୍ଥାନୀୟ ପୁଲିସ, ଯାଞ୍ଚ ଦାୟିତ୍ବରେ ଥିବା ଆର୍‌ଆଇଙ୍କ ସହ ଭିତିରି ସଲାସୁତୁରା କରି ମନଇଚ୍ଛା ଉତ୍ତୋଳନ କରିଚାଲିଛନ୍ତି। ପଥର ଖାଦାନରୁ ଦୈନିକ ଯେତିକି ଲୁଟ୍‌ ହେଉଛି, ତା’ର ୧୦ ଗୁଣା ଲୁଟ୍‌ ବାଲିଘାଟରୁ। ସୁନ୍ଦରଗଡ଼ର ୧୮ ତହସିଲ ଅଧୀନରେ ୧୦୦ରୁ ଅଧିକ ବାଲିଘାଟ ରହିଛି। ହେଲେ ଜିଲ୍ଲାର ଗୋଟିଏ ହେଲ ବାଲିଘାଟକୁ ଖଣିବିଭାଗ ଅନୁମତି କିମ୍ବା ଅନ୍‌ଲାଇନ୍‌ ଟିପି ଇସ୍ୟୁ କରିନି। ଲିଜ୍‌ଧାରୀ ଠିକାସଂସ୍ଥା ସରକାରଙ୍କ ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ଦୈନିକ ଶହ ଶହ ଟ୍ରିପ୍‌ ବାଲି ଉଠାଉଛନ୍ତି। ଏମିତି କିଛି ବାଲିଘାଟରେ ୩/୪ଟି ଲେଖାଏଁ ଜେସିବି ସହାୟତାରେ ବାଲି ଉଠାଉଛନ୍ତି।

ଜିଲ୍ଲାର ୪୬ଟି ବାଲିଘାଟ ଚାଲୁନାହିଁ ବୋଲି ଖଣିବିଭାଗ କାର୍ଯ୍ୟାଳୟ ପକ୍ଷରୁ ତଥ୍ୟ ଦିଆଯାଉଛି। କିଛି ବାଲିଘାଟକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ବାଲିଘାଟରୁ ବେଧଡ଼କ ବାଲି ଉଠୁଛି। ଏସବୁ ବାଲିଘାଟଗୁଡ଼ିକ ମଧ୍ୟରେ ରହିଛି ସୁନ୍ଦରଗଡ଼ ତହସିଲର ନୂଆ ଅମଲ୍ଲିପାଲି (୧) ଓ(୨), ଟାଙ୍ଗରପାଲି ତହସିଲର ଅବନକେଳା, ରେମେଣ୍ଡା, କିରିପିସିରା, ସବ୍‌ଡେଗା ତହସିଲର କନିକା, ମାଳିଡିହି, କୁକୁରିଡିହି, ଗଇଲୋ ବାଲିଘାଟ। ହେମଗିରି ଲେଫ୍ରିପଡାର ଲୁଥେରକେଣ୍ଡ, ସୁରୁଗୁଡା, ଲେଫ୍ରିପଡ଼ା, ବଡଗାଁ ତହସିଲର ବରପାଲି, କୁରେଇବଗା, କୁରେଇବଗା (୨), ଖରିକାମୁଣ୍ଡା ବାଲିଘାଟ, ବାଲିଶଙ୍କରା ତହସିଲର ଘୋଘର (ବି), କୁସୁମୁରା, ଲୁଲ୍‌କିଡିହି, ଘୋଘର (ଏ), କୈନ୍ତରା, କୁଆରମୁଣ୍ଡା ତହସିଲର ପଦ୍ମପୁର (୧), ଜମୁନାନାକି (୨), ବିଜୁବନ୍ଧ, ପଦ୍ମପୁର (୩), ପଦ୍ମପୁର (୨) ଓ ଉଶ୍ରା ବାଲିଘାଟକୁ ଅନୁମତି କିମ୍ବା ଟିପି ମିଳିନି। ବେଆଇନ ଭାବେ ବାଲିଉଠାଣ ଚାଲିଛି। ରାଉରକେଲା ତହସିଲର ରାଉରକେଲା ଟାଉନ୍‌ ୟୁନିଟ୍‌ -୮ ଅନ୍ତର୍ଗତ ତୁମକେଲା, ବିଶ୍ରା ତହସିଲର ଜମ୍‌ସେରା (୧), ଖଟାଙ୍ଗକୁଦର, ଲାଠିକଟା ତହସିଲର ଭାଲୁପତ୍ରା, ବେଲ୍‌ଡିହି (୨), ବଲାଣି ବାଲିଘାଟ, ବଣାଇ ତହସିଲର ଟେଣ୍ଡ୍ରା (୨), ବଡଗାଁ, ଦେଓଗାଁ, ଚାନ୍ଦିପୋଷ, ବାଲିଆଟୋଟା, ଲହୁଣିପଡା ତହସିଲର ବିରତୋଳା, ଡିଗି,ସୁଆରପାଲି, ଲଦମ, ତୁମକେଲା, ପୋଇଗାଁ ବାଲିଘାଟରେ ସମାନସ୍ଥିତି।

ଗୁରୁଣ୍ଡିଆ ତହସିଲର ନରେନ୍ଦ୍ର ବାଲିଘାଟ (୨), କୁଚେଇତା ଓ ରାଣିଆମରାବାଟିପୁର ବାଲିଘାଟ ରହିଛି। ସେମିତି ଜିଲ୍ଲାରେ ଚାଲିଥିବା ୩୫ରୁ ଅଧିକ ବାଲିଘାଟକୁ ଖଣିବିଭାଗ ଅନୁମତି ଦେଇନି। ଆଶ୍ଚର୍ଯ୍ୟ କଥା ଏସବୁ ବାଲିଘାଟରୁ ଦୈନିକ ଶହ ଶହ ଟ୍ରିପ୍‌ ବାଲି ଉଠୁଛି। ନିୟମ ଅନୁଯାୟୀ ପ୍ରତ୍ୟେକ ଟ୍ରାକ୍ଟର ପିଛା ୧୪୦ ଟଙ୍କା ଓ ହାଇୱା ପିଛା ୫୬୦ ଟଙ୍କା ସରକାରୀ ରୟାଲିଟି ପାଇବା କଥା। ଦୈନିକ ଜିଲ୍ଲାରେ ବାଲିଘାଟରୁ ହଜାର ହଜାର ଟ୍ରିପ୍‌ ବାଲି ଉଠୁଥିଲେ ହେଁ, ସରକାର ଟଙ୍କାଟିଏ ରାଜସ୍ବ ପାଉନି। ଯଦି ଜିଲ୍ଲାରେ ଦୈନିକ ସର୍ବନିମ୍ନ ୩୦୦୦ ଟ୍ରିପ୍‌ ବାଲି ଉଠେ, ସରକାରଙ୍କୁ ପାଖାପାଖି ୧୮ଲକ୍ଷ ୮୦ ହଜାର କରି ମାସକୁ ୬ କୋଟି ଅଧିକ ରୟାଲିଟି ହଡ଼ପ ହେଉଛି। ଏହି ଟଙ୍କା ଲିଜ୍‌ଧାରୀ ଠିକାସଂସ୍ଥା, ସ୍ଥାନୀୟ ପୁଲିସ ଓ ତହିସଲର କିଛି କରିତକର୍ମା ଆର୍‌ଆଇ ନାଁ ଅନ୍ୟ କାହା ପକେଟକୁ ଯାଉଛି, ତା’ର ତଦନ୍ତ ହେବାର ଆବଶ୍ୟକତା ରହିଛି। ରାଉରକେଲା ଖଣବିଭାଗ କାର୍ଯ୍ୟାଳୟର ଉପ ନିର୍ଦ୍ଦେଶକ ବି. ସେଠୀ କହିଛନ୍ତି, ଆମେ ଏଯାଏଁ କାହାକୁ ଅନୁମତି ଦେଇନୁ। ଲିଜ୍‌ଧାରୀ ଠିକାସଂସ୍ଥାମାନେ କେମିତି ବାଲି ଉଠାଉଛନ୍ତି, ସେ କଥା ତହସିଲଦାରମାନେ କହିପାରିବେ।

ସମ୍ବନ୍ଧିତ ଖବର