‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ‘ସ୍ବାଭିମାନ ଦିବସ’ ୨୮ରେ: କଟକ ସ୍ମୃତିସଭାର ଅତିଥି ଡକ୍ଟର ଜଷ୍ଟିସ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ

ଭୁବନେଶ୍ବରରେ ବକ୍ତୃତା ଦେବେ ଦେବଦାସ ଛୋଟରାୟ

ଭୁବନେଶ୍ବର: ପ୍ରତିବର୍ଷ ପରି ଚଳିତବର୍ଷ ଏପ୍ରିଲ ୨୮ ତାରିଖ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଉତ୍ସବକୁ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ସାରାରାଜ୍ୟରେ ‘ସ୍ବାଭିମାନ ଦିବସ’ ରୂପେ ପାଳନ କରାଯାଉଛି। ଏ ବର୍ଷ ମଧ୍ୟ ଏହି ଉତ୍ସବ ରାଜ୍ୟର ପ୍ରତି ବ୍ଳକ୍ ଓ ପୌରାଞ୍ଚଳରେ ପାଳନ କରାଯିବ।
ରାଜ୍ୟସ୍ତରୀୟ ଉତ୍ସବ ଅବସରରେ ୨୮ ତାରିଖ, ଶୁକ୍ରବାର ସକାଳ ୭ଟା ରେ କଟକ ଗୋରାକବରଠାରେ ଉତ୍କଳଗୌରବଙ୍କ ସମାଧି ପୀଠରେ ମାଲ୍ୟାର୍ପଣ ପରେ ନିକଟସ୍ଥ ମଧୁ ପାର୍କଠାରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟଅତିଥି ରୂପେ ଡକ୍ଟର ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ସମ୍ମାନିତ ଅତିଥି ଭାବେ କଟକ ମହାନଗର ନିଗମର ମେୟର ସୁବାସ ଚନ୍ଦ୍ର ସିଂହ ଯୋଗଦେବେ।

ଏହାପରେ, ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର, ୟୁନିଟ୍ ୩ ସ୍ଥିତ ‘ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରରେ ‘ସ୍ବାଭିମାନ ଦିବସ ଓ ଆମ ଓଡ଼ିଶା ବକ୍ତୃତାମାଳା’ ଆୟୋଜିତ ହେବ। ଏଥିରେ ରେଭେନ୍‌ସା ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ବିଶିଷ୍ଟ ସାହିତ୍ୟିକ ଶ୍ରୀ ଦେବଦାସ ଛୋଟରାୟ ଯୋଗଦେଇ ‘ମଧୁବାବୁ ଓ ସମୟର ପ୍ରବାହ’ ପ୍ରସଙ୍ଗରେ ବକ୍ତୃତା ଦେବେ। ଏହି ଅବସରରେ ‘ଆମ ଓଡ଼ିଶା’ ତରଫରୁ ସୁରେନ୍ଦ୍ର ରଚନା ସମଗ୍ର ପ୍ରକାଶନ କ୍ରମରେ ଉତ୍କଳଗୌରବଙ୍କ ଜୀବନୀ ଆଧାରିତ ଦୁଇ କାଳଜୟୀ ଚରିତୋପନ୍ୟାସ ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୁଳବୃଦ୍ଧ’ର ଏକତ୍ର ସଂକଳନ ମଧ୍ୟ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗ ଦେବାପାଇଁ ‘ସମ୍ବାଦ’ ସଂପାଦକ ତଥା ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର