ଜେଲ୍‌-ପୁଲିସ୍‌ ହୁଗୁଳା : ସୁନ୍ଦରଗଡ଼ର ଗୁଳି ଚୋରି, ଚୌଦ୍ବାର ଜେଲ୍‌ରେ ବନ୍ଦୀଙ୍କ ସେଲ୍‌ଫି ନେଇ ଆଲୋଡ଼ନ

ପୁଲିସ୍‌ ହିଁ ଚୋରାଇଥିଲା ୬୦ ରାଉଣ୍ଡ ଗୁଳି, ୨ ଦିନ ପରେ ଜାଣିଲେ, ୫ ଦିନ ପରେ ଧରିଲେ

ସୁନ୍ଦରଗଡ଼/କଟକ : ଚୌଦ୍ବାର ଜେଲ ଭିତରେ ବନ୍ଦୀ ଉଠାଉଛନ୍ତି ସେଲ୍‌ଫି। ବିଭିନ୍ନ ଅଙ୍ଗଭଙ୍ଗୀରେ ଏକାଠି ଛିଡା ହୋଇ ସେଲ୍‌ଫି ନେବା ସହ ସେହି ଫଟୋକୁ ସୋସିଆଲ ମିଡିଆରେ ନିଜ ବନ୍ଧୁଙ୍କ ପାଖକୁ ପଠାଉଛନ୍ତି। ଜେଲ ଭିତରେ ତାଙ୍କ ସେଲ୍‌ କେମିତି, ସେ ଦୃଶ୍ୟ ତ ଛାଡୁଛନ୍ତି, ତା’ ସାଙ୍ଗକୁ ଜେଲ୍‌ ଭିତର ବଗିଚାରେ ବୁଲିବୁଲି ସେଲ୍‌ଫି ନେଇ ତାହାକୁ ବି ମୋବାଇଲ୍‌ ଫୋନ ହ୍ବାଟସ୍‌ଅପରେ ପଠାଉଛନ୍ତି।

ଚୌଦ୍ବାର ଜେଲ ଭିତରର ଚିତ୍ରରୁ ବନ୍ଦୀ ଆରାମଦାୟକ ଜୀବନ ବିତାଉଛନ୍ତି କଥାଟି େଯତିକି ବିବ୍ରତ କରୁନି, ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ଦିଗରେ ଜେଲ ପ୍ରଶାସନର କେତେ େବପରୁଆ େହାଇପଡିଛନ୍ତି, କେମିତି େବଫିକର ଢଙ୍ଗରେ ଜେଲ କାର୍ଯ୍ୟ କରୁଛି, ତାହା ସ୍ପଷ୍ଟ କରୁଛି।

ଏପଟେ ଗତ ୨୪ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ପୁଲିସ ଅସ୍ତ୍ରାଗାରରୁ ୬୦ ରାଉଣ୍ଡ ଗୁଳି ଲୋଡ୍‌ ଥିବା ୪ଟି ମାଗାଜିନ ଚୋରି ହୋଇଯାଇଥିବା ଅଭିଯୋଗ େହାଇଥିଲା। ଆଜି ସେ ରହସ୍ୟ ଉନ୍ମୋଚିତ େହାଇଛି। ଆଉ କେହି ନୁେହଁ, ଜଣେ କନଷ୍ଟେବଳ ଗୁଲସନ୍‌ କିରୋ ହିଁ ଏଭଳି ଦୁଃସାହସ କରିଛନ୍ତି େବାଲି ପୁଲିସ ସୂଚନା ଦେବା ସହିତ ତାଙ୍କୁ ଗିରଫ କରିଛି।

ସୁନ୍ଦରଗଡ଼ ଜିଲ୍ଲାରୁ ଆତଙ୍କବାଦୀଙ୍କୁ ପୂର୍ବରୁ ଗିରଫ କରିଛି ପୁଲିସ। ତାହା ସତ୍ତ୍ବେ କର୍ତୃପକ୍ଷଙ୍କ ନିଦ ଭାଙ୍ଗିନି। ସ୍ଥିତି ଏମିତି ଗମ୍ଭୀର ଅବସ୍ଥାରେ ପହଞ୍ଚିଲାଣି େଯ ୬୦ ରାଉଣ୍ଡ ଗୁଳି େଲାଡ ଥିବା ୪ ମାଗାଜିନ ଜଣେ କନଷ୍ଟେବଳ ଚୋରି କଲେ, ତାହା େକହି ଜାଣିପାରିଲେ ନାହିଁ। କେବଳ ସେତିକି ନୁହେଁ, ସଂପୃକ୍ତ କନଷ୍ଟେବଳ ଏହାକୁ ପୁଣି ପୁଲିସ ବାରାକ୍ ଭିତରେ
ଲୁଚାଇ ରଖିଥିଲେ।

ତେବେ, ଏହାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତିକି କଥା ଠାବ କରିବା ପାଇଁ କ’ଣ ପୁଲିସକୁ ୪ ଦିନ ଲାଗିଗଲା? ଯଦି ଏହି ଚାରି ଦିନ ଭିତରେ ଗୁଳି ଭର୍ତି ମାଗାଜିନ୍ ବାହାରକୁ ଯାଇଥାନ୍ତା ଓ କୌଣସି ଅପରାଧୀ ହାତରେ ଲାଗିଥା’ନ୍ତା? କ’ଣ ଏମିତି ଆବଶ୍ୟକ ପଡିଲା େଯ ସଂପୃକ୍ତ କନଷ୍ଟେବଳ ଗୁଳି ଭର୍ତି ମାଗାଜିନ୍ ଚୋରି କଲେ? କୌଣସି ଅପରାଧିକ କାର୍ଯ୍ୟକଳାପ କିମ୍ବା ଆତଙ୍କବାଦ ସହିତ ତାଙ୍କର ସଂପର୍କ ନାହିଁ ତ?

ଅନ୍ୟପକ୍ଷରେ, ସୁନ୍ଦରଗଡ ଜିଲ୍ଲା ପୁଲିସ ଅସ୍ତ୍ରାଗାରରୁ ମାଗାଜିନ୍‌ ଚୋରି ମାମଲାରେ ସିପାହୀ ଗୁଲସନ୍‌ କିରୋଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ବାରାକ ମଧ୍ୟରେ ସେ ଲୁଚାଇ ରଖିଥିବା ୬୦ଟି ଗୁଳି ସହ ୪ଟି ମାଗାଜିନ୍‌କୁ ଉଦ୍ଧାର କରାଯାଇଛି। ଘଟଣାରେ ଆରକ୍ଷୀ ଅଧିକ୍ଷକ ସୌମ୍ୟା ମିଶ୍ର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଅଭିଯୁକ୍ତ ଗୁଲସନ୍‌ଙ୍କୁ ନିଲମ୍ବିତ କରିଥିବାବେଳେ ଚୋରି ସମୟରେ ଅସ୍ତ୍ରାଗାର ସୁରକ୍ଷା ଦାୟିତ୍ବରେ ଥିବା ୩ ହାବିଲଦାର ଓ ୨୦ ସିପାହୀଙ୍କୁ କୈଫିୟତ ତଲବ କରିଛନ୍ତି। ତେବେ, ମାଗାଜିନ ଚୋରି ସହ ଝାଡ଼ଖଣ୍ଡର କୁଖ୍ୟାତ ଅପରାଧୀ ପାହାଡ଼ି ଚିତା ଗ୍ୟାଙ୍ଗ୍‌ର ଲିଙ୍କ୍‌କୁ ଆରକ୍ଷୀ ଅଧିକ୍ଷକ ଅସ୍ବୀକାର କରିଛନ୍ତି। ପାହାଡ଼ି ଚିତା ଗ୍ୟାଙ୍ଗର ଉପସ୍ଥିତି ଗୁଲସନ୍‌ଙ୍କ ନିଜ ଗାଁ କିରାଲଗା ଅଞ୍ଚଳରେ ରହିଥିବାରୁ ମାଗାଜିନ୍‌ ଚୋରି ସହ ସେମାନଙ୍କ ଲିଙ୍କ୍‌ ଥିବା ସନ୍ଦେହ ଉଙ୍କି ମାରିଥିଲା। କିନ୍ତୁ ଅଭିଯୁକ୍ତ ଗୁଲସନ୍‌ ଚୋରିର ଉଦ୍ଦେଶ୍ୟ ସମ୍ପର୍କରେ ଏଯାଏ ସ୍ପଷ୍ଟ ଭାବେ କିଛି କହୁ ନ ଥିବାରୁ ସେ ଦିଗରେ ତଦନ୍ତ ଜାରି ରହିଥିବା ଓ ଘଟଣାରେ କେବଳ ସେ ଜଣେ ନା ଆଉ କିଏ କିଏ ସମ୍ପୃକ୍ତ ସେ ନେଇ ମଧ୍ୟ ଛାନ୍‌ଭିନ୍‌ ଚାଲିଥିବା ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି।

ନଭେମ୍ବର ୨୪ ତାରିଖରେ ସିପାହୀ ଗୁଲସନ୍‌ କିରୋ କଡ଼ା ସୁରକ୍ଷା ବଳୟରେ ଥିବା ଜିଲ୍ଲା ପୁଲିସ ଅସ୍ତ୍ରାଗାରରେ ପଶି ୬୦ଟି ଗୁଳି ଭରା ୪ଟି ମାଗାଜିନ୍‌ ଚୋରି କରିଥିଲେ। ପୁଲିସ୍‌ ଏତେ ଦାୟିତ୍ବବାନ େଯ ଏ ସମ୍ପର୍କରେ ୨ ଦିନ ପରେ ରିଜର୍ଭ ଇନସପେକ୍ଟର ବିକାଶ ହେମ୍ବ୍ରମ ୨୬ରେ ଟାଉନଥାନାରେ ଏତଲା ଦେଇଥିଲେ। ଟାଉନ ଥାନାରେ କେସ୍‌ ନ˚- ୨୫୬/୧୮ ଭାରତୀୟ ଦଣ୍ତବିଧି ଧାରା ୨୮୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ େହାଇଥିଲା।

େସହିପରି ଚୌଦ୍ବାର ଜେଲ ଭିତ‌ରର ଯେଉଁ ସେଲଫି ଫଟୋ ଏବେ ସାମନାକୁ ଆସିଛି, ସେଥିରେ ଅଛନ୍ତି ଚାଉଳିଆଗଂଜ ଥଟ୍ଟାରି ସାହିର ଦେବାଶିଷ ସାହୁ ଓରଫ ଗୁଡୁ, ବିଡାନାସୀ ଅଞ୍ଚଳର ଦେବବ୍ରତ ଦାସ ଓରଫ ଲିପୁ ଏବଂ ଭରତ ବେହେରା ଓରଫ ଲିଟୁ। ସେମାନେ ସମସ୍ତେ ଧଳସାମନ୍ତ ଗ୍ୟାଙ୍ଗର କୁହାଯାଉଥିବା ବେଳେ ଚାଉଳିଆଗଂଜ ଥଟ୍ଟାରି ସାହିର ମନୋଜ ମଲ୍ଲିକ ଓରଫ ଦୀପୁ ଏବଂ କଲ୍ୟାଣୀନଗର ଓମ୍ ପ୍ରକାଶ ସ୍ବାଇଁ ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି।

ଜେଲର ‘ୱାଇ’ ସେଲରେ ସେମାନଙ୍କୁ ରଖା ଯିବା ସହ ସଂପୂର୍ଣ୍ଣ ଭିଆଇପି ଚର୍ଚ୍ଚା ଦିଆଯାଉଛି। ଆବଶ୍ୟକତା ଅନୁସାରେ ସେମାନଙ୍କୁ ଆମିଷ, ନିରାମିଷ ଖାଦ୍ୟ ବି ଯୋଗାଇ ଦିଆଯାଉଛି। କିଛିଦିନ ପୂର୍ବରୁ ଚୌଦ୍ବାର ଜେଲରେ ବନ୍ଦୀ ଥିବା ସିଡିଏ ଅଞ୍ଚଳର ସେକ ଅନୱାର, ଅଲିଶା ବଜାରର ବଂଶୀଧର ଜେଠୀ ଏବଂ ସାଲେପୁରର ବିକାଶ ସାହୁ ସେମାନଙ୍କୁ ଜେଲରେ ନିର୍ଯାତନା ଦିଆଯାଉଥିବା ‌ଏବଂ ନିଶା ସାମଗ୍ରୀ ପାଇଁ ବଟି ମଗା ଯାଉଥିବା ଅଭିଯୋଗର ରେକର୍ଡିଂ ‌କରି ମୋବାଇଲ ଫୋନରେ ସୋସିଆଲ ମିଡିଆରେ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର