ଶିମିଳିପାଳକୁ ପୂର୍ଣ୍ଣାଙ୍ଗ ଜାତୀୟ ଉଦ୍ୟାନ ମାନ୍ୟତା: ତରବରିଆ ନିଷ୍ପତ୍ତି, ଏବେ ପ୍ରତ୍ୟାହାର

ଶେଷରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କଲେ

ବାରିପଦା: ଆଗପଛ ବିଚାର ନକରି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିମିଳିପାଳକୁ ପୂର୍ଣ୍ଣାଙ୍ଗ ଜାତୀୟ ମାନ୍ୟତା ପ୍ରଦାନ କରାଯାଇଥିଲା। ମାତ୍ର, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏହାକୁ ପ୍ରତ୍ୟାହାର କରାଯାଇଛି। ଯାହାକି ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ଭାରତର ୧୮ଟି ସଂରକ୍ଷିତ ଜୈବମଣ୍ଡଳ ମଧ୍ୟରୁ ଶିମିଳିପାଳ ଅନ୍ୟତମ। ୨୭୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ଜୈବମଣ୍ଡଳର ୨୨ ଶହ ବର୍ଗ କିମି ଅଞ୍ଚଳକୁ ୧୯୭୯ ମସିହାରେ ଅଭୟାରଣ୍ୟ ଘୋଷଣା କରିଥିଲେ ରାଜ୍ୟ ସରକାର। ୧୯୮୦ ମସିହାରେ ଏହି ଅଭୟାରଣ୍ୟର ୩୦୩ ବର୍ଗ କିମି କୋର୍‌ ଅଞ୍ଚଳକୁ ଜାତୀୟ ଉଦ୍ୟାନ ମାନ୍ୟତା ପାଇଁ ରାଜ୍ୟ ସରକାର କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ପାଖରେ ପ୍ରସ୍ତାବ ରଖିଥିଲେ। ୧୯୮୬ ମସିହାରେ ପୁନଃ ପ୍ରସ୍ତାବ ରଖାଯାଇ ୩୦୩ ବର୍ଗ କିମି ପରିବର୍ତ୍ତେ ୮୪୫ ବର୍ଗ କିମି ଅଞ୍ଚଳକୁ ଜାତୀୟ ଉଦ୍ୟାନ ମାନ୍ୟତା ଦାବି ହୋଇଥିଲା। ତେବେ ଶିମିଳିପାଳ କୋର୍‌ ଏରିଆ ଭିତରେ ଓ ଏହାକୁ ଲାଗି ୫୦ରୁ ଅଧିକ ପଡ଼ା ଗ୍ରାମରେ ୧୦ ହଜାରରୁ ଅଧିକ ବନବାସୀ ରହୁଥିବାରୁ ସେତେବେଳେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିନଥିଲା; ଯଦିଓ ୧୯୯୪ ମସିହାରେ କେନ୍ଦ୍ର ସରକାର ଶିମିଳିପାଳକୁ ଜୈବମଣ୍ଡଳ ବୋଲି ଘୋଷଣା କରିଥିଲେ।

ପରବର୍ତ୍ତୀ ସମୟରେ ଶିମିଳିପାଳକୁ ପୂର୍ଣ୍ଣାଙ୍ଗ ଜାତୀୟ ଉଦ୍ୟାନ ମାନ୍ୟତା ପାଇଁ ବିଭିନ୍ନ ସମୟରେ ଦାବି ହୋଇଆସୁଛି। ଏ ଦିଗରେ ରାଜ୍ୟ ସରକାର ମଧ୍ୟ ଉଦ୍ୟମ ଆରମ୍ଭ କରି ବିଭିନ୍ନ ପର୍ଯ୍ୟାୟରେ ଅଭୟାରଣ୍ୟ ଭିତରୁ ଜନବସତିକୁ ଉଚ୍ଛେଦ କରି ଅନ୍ୟତ୍ର ଥଇଥାନ ବ୍ୟବସ୍ଥା କରୁଛନ୍ତି। ସରକାରଙ୍କ ପକ୍ଷରୁ ସେମାନଙ୍କୁ ଥଇଥାନ ପାଇଁ ବନ୍ଦୋବସ୍ତ କରାଯିବ ବୋଲି ପ୍ରସ୍ତାବ ଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହା ସଫଳ ହୋଇପାରୁନି। ବନବାସୀମାନେ ଜଙ୍ଗଲ ଅଧିକାର ଆଇନ୍‌ ବଳରେ ନିଜ ଭିଟାମାଟି ଛାଡ଼ୁନାହାନ୍ତି। ଏହା ସତ୍ତ୍ବେ ଚଳିତ ମାସ ୪ ତାରିଖରେ ରାଜ୍ୟ ଜଙ୍ଗଲ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଶିମିଳିପାଳକୁ ପୂର୍ଣ୍ଣାଙ୍ଗ ଜାତୀୟ ଉଦ୍ୟାନ ମାନ୍ୟତା ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜରିଆରେ ଆଦେଶନାମା ଜାରି କରାଯାଇଥିଲା। ବନ୍ୟପ୍ରାଣୀ ସୁରକ୍ଷା ଆଇନ୍‌ ଅନୁଯାୟୀ;
ଜଙ୍ଗଲ ଭିତରେ ଜମିର ମାଲିକାନା ସ୍ବତ୍ବ ରଖିଥିବା ସମସ୍ତ ଲୋକ ୨ ମାସ ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଜଙ୍ଗଲ ବନ୍ଦୋବସ୍ତ ବିଭାଗରେ ହାଜର ହୋଇ ସମସ୍ତ ତଥ୍ୟ ଦାଖଲ କରିବାକୁ ଚିଠି ନଂ ୧୬୨ରେ ବିଜ୍ଞପ୍ତି ଜାରି କରାଯାଇଥିଲା। ଧାର୍ଯ୍ୟ ଅବଧି ମଧ୍ୟରେ ହାଜର ହୋଇ ନିଜର ଅବସ୍ଥିତି ଓ ଜମିଜମା ବାବଦ ତଥ୍ୟ ଦାଖଲ ନକଲେ ପରବର୍ତ୍ତୀ ସମୟରେ କୌଣସି ଆପତ୍ତି ଅଭିଯୋଗ ଗ୍ରହଣ ହେବନି ବୋଲି ଏଥିରେ ଉଲ୍ଲେଖ ଥିଲା।

ଏ ସଂକ୍ରାନ୍ତୀୟ ସରକାରୀ ଚିଠି ଯଶିପୁର, ବାଙ୍ଗିରିପୋଷି, ଉଦଳା, କରଞ୍ଜିଆ, ଠାକୁରମୁଣ୍ଡା ଓ ଶାମାଖୁଣ୍ଟା ବ୍ଲକ୍‌ ପ୍ରଶାସନକୁ ମଧ୍ୟ ପଠାଯାଇଥିଲା। ତେବେ ପୂର୍ଣ୍ଣାଙ୍ଗ ଜାତୀୟ ଉଦ୍ୟାନ ପ୍ରସ୍ତାବ ପୂର୍ବରୁ ଅନେକ ଥର କାଟ୍‌ ଖାଇଥିବାରୁ ଏହାର କାରଣ ସମ୍ପର୍କରେ ତର୍ଜମା ନକରି ନିର୍ଦ୍ଦେଶ ଜାରି କରିଥିଲା ଜଙ୍ଗଲ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ। ଏ ନେଇ ବିଭିନ୍ନ ମହଲରେ ପ୍ରତିବାଦର ସ୍ବର ଉଠିବା ପରେ ଗଣଶିକ୍ଷା ତଥା ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିଲ୍ଲାପାଳ ବିନୀତ ଭରଦ୍ବାର ଆଜି ପତ୍ର ସଂଖ୍ୟା ୧୬୬ ଜରିଆରେ ଗତ ୪ ତାରିଖର ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ନେଇଛନ୍ତି। ଏଥିପ‌ାଇଁ ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲେ ବି ପ୍ରଶାସନର ଆଗଚଲା ନୀତିକୁ ନାପସନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର