ହକି ବିଶ୍ବକପ୍‌: ଶିବରାଜ ସିଂହଙ୍କୁ ଆମନ୍ତ୍ରଣ କଲେ ରୋହିତ ପୂଜାରୀ

ଭୁବନେଶ୍ବର: ଆସନ୍ତାମାସରେ ଓଡ଼ିଶାରେ ହେବାକୁ ଯାଉଥିବା ହକି ବିଶ୍ବକପ୍ ପାଇଁ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ନିମନ୍ତ୍ରଣ କରିବା ପାଇଁ ସରକାର ନିଷ୍ପତ୍ତି ‌ନେଇଛନ୍ତି। ନିକଟରେ ହୋଇଥିବା ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷ‌ୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଆଜି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କୁ ଭେଟିବା ସହ ତାଙ୍କୁ ଆମନ୍ତ୍ରଣ କରିଛନ୍ତି। ଚଳିତ ସପ୍ତାହ ଭିତରେ ରାଜ୍ୟ ସରକାରଙ୍କ ଅନ୍ୟ ମନ୍ତ୍ରୀମାନେ ଦେଶର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆମନ୍ତ୍ରଣ କରିବା ଲାଗି ସଂପୃକ୍ତ ରାଜ୍ୟ ଗସ୍ତ କରିବେ ବୋଲି ସୂଚନା ମିଳିଛି।

ଶ୍ରୀ ପୂଜାରୀ ଆଜି ସକାଳେ ଭୋପାଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଙ୍କୁ ଭେଟିବା ସହିତ ନିମନ୍ତ୍ରଣରେ ହକି ଇଣ୍ଡିଆ ଟି-ସାର୍ଟ ଓ ‌ଏକ ରୌପ୍ୟ ଅଶୋକ ଚକ୍ର ପ୍ରଦାନ କରିଥି‌ଲେ। ନିମନ୍ତ୍ରଣ ପାଇଁ ଶ୍ରୀ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇବା ସହିତ ଓଡ଼ିଶା ଆସିବା ନେଇ ବିଚାରବିମର୍ଶ କରୁଥିବା ସୂଚନା ଦେଇଛନ୍ତି। ଅପରପକ୍ଷରେ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନ ମନ୍ତ୍ରୀ କିରଣ ରିଜିଜୁ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ବିଶ୍ବକପ୍‌ରେ ଅତିଥିଭାବେ ଯୋଗଦେବା ଲାଗି ଆମନ୍ତ୍ରଣ କରିସାରିଛନ୍ତି।

ସମ୍ବନ୍ଧିତ ଖବର