ଅନୁଗୁଳରେ ଅଭାବନୀୟ ଘଟଣା: କୂଅରେ ପକାଇ ୩ମାସର ଯାଆଁଳା ଶିଶୁଙ୍କୁ ହତ୍ୟା

ବନ୍ତଳା: ଅନୁଗୁଳ ବ୍ଲକ୍‌ ବନ୍ତଳା ଥାନା ବସଲା ପଞ୍ଚାୟତରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। କୌଣସି କାରଣରୁ ଏହି ପଞ୍ଚାୟତ ମୁଣ୍ଡାଢିପର ସୁନୀଲ କୁମାର ସାହୁଙ୍କ ତିନି ମାସର ଯାଆଁଳା ଭାଇ ଭଉଣୀଙ୍କୁ କେହି ଅମାନୁଷିକ ଭାବରେ କୂଅରେ ପକାଇ ହତ୍ୟା କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ତିନିମାସ ତଳେ ବନ୍ତଳା ଥାନା ମୁଣ୍ଡାଢ଼ିପର ସୁନୀଲ କୁମାର ସାହୁ ଓ ତପସ୍ୱିନୀ ସାହୁଙ୍କ ଯାଆଁଳା ସନ୍ତାନ ଜନ୍ମ ହୋଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ପୁଅ ଓ ଜଣେ ଝିଅ ଥିଲେ। ବିବାହର ପ୍ରାୟ ୧୦ ବର୍ଷ ପରେ ଉଭୟଙ୍କ ଏପରି ଦୁଇ ସନ୍ତାନ ଜନ୍ମ ହେବା ଯୋଗୁଁ ଏହି ଦମ୍ପତିଙ୍କ ସହିତ ପରିବାର ଲୋକ ଖୁସିରେ ଥିଲେ। ପୁଅ ନାଁ ଦେଇଥିଲେ ସାଇ ଓ ଝିଅ ନାଁ ଶ୍ରଦ୍ଧା ରଖିଥିଲେ। ସୁନୀଲ ଅନୁଗୁଳର ଏକ ଶିଳ୍ପ କାରଖାନା ନିକଟରେ ଦୋକାନ କରିଥିବା ବେଳେ ଆଜି ଘରେ ନଥିଲେ। ମା’ ତପସ୍ୱିନୀ ଘରେ ଏକା ରହୁଥିଲେ।

ଆଜି ସନ୍ଧ୍ୟାରେ ତପସ୍ୱିନୀ ଦୁଇ ପୁଅ ଝିଅଙ୍କୁ ଘରେ ଶୋଇଦେଇ ନିକଟକୁ କ୍ଷୀର ଆଣିବାକୁ ଯାଇଥିଲେ। କିଛି ସମୟ ପରେ ସେ ଘରକୁ ଫେରିବା ବେଳକୁ ଘର ଭିତରେ ଲାଇଟ୍‌ଗୁଡ଼ିକ ବନ୍ଦ ହୋଇ ରହିଥିଲା। ଶୋଇଥିବା ସ୍ଥାନରେ ସାଇ ଓ ଶ୍ରଦ୍ଧା ନଥିବା ଦେଖି ଘରେ ଖୋଜାଖୋଜି କରିବା ସହ ପାଖ ପଡ଼ୋଶୀଙ୍କୁ ଡାକ ପକାଇଥିଲେ। ସମସ୍ତେ ବହୁ ଖୋଜାଖୋଜି ପରେ ମଧ୍ୟ ଭାଇ ଭଉଣୀଙ୍କ କୌଣସି ପତ୍ତା ପାଇ ନଥିଲେ। ପରେ ପରେ ଘର ନିକଟରେ ଥିବା ଏକ ଖୋଲା କୂଅ ଖୋଜିବା ପରେ ପାଣିରେ ଉଭୟଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଲୋକମାନେ କୂଅ ମଧ୍ୟରୁ ଉଭୟଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ଦୁଇ ଭାଇ-ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୁଲିସ ମେଡିକାଲ୍‌ରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ଲାଗି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତେବେ କିଏ କେଉଁ କାରଣରୁ ଏପରି ଅମାନୁଷିକ କାର୍ଯ୍ୟକଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର