ଟିକେଟ ବିଳମ୍ବ, ଆଶାୟୀ ଦ୍ବନ୍ଦ୍ବରେ: ସମସ୍ତେ ମିଶ୍ରଣ ପର୍ବରେ ବ୍ୟସ୍ତ

ନୂଆ ସମୀକରଣ ପାଇଁ ବିଳମ୍ବ ହେଉଛି

ଭୁବନେଶ୍ବର: ବିଜେଡି ପ୍ରଥମ ପର୍ଯ୍ୟାୟରେ ୭୨ ବିଧାନସଭା ଓ ୧୫ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା। ଏହା ମଧ୍ୟରେ ୫ ଦିନ ବିତିଗଲାଣି। ଆଉ କୌଣସି ଆସନରେ ପ୍ରାର୍ଥୀ ଘୋଷଣା ହୋଇନି। ବିଜେପି ପ୍ରଥମ ଦଳ ଭାବେ ‌ଏକାଥରେ ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା। ଏହାର ୬ ଦିନ ପରେ ଗତକାଲି ଅବଶିଷ୍ଟ ୩ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କଲା। କିନ୍ତୁ ବିଧାନସଭାର ଗୋଟିଏ ବି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରୁନି। ମାର୍ଚ୍ଚ ପ୍ରଥମ ସପ୍ତାହରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ ବୋଲି ଯଥେଷ୍ଟ ଆଗରୁ କହିଥିଲା। କିନ୍ତୁ ମାର୍ଚ୍ଚ ଶେଷ ସୁଦ୍ଧା ଗୋଟିଏ ବି ଆସନରେ ପ୍ରାର୍ଥୀ ଘୋଷଣା ହୋଇପାରିଲା ନାହିଁ। ଏପ୍ରିଲ୍‌ ପ୍ରଥମ ସପ୍ତାହରେ ହେବ ବୋଲି ଏବେ ଦଳ ପକ୍ଷରୁ କୁହାଯାଇଛି।

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ ମେ’ ୧୩ରେ। ଏହି ପର୍ଯ୍ୟାୟ‌ରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନସ୍ଥ ୨୮ଟି ବିଧାନସଭା ଆସନରେ ମତଦାନ ହେବ। ଏଥିପାଇଁ ଏପ୍ରିଲ ୧୮ ତାରିଖରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ। କିନ୍ତୁ ଏହି ଆସନଗୁଡ଼ିକରେ କୌଣସି ଦଳ ସମ୍ପୂର୍ଣ୍ଣ ପ୍ରାର୍ଥୀ ଦେଇନାହାନ୍ତି। ଫଳରେ ଲଢ଼େଇର ଚିତ୍ର ଏ ଯାଏ ସ୍ପଷ୍ଟ ହୋଇପାରୁନି। ତିନି ଦଳର ନେତା ଓ କର୍ମୀ ଏବେ ବି ଦ୍ବନ୍ଦ୍ବରେ ଅଛନ୍ତି।
ଏପଟେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମିଶ୍ରଣ ପର୍ବରେ ବ୍ୟସ୍ତ। ପ୍ରତି ଦିନ ଉଭୟ ଦଳର ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଜୋର୍‌ଦାର ଚାଲିଛି। ଦଳଡିଆଁ ବ୍ୟାପକ ହେବାରେ ଲାଗିଛି। ଏବେ ବିଭିନ୍ନ ଦଳର ବରିଷ୍ଠ ନେତାମାନେ ଦଳବଦଳ କରୁଥିବା ଦେଖିବାକୁ ମିଳୁଛି। ଜଗତସିଂହପରରୁ ରାଉରକେଲା, ବାଲେଶ୍ବରରୁ ଭୁବନେଶ୍ବର ସବୁଠି ଦଳଡିଆଁ ଚାଲିଛି। ଏହା ଏବେ ଏତେମାତ୍ରାରେ ଚାଲିଛି ଯେ କିଛି ନିର୍ବାଚନମଣ୍ଡଳୀରେ ରାଜନୈତିକ ସମୀକରଣ ଓଲଟପାଲଟ ହୋଇଗଲାଣି। ତେଣୁ ଉଭୟ ଦଳ ନିଜ ନିଜ ବାଟରେ ନୂଆ ସମୀକରଣରେ ରାଜନୈତିକ ଅଙ୍କ କଷୁଛନ୍ତି। ପୁରୁଣା ନେତା ଓ କର୍ମୀଙ୍କୁ ବୁଝାସୁଝା କରି ନୂଆମାନଙ୍କୁ ଟିକେଟ୍‌ ଦେବା ଏବେ ଉଭୟ ଦଳ ପାଇଁ ଚ୍ୟାଲେଞ୍ଜ୍ ହୋଇଛି। ସେଥିପାଇଁ ଟିକେଟ ଘୋଷଣାରେ ବିଳମ୍ବ ହେଉଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ପୁଣି ଯେଉଁଠି ଦଳର ସଂଗଠନ ଦୁର୍ବଳ, ସେଠାରେ ଅପରପକ୍ଷର ଯୋଗ୍ୟ ପ୍ରାର୍ଥୀଙ୍କୁ ମଧ୍ୟ ଅପେକ୍ଷା କରାଯାଇଛି। କିଛି ଆସନରେ ଏମିତି ଚିତ୍ର ସ୍ପଷ୍ଟ ହେଲାଣି। ତେଣୁ ପ୍ରାର୍ଥୀ ତାଲିକା କେବେ ଘୋଷଣା ହେବ, ତାହାର ସ୍ପଷ୍ଟ ଉତ୍ତର କାହା ପାଖରେ ନାହିଁ। ତେବେ ଏହି ମିଶ୍ରଣ ପର୍ବରେ କଂଗ୍ରେସ ପଛରେ ପଡ଼ିଯାଇଛି।

ସମୟ ଗଡ଼ୁଥିବାରୁ ଟିକେଟ ଆଶାୟୀଙ୍କ ଉତ୍କଣ୍ଠା ଓ ଉଦ୍‌ବେଗ ବଢ଼ିବାରେ ଲାଗିଛି। ଦୁଇ ଦଳର ମୁଖ୍ୟାଳୟରେ ପ୍ରତିଦିନ କେହି ନା କେହି ଆଶାୟୀ ନିଜ ସମର୍ଥକଙ୍କ ସହ ଆସି ଟିକେଟ ଦାବି କରୁଛନ୍ତି। ଏହା ଏବେ ବିଜେଡି ଓ ବିଜେପି ପାଇଁ ମୁଣ୍ଡବ୍ୟଥାର କାରଣ ହେଲାଣି। ଆଶାୟୀ ନେତାମାନେ ନିଜ ନିର୍ବାଚନମଣ୍ଡଳୀ ଛାଡ଼ି ରାଜଧାନୀରେ ଡେରା ପକାଇଛନ୍ତି। ବହୁ ନିର୍ବାଚନମଣ୍ଡଳୀରେ ଏକାଧିକ ଆଶାୟୀ ଥିବାରୁ ସେମାନଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି। କିଏ କେତେବେଳେ କାହାକୁ ଭେଟିଲେ, ତାହା ଉପରେ ନଜର ରହିଛି। ବିଜେଡିରେ ଶଙ୍ଖ ଭବନରେ ମିଶ୍ରଣ ପର୍ବ ଚାଲୁଥିଲେ ବି ସବୁ ରଣନୀତି ନବୀନ ନିବାସରେ ହିଁ ଚାଲିଛି। ସକାଳୁ ରାତି ଯାଏ ନବୀନ ନିବାସ ସାମ୍ନାରେ ଗହଳି ଚହଳି ଦେଖିବାକୁ ମିଳୁଛି। ଯେହେତୁ ନିର୍ବାଚନମଣ୍ଡଳୀ ୱାରି ସମୀକ୍ଷା ସରିଯାଇଛି, ଏବେ ବିଭିନ୍ନ ନିର୍ବାଚନମଣ୍ଡଳୀର ଆଶାୟୀ ନେତାଙ୍କୁ ଡାକି ବ୍ୟକ୍ତିଗତ ଭାବେ ଆଲୋଚନା କରାଯାଉଛି। ମଝିରେ ମଝିରେ ଶଙ୍ଖ ଭବନରେ ଛୋଟ ଛୋଟ ବୈଠକ ବି ହେଉଛି। କେଉଁ ନେତାଙ୍କୁ କେତେବେଳେ ଶଙ୍ଖ ଭବନ ଡକାଯାଉଛି, ତାହା ଉପରେ ଅନ୍ୟମାନଙ୍କର ବି ନଜର ରହିଛି। ପ୍ରତିଦିନ ଆଶାୟୀ ଓ ସେମାନଙ୍କ ସମର୍ଥକମାନେ ନବୀନ ନିବାସ ସାମ୍ନାରେ ଚକ୍କର କାଟୁଥିବା ଦେଖିବାକୁ ମିଳୁଛି। ଏପଟେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦିନତମାମ ଭିଡ଼ ଲାଗୁଛି। ‌ଗହଳି ବଢ଼ୁଥିବାରୁ ଅସ୍ଥାୟୀ ଟେଣ୍ଟ୍‌ ବାନ୍ଧି ଦିଆଯାଇଛି। ଦଳରେ ନୂଆ କରି ମିଶିଥିବା ନେତା ଓ ଅଭିନେତାମାନେ କାର୍ଯ୍ୟାଳୟରେ ବହୁ ସମୟ ରହୁଥିବା ଦେଖିବାକୁ ମିଳୁଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଘରେ ବି ଆଶାୟୀଙ୍କ ଭିଡ଼ ଜମୁଛି।

ସମ୍ବନ୍ଧିତ ଖବର