ଲଇଡ଼ା ପ୍ରସିଦ୍ଧ ବଏଲ୍ ଯାତ୍ରା ଆଜି    

ଲଇଡ଼ା: ରେଙ୍ଗାଲି ବ୍ଲକ୍‌ ଲଇଡ଼ାର ପ୍ରସିଦ୍ଧ ବଏଲ୍‌ ଯାତ୍ରା ରବିବାର ୯ ତାରିଖ ଦିନ ଅନୁଷ୍ଠିତ ହେବ। ଗତ ସପ୍ତମୀ ଦିନ ମା’ ପାଟଖଣ୍ଡା ଓ ଶୁକ୍ଲପକ୍ଷ ଅଷ୍ଟମୀ ଦିନ ଷୋହଳ ଖଣ୍ଡା ବିଧିବିଧାନ ବସାଯାଇଥିଲା। ଦଶହରା ସନ୍ଧ୍ୟାରେ ରଞ୍ଜିତା ଶୋଭାଯାତ୍ରା ହୋଇଥିଲା। ଏଥିପାଇଁ ଲଇଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ମନ୍ଦିରକୁ ରଙ୍ଗିନ ଆଲୋକରେ ସଜାଯାଇଛି। ସେହିପରି ଲଇଡ଼ାର ଚାରିପାଖ ମୁଖ୍ୟରାସ୍ତା ଓ ଛକଗୁଡ଼ିକରେ ବଡ଼ ବଡ଼ ରଙ୍ଗିନ ଆଲୋକର ତୋରଣ ମଧ୍ୟ ଲଗାଯାଇଛି। ଲଇଡ଼ା ଓ ଏହାର ଆଖପାଖ ଅଞ୍ଚଳ ଏବେ ଉତ୍ସବମୁଖର ହୋଇପଡ଼ିଛି। ଏହି ଅବସରରେ ଶନିବାରଠାରୁ ଆଧାର ମେମୋରିଏଲ ଦୁଇଦିନିଆ ଫୁଟ୍‌ବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଗତ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଚକୋଲେଟ ରଙ୍ଗମଞ୍ଚ ଅପେରା ଅନୁଷ୍ଠିତ ହେଉଛି।

୯ ତାରିଖ ରବିବାର ବଏଲ୍‌ ଯାତ୍ରା ଦିନ ରକ୍‌ଷ୍ଟାର ଅର୍କେଷ୍ଟ୍ରା, ଭୁବନେଶ୍ବରର ନାଇଟ କିଙ୍ଗ୍ ଡ୍ୟାନ୍ ଗ୍ରୁପ, ମା’ ବାସନ୍ତୀ ଦଣ୍ଡନୃତ୍ୟ, ତିଲକ କୃଷ୍ଣଗୁରୁ, ମା’ ଶକ୍ତିମୟୀ ଦଣ୍ଡନୃତ୍ୟ ଓ ମା’ ଶେରାବାଳୀ କୃଷ୍ଣଗୁରୁ ଅନୁଷ୍ଠିତ ହେବ। ସେହିପରି ବଏଲ ଯାତ୍ରା ପରଦିନ ସୋମବାର ମା’ ତୋର ସାହାରା ଅର୍କେଷ୍ଟ୍ରା ଓ ଖୁସି ଏଣ୍ଡ ଖୁସି ଡ୍ୟାନ୍ ଗ୍ରୁପର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ସନ୍ଧ୍ୟାରେ ବରୁଆ ମନ୍ଦିରରୁ ଲଇଡାର ସମସ୍ତ ପଡା ଓ ରଙ୍ଗଟିକ୍ରା ଗ୍ରାମ ପରିକ୍ରମା କରି ମଢ଼େଇ ଗ୍ରହଣ କରିବେ। ସୋମବାର ଅପରାହ୍ଣ ମନ୍ଦିରକୁ ଫେରିଆସିଲା ପରେ ଯାତ୍ରା ସମ୍ପନ୍ନ ହେବ। ଯାତ୍ରାର ସମସ୍ତ ପୂଜାର୍ଚ୍ଚନାରେ ଜମିଦାତା ପୃଥ୍ବୀରାଜ ସିଂହ ମୁଖ୍ୟ କର୍ତ୍ତା ଓ କ୍ଷୀରୋଦ ପୂଝାରୀ ମୁଖ୍ୟ ପୂଜକ ଭାବେ ଉପସ୍ଥିତ ରହି କାର୍ଯ୍ୟ ସଂପାଦନା କରୁଛନ୍ତି। ଶାନ୍ତି ଶୃଙ୍ଖଳା ପାଇଁ କତରବଗା ଥାନା ଓ ଲଇଡା ଫାଣ୍ଡି ପକ୍ଷରୁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି ବ‌ୋଲି କମିଟି ତରଫରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର