ଆଦିବାସୀ ଶିକ୍ଷଣ ସାଧନ କେନ୍ଦ୍ର ଉଦ୍‌ଘାଟିତ, ‘ଆଦିବାସୀଙ୍କ ଅସ୍ମିତାର କଥା କହିବ’

ନୀଳଗିରି: ଆଧୁନିକତାର ପ୍ରଭାବରେ ଧୀରେ ଧୀରେ ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ହଜିଯାଉଛି। ସେମାନେ ବ୍ୟବହାର କରୁଥିବା ନିତ୍ୟ ବ୍ୟବହାର୍ଯ୍ୟ ଓ ଆନୁସଂଗିକ ସାମଗ୍ରୀ ଲୋପ ପାଇଯାଉଛି। ସେହିପରି ଭାଷା ବି ବିପଦରେ। ଫଳରେ ଏସବୁକୁ ବଞ୍ଚାଇ ରଖିବା ପାଇଁ ବିଭିନ୍ନ ପ୍ରକାର ଉଦ୍ୟମ ଚାଲିଛି। ସେହିପରି ଏକ ଉଦ୍ୟମ କରିଛି ନୀଳଗିରି ଶିକ୍ଷା ବିଭାଗ। ବିଭାଗ ପକ୍ଷରୁ ଆଦିବାସୀଙ୍କ ସଂସ୍କୃତି, ପରମ୍ପରା, ଜୀବନଶୈଳୀ ସହ ଜଡ଼ିତ ବିଭିନ୍ନ ସାମଗ୍ରୀକୁ ସଂଗ୍ରହ କରାଯାଇଛି ଏବଂ ନିଜିଗଡ଼ଠାରେ ଏକ ଶିକ୍ଷଣ ସାଧନ କେନ୍ଦ୍ର ଖୋଲାଯାଇ ରଖାଯାଇଛି। ଯାହା ଛାତ୍ରଛାତ୍ରୀ, ଗବେଷକ ପର୍ଯ୍ୟଟକଙ୍କ ପାଇଁ ବେଶ୍‌ ଫଳପ୍ରଦ ହେବ ବୋଲି କୁହାଯାଇଛି। ଉକ୍ତ କେନ୍ଦ୍ରଟି ଗତକାଲି ଉଦ୍‌ଘାଟିତ ହୋଇଛି। ଏନେଇ ଏକ ସଭା ହୋଇଥିଲା। ସଭାରେ ନୀଳଗିରି ଗୋଷ୍ଠୀ ଶିକ୍ଷାଧିକାରୀ ସ୍ନିଗ୍ଧା ପଣ୍ଡା ପୌରୋହିତ କରିଥିଲେ।

ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ମନ୍ଦରଧର ମହାଳିକ ଯୋଗଦେଇ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁମୋହନ ସୂତାର, ଏନ୍‌ଏସି ଅଧ୍ୟକ୍ଷା ଅମ୍ବିକା ଦାସ, ବ୍ଲକ୍‌ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ପବିତ୍ରମୋହନ ବାରିକ, କେସି ହାଇସ୍କୁଲ୍‌ର ପ୍ରଧାନଶିକ୍ଷକ ଭୀମସେନ ବିଶ୍ୱାଳ, ଆଦିବାସୀ ଶିକ୍ଷଣ କେନ୍ଦ୍ରର ଯୁଗ୍ମ ସଂଯୋଜକ ମଞ୍ଚାସୀନ ରହି ଉକ୍ତ ଶିକ୍ଷକ ସାଧନ କେନ୍ଦ୍ର ଆଦିବାସୀଙ୍କ ଅସ୍ମିତାର କଥା କହିବ ବୋଲି ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୀଳଗିରି ଅଞ୍ଚଳର ଅନେକ ଆଦିବାସୀ ନେତା ଓ ଜନତା ଉପସ୍ଥିତ ଥିଲେ। ବିଆର୍‌ସିସି ଯୋଗେନ୍ଦ୍ର ସେଠୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କେସି ହାଇସ୍କୁଲ୍‌ର ଶିକ୍ଷକ ବିନୋଦ ବିହାରୀ ପଣ୍ଡା ଧନ୍ୟବାଦ ଦେଇଥିଲେ। ଅତିଥିମାନଙ୍କୁ ପାରମ୍ପରିକ ଆଦିବାସୀ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ସ୍ୱାଗତ କରାଯିବା ସହ ସଭାସ୍ଥଳକୁ ଅଣାଯାଇଥିଲା।

ସମ୍ବନ୍ଧିତ ଖବର