ଜାନକୀବଲ୍ଲଭ ଥିଲେ ସର୍ବଗୁଣ ସଂପନ୍ନ: ପ୍ରଫୁଲ୍ଲ

ଶ୍ରାଦ୍ଧସଭାରେ ଶ୍ରଦ୍ଧାଞ୍ଜଳି

କଟକ : ‘ପ୍ରଜାତନ୍ତ୍ର’ ସଂପାଦକ ଭାବେ ୧୯୬୪ ମସିହା ଛାତ୍ର ଆନ୍ଦୋଳନକୁ ଦୁର୍ବାର କରିବାରେ ଜାନକୀବଲ୍ଲଭ ପଟ୍ଟନାୟକ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ସେହିଦିନରୁ ତାଙ୍କ ବାଗ୍ମିତା, ପ୍ରତିଭାରେ ଆମେ ପ୍ରଭାବିତ ହୋଇଥିଲୁ। ପରବର୍ତ୍ତୀ ସମୟରେ ସେ ମୁଖ୍ୟମନ୍ତ୍ରୀ ଥିଲାବେଳେ ଆମେ ବିରୋଧୀ ଦଳରେ ଥିଲୁ। ବିଧାନସଭାରେ ତାଙ୍କୁ ବିରକ୍ତ, ବିଚଳିତ କଲା ଭଳି ଅନେକ ପ୍ରଶ୍ନ କରୁଥିଲୁ। କିନ୍ତୁ ସେ ଅତ୍ୟନ୍ତ ଧୈର୍ଯ୍ୟ, ଶାନ୍ତ, ଶାଳୀନ ଭାବେ ସମସ୍ତ ଉତ୍ତର ଦେଉଥିଲେ। ସାହିତ୍ୟ, ସାମ୍ବାଦିକତା, ସଂସ୍କୃତି ଆଦି ସବୁ କ୍ଷେତ୍ରରେ ଜାନକୀବଲ୍ଲଭ ପଟ୍ଟନାୟକ ଅସାଧାରଣ ଥିଲେ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ।

କଟକର ସାରଳା ଭବନରେ ଜାନକୀବଲ୍ଲଭ ପଟ୍ଟନାୟକ ସ୍ମାରକୀ ପ୍ରତିଷ୍ଠାନ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ, ବିଶିଷ୍ଟ ସାହିତ୍ୟିକ, ସାମ୍ବାଦିକ, ବାଗ୍ମୀ ତଥା ଜନନାୟକ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ‌ବରେଣ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଘଡ଼ାଇ କହିଥିଲେ ଯେ, ଓଡ଼ିଶାର ବହୁ ମୁଖ୍ୟମନ୍ତ୍ରୀଙ୍କ ସହିତ କାମ କରିବାର ସେ ସୁଯୋଗ ପାଇଛନ୍ତି। କିନ୍ତୁ ଜାନକୀବଲ୍ଲଭ ପଟ୍ଟନାୟକ ଥିଲେ ସର୍ବଗୁଣସଂପନ୍ନ ରାଜନେତା ଓ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ବିକାଶ ପାଇଁ ସେ ସର୍ବଦା ସ୍ବପ୍ନ ଦେଖୁଥିଲେ ଏବଂ ସେହି ଅନୁଯାୟୀ କାର୍ଯ୍ୟ ମଧ୍ୟ କରୁଥିଲେ। ହଜାରେ ଦିନରେ ହଜାରେ ଶିଳ୍ପ ତାଙ୍କର ନିଆରା ପରିକଳ୍ପନା ବୋଲି ଶ୍ରୀ ଘଡ଼ାଇ କହିଥିଲେ।

ଜାନକୀବଲ୍ଲଭଙ୍କ ଭଳି ଗଣତନ୍ତ୍ରପ୍ରେମୀ, ଦେଶପ୍ରେମୀ ମୁଖ୍ୟମନ୍ତ୍ରୀ ବିରଳ: ବିଜୟ
କୃଷ୍ଣା ମହାନ୍ତି, ଗୋବିନ୍ଦ ସାହୁ, ଅରୁଣ ପଣ୍ଡାଙ୍କୁ ଜାନକୀବଲ୍ଲଭ ସ୍ମାରକୀ ସମ୍ମାନ

କାର୍ଯ୍ୟକ୍ରମର ଅନ୍ୟତମ ବରେଣ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର କହିଥିଲେ ଯେ, ଜାନକୀବଲ୍ଲଭଙ୍କୁ ମୂଲ୍ୟାୟନ କରିବା ସହଜ ନୁହେଁ। ତାଙ୍କ ଭଳି ଗଣତନ୍ତ୍ରପ୍ରେମୀ‌ କୌଣସି ମୁଖ୍ୟମନ୍ତ୍ରୀ ହେବେନାହିଁ। ବାଲିଆପାଳ କ୍ଷେପଣାସ୍ତ୍ର ଘାଟି ନିର୍ମାଣ ସମୟରେ ରାଜ୍ୟ ସାରା ଗଣଆନ୍ଦୋଳନ ଚାଲିଥିଲା। ମୁଖ୍ୟମନ୍ତ୍ରୀ ଭାବେ ଜାନକୀବଲ୍ଲଭ ପଟ୍ଟନାୟକ ତତ୍କାଳୀନ ବିରୋଧୀ ଦଳ ନେତା ବିଜୁ ପଟ୍ଟନାୟକଙ୍କ ସହ ଆଲୋଚନା କରି ଏହି ଜାତୀୟ ପ୍ରସଙ୍ଗକୁ ଯେଭଳି ସମାଧାନ କଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କଲା ବୋଲି ଶ୍ରୀ ମହାପାତ୍ର କହିଥିଲେ। ସରକାର ଓ ବିରୋଧୀ ଦଳ କିପରି କାର୍ଯ୍ୟ କରିବା ଦରକାର, ତାହା ଜାନକୀବଲ୍ଲଭଙ୍କ ଠାରୁ ଶିଖିବା କଥା। ହୀରାକୁଦ ବନ୍ଧ ତଳେ ଆଉ ଦୁଇଟି ନଦୀବନ୍ଧ ନିର୍ମାଣ କରି ହୀରାକୁଦ ବନ୍ଧକୁ ସଂପୂର୍ଣ୍ଣ କରିବାକୁ ‌ତାଙ୍କର ପରିକଳ୍ପନା ଥିଲା। କିନ୍ତୁ, ବିଭିନ୍ନ କାରଣରୁ ତାହା ଅଧୁରା ରହିଗଲା। ଆଗାମୀ ଦିନରେ ରାଜ୍ୟର ୧୪ଟି ଜିଲ୍ଲା ଜଳଶୂନ୍ୟ ‌ହୋଇଯିବ। ଏକଥା ବର୍ତ୍ତମାନର ସରକାର ଜାଣିପାରୁ ନାହାନ୍ତି।

ସେହିପରି ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ତାଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ଏକ ଫଣ୍ଡାମେଣ୍ଟାଲ ଫଣ୍ଡ ଆଇନ ହୋଇଥିଲା। ଏବେ ଶ୍ରୀମନ୍ଦିର ହୁଣ୍ଡିରୁ ସଂଗ୍ରହ ଅର୍ଥର ହିସାବ କାହା ପାଖରେ ନାହିଁ ବୋଲି ଶ୍ରୀ ମହାପାତ୍ର କହିଥିଲେ। ତାଙ୍କ ଭଳି ଶାସନଗତ ଅଭିଜ୍ଞତା ଆଉ ଓଡ଼ିଶାରେ ନାହିଁ। ଏବେ କ୍ୟାବିନେଟ୍ ବସୁ ନାହିଁ। ମୁଷ୍ଟିମେୟ ଆଇଏଏସ୍ ଅଧିକାରୀ ଶାସନ କରୁଛନ୍ତି ବୋଲି ଶ୍ରୀ ମହାପାତ୍ର କହିଥିଲେ। ବିଜେଡି ଦଳ ଗଢ଼ିବା ବେଳେ ମୋର(ବିଜୟ ମହାପାତ୍ର) ଚରମ କ୍ଷତି ହେବ ବୋଲି ସେ କରିଥିବା ଭବିଷ୍ୟତବାଣୀ ସଂପୂ୍ର୍ଣ୍ଣ ଠିକ୍ ହୋଇଛି ବୋଲି ଶ୍ରୀ ମହାପାତ୍ର କହିଥିଲେ। ଗଠନମୂଳକ କାର୍ଯ୍ୟରେ ତାଙ୍କ ଭଳି ନିଷ୍ଠା, ଆନ୍ତରିକତା କାହାର ନାହିଁ। ତାଙ୍କ ଭଳି ଗଣତନ୍ତ୍ରପ୍ରେମୀ, ଦେଶପ୍ରେମୀ ମୁଖ୍ୟମନ୍ତ୍ରୀ ଏବେ ବିରଳ ବୋଲି ଶ୍ରୀ ମହାପାତ୍ର କହିଥିଲେ।

ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନର ସଭାପତି ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ସାଧାରଣ ସଂପାଦକ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି କହିଲେ ଯେ, ଜାନକୀବଲ୍ଲଭ ଥିଲେ ବହୁମୁଖୀ ପ୍ରତିଭାର ସଫଳ ଅଧିକାରୀ। ଏହି ସମାରୋହ‌ରେ କୃଷ୍ଣା ମହାନ୍ତିଙ୍କୁ ସମାଜସେବା, ଇଞ୍ଜିନିୟର ଗୋବିନ୍ଦ ଚନ୍ଦ୍ର ସାହୁଙ୍କୁ ସାହିତ୍ୟ ଓ ଅରୁଣ କୁମାର ପଣ୍ଡାଙ୍କୁ ସାମ୍ବାଦିକତା ପାଇଁ ପ୍ରତିଷ୍ଠାନ ପକ୍ଷରୁ ଚଳିତବର୍ଷର ଜାନକୀବଲ୍ଲଭ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଥିଲା। ଡକ୍ଟର ବିଜୟଲକ୍ଷ୍ମୀ ଦାଶ, ଗୀତା ଖୁଣ୍ଟିଆ ଓ ଅଧ୍ୟାପିକା ମୀରା ବେଉରା ସମ୍ମାନିତ ପ୍ରତିଭାଙ୍କ ମାନପତ୍ରପାଠ କରିଥିଲେ।

ପ୍ରତି‌ଷ୍ଠାନର ଅନ୍ୟତମ କର୍ମକର୍ତ୍ତା ଡକ୍ଟର ଇଞ୍ଜିନୟର ପ୍ରଭାକର ସ୍ବାଇଁ ଜାନକୀବଲ୍ଲଭଙ୍କୁ ସାହିତ୍ୟ, ରାଜନୀତି ଓ ସାମ୍ବାଦିକତାର ତ୍ରିବେଣୀ ସଂଗମ ଭାବେ ବର୍ଣ୍ଣନା କରିଥିଲେ। କର୍ମଭୂମି କଟକ ସହରରେ ଜାନକୀବଲ୍ଲଭଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି କରିବା ସହିତ ସହରର ଏକ ରାସ୍ତାକୁ ଜାନକୀବଲ୍ଲଭ ମାର୍ଗରେ ନାମିତ କରିବାକୁ ଡକ୍ଟର ସ୍ବାଇଁ ଦାବି କରିଥ‌ିଲେ। ଅନ୍ୟତମ କର୍ମକର୍ତ୍ତା ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ କହିଥିଲେ ଯେ ଜାନକୀବଲ୍ଲଭ ଥିଲେ ସଫଳ ଜନନାୟକ। ତାଙ୍କୁ ଏବେ ବି ଓଡ଼ିଶା ଆଉ କଂଗ୍ରେସ ଝୁରୁଛି ବୋଲି ଶ୍ରୀ ମୋକିମ କହିଥିଲେ। ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଜାନକୀବଲ୍ଳଭଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଇନଜୀବୀ ଇଞ୍ଜିନିୟର ଆକାଶ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସମାରୋହରେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ସାବିତ୍ରୀ ଚୌଧୁରୀ, ନଟବର ଖୁଣ୍ଟିଆ, ଇଞ୍ଜିନିୟର ରାଜେନ୍ଦ୍ର ନାରାୟଣ ଦାସ, ଡକ୍ଟର ପ୍ରଭାତ କୁମାର ମିଶ୍ର, ପ୍ରଫେସର ଡକ୍ଟର ସତ୍ୟକାମ ମିଶ୍ର, ଡକ୍ଟର ହେମେନ୍ଦ୍ର ନାରାୟଣ ଦାସ, ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ, ଡକ୍ଟର ସଂଗୀତା ରଥ, ଆଇନଜୀବୀ ଦେବସ୍ନାନ ଦାସ, ନାରାୟଣ ଦ୍ବିବେଦୀଙ୍କ ସମେତ ବହୁ ବିଶିଷ୍ଟ ରାଜନେତା, ସାହିତ୍ୟିକ, ବୁଦ୍ଧିଜୀବୀ, ଆଇନଜୀବୀ ଶ୍ରାଦ୍ଧସଭାରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର