ଉଲିବୁର ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତା ତୃତୀୟ ଥର ଇଡିରେ ହାଜର

ଭୁବନେଶ୍ବର: କେନ୍ଦୁଝର ଉଲିବୁର ଖଣି ଦୁର୍ନୀତି ମାମଲାରେ ଆଜି ପୁଣି ଦୀପକ ଷ୍ଟିଲ୍‌ ଆଣ୍ଡ ପାୱାର୍‌ ଲିମିଟେଡ୍‌(ଡିଏସ୍‌ପିଏଲ୍‌)ର ମୁଖ୍ୟ ଦୀପକ ଗୁପ୍ତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଥିଲେ। ସୋମବାର ଦିନ ଦୀପକ ଗୁପ୍ତା ଓ ତାଙ୍କ ଭାଇଙ୍କୁ ଇଡି ଅଧିକାରୀ ମାରାଥନ ଜେରା କରି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଥିଲା। ଆଜି ପୁଣି ଦୀପକଙ୍କୁ ଜେରା ପରେ ଏକ ବଡ଼ ଧରଣର ଘଟଣା ଘଟିବାକୁ ଯାଉଥିବା ସଂକେତ ଦେଇଛି। କାରଣ ଗତ ୧୨ ତାରିଖରେ ଡିଏସ୍‌ପିଏଲ୍‌ର ମୁଖ୍ୟ ଦୀପକ ଗୁପ୍ତାଙ୍କ ବାପା ହରିଚରଣ ଗୁପ୍ତା, ଅନ୍ୟ ନିର୍ଦ୍ଦେଶକ ଓ ଚାର୍ଟାଡ ଆକାଉଣ୍ଟ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସଂସ୍ଥାର ୫ ନିର୍ଦ୍ଦେଶକ ଓ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ସେମାନଙ୍କ ଆର୍ଥିକ କାରବାର ଦିଗକୁ ନେଇ ମାରାଥନ ଜେରା କରାଯାଇଥିଲା। ସେହିପରି ସ୍ନେହପୁଷ୍ପ ମାର୍କେଟିଂ କମ୍ପାନିର କର୍ମକର୍ତ୍ତାଙ୍କୁ ମଧ୍ୟ ଜେରା କରାଯାଇଥିଲା।

ପ୍ରକାଶ ଥାଉ କି, ୧୮୦୦ କୋଟିର ଏହି ଦୁର୍ନୀତି ମାମଲାରେ ମାର୍ଚ୍ଚ ୧ ତାରିଖରେ ଇଡି ଭୁବନେଶ୍ୱର ସମେତ ଯୋଡ଼ା, ବଡ଼ବିଲ, ରାଉରକେଲାର ୧୨ଟି ସ୍ଥାନରେ‌ ଏକକାଳୀନ ଚଢ଼ଉ କରିଥିଲା। ଏହାକୁ ଆଧାର କରି ଦୀପକ ଷ୍ଟିଲ୍‌ ଆଣ୍ଡ୍‌ ପାୱାର୍‌ ଏବଂ ସ୍ନେହପୁଷ୍ପ ମାର୍କେଟିଂ କର୍ମକର୍ତ୍ତା ତଥା ନିର୍ଦ୍ଦେଶକ ଓ ସହଯୋଗୀଙ୍କ ଘରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ନଗଦ ୩୦ ଲକ୍ଷ ଟଙ୍କା,ଏକ କୋଟି ୨୪ ଲକ୍ଷର ୨ କେଜି ସୁନା ଗହଣା ସମେତ ଏକ ଭୋଲ୍‌ଭୋ କାର୍‌ ଜବତ କରିଥିଲା। ଇଡି ପକ୍ଷରୁ ସୂଚନା ଦିଆଯାଇଥିଲା ଯେ କମ୍ପାନି ନକଲି ନିର୍ଦ୍ଦେଶକଙ୍କ ଜରିଆରେ ଖଣି ଦୁର୍ନୀତିରେ ଲିପ୍ତ ରହିଥିଲା। ପ୍ରଥମେ ଭିଜିଲାନ୍ସ ଯାଞ୍ଚ କରିଥିବା ବେଳେ ପରବର୍ତ୍ତୀ ସମୟରେ ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାତକୁ ଯାଇଥିଲା।

ସମ୍ବନ୍ଧିତ ଖବର