ପାଣି ସମସ୍ୟାର ବିକଳ ଚିତ୍ର: ରାତି ୪ରୁ ଲାଗୁଛି ଲମ୍ବା ଧାଡ଼ି

କାମରେ ଲାଗୁନି ସୌରଚାଳିତ ପାଣି ପ୍ରକଳ୍ପ

ରାଜକନିକା : ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଦୂର ଲାଗି ସରକାର ଥାକଥାକ ଯୋଜନା କରୁଛନ୍ତି। କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ, ରାଜକନିକା ବ୍ଲକ୍‌ ବରାଡ଼ିଆ ପଞ୍ଚାୟତର ରାଜସ୍ବ ଗ୍ରାମ ବାଘୁଆଶୁଣିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି ଗ୍ରାମରେ ବସବାସ କରୁଥିବା ୨୫୦ ଲୋକ ପାଣି ପାଇଁ ଦହଗଂଜ ହେଉଛନ୍ତି। ରାତି ୪ଟାରୁ ସେମାନଙ୍କୁ ଲମ୍ବା ଧାଡ଼ି ବାନ୍ଧି ପାଣି ପାଇଁ ଅପେକ୍ଷା କରିବାକୁ ପଡ଼ୁଛି।

ସୂଚନା ଅନୁସାରେ, ବାଘୁଆଶୁଣି ଗ୍ରାମରେ ରହିଛି ଦୁଇଟି ନଳକୂପ। ସେଥିରୁ ଗୋଟିଏ କାମରେ ଲାଗୁନି। ଲୁଣା ଓ କଳଙ୍କିଯୁକ୍ତ ପାଣି ବାହାରୁଛି। ଗାଁର ଶେଷ ମୁଣ୍ଡରେ ଥିବା ଗୋଟିଏ ନଳକୂପ ଉପରେ ଗାଁର ସମସ୍ତ ଲୋକେ ନିର୍ଭର କରୁଛନ୍ତି l ଏହି ନଳକୂପରୁ ପାଣି ନେବା ଲାଗି ମହିଳାମାନେ ଗରା, ବାଲ୍‌ତି ଧରି ରାତି ୪ଟାରୁ ଲମ୍ବା ଧାଡ଼ି ଲଗାଉଥିବା ଦେଖିବାକୁ ମିଳୁଛି। ଏହି ଗ୍ରାମରେ ପାନୀୟ ଜଳ ସମସ୍ୟାର ସମାଧାନ ଲାଗି ରାଜକନିକା ପଞ୍ଚାୟତ ସମିତି ପକ୍ଷରୁ ୨୦୨୧-୨୨ ମସିହାରେ ଚାରି ଲକ୍ଷ ଟଙ୍କା ବ୍ୟୟରେ ସୌରଶକ୍ତିଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଗାଁ ଲୋକେ ଭାବିଥିଲେ ଏହି ପ୍ରକଳ୍ପ ସେମାନଙ୍କ ସମସ୍ୟା ଦୂରେଇ ଦେବ। ହେଲେ, ସେମାନଙ୍କ ସମସ୍ୟା ସମସ୍ୟାରେ ରହିଗଲା। ଏହି ସୌରଚାଳିତ ପ୍ରକଳ୍ପ ନିର୍ମାଣପରଠୁ କାମରେ ଲାଗୁନି।

ପ୍ରକଳ୍ପରୁ ଆଜିଯାଏ ପାଣି ଟୋପେ ବାହାରି ନାହିଁ l ପ୍ରକଳ୍ପରେ ଲାଗିଥିବା ମଟର୍‌ ପାଣି ଉଠାଇ ନ ପାରିବା‌ରୁ ଏଭଳି ସମସ୍ୟା ଉପୁଜିଛି। ରାଜକନିକା ବିଡିଓ ରବି ନାରାୟଣ ଆଚାର୍ଯ୍ୟ କହିଛନ୍ତି, ସୌର ପ୍ରକଳ୍ପ ଅଚଳ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି। ଗ୍ରାମରେ ଅନ୍ୟ ଏକ ସୌରଚାଳିତ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ବିଡିଓ ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର