ଛାରଖାର କରିଦେଲା ବର୍ଷା: କେଉଁଠି ରାସ୍ତା ବୁଡ଼ିିଛି ତ କେଉଁଠି ଘରେ ପଶିଛି ପାଣି

ଭୁବନେଶ୍ବର: ଗତକାଲି ରାଜ୍ୟର ବିଭିିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇ ବହୁ କ୍ଷୟକ୍ଷତି ହୋଇଛି। କେଉଁଠି ପାଣି ଜମି ବଜାର ବୁଡ଼ି ଯାଇଛି ତ କେଉଁଠି ରାସ୍ତା। ଲୋକମାନେ ଯିବାସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ପିଲାମାନଙ୍କ ସ୍କୁଲ୍‌ ଛୁଠି ଘୋଷଣା ହୋଇଛି। ଗତକାଲି ବର୍ଷାକୁ ନେଇ କିଛି ରିପୋର୍ଟ ନିମ୍ନରେ ଉଲ୍ଲେଖ କରାଯାଇଛି।

ଲଗାଣ ବର୍ଷାରେ ବେହାଲ ସୁନ୍ଦରଗଡ଼ ସହର, ଘରେ ପଶିଲା ପାଣି
ସୁନ୍ଦରଗଡ଼: ଗୁରୁବାର ଅପରାହ୍ନରୁ ଲାଗି ରହିଥିବା ବର୍ଷାରେ ସୁନ୍ଦରଗଡ଼ ସହର ବେହାଲ ହୋଇପଡ଼ିଛି। ସହରର ଡେଙ୍ଗିଭାଡ଼ି, ବିଜୟା ଟକକିଜ ରୋଡ, ରାଣୀବଗିଚା, ମିଶନ ଅଞ୍ଚଳରେ ଘରେ ପଶିଛି ପାଣି। ରାତିରେ ଲୋକେ ଦହଗଞ୍ଜ ହୋଇଛନ୍ତି। ଡ୍ରେନେଜ ବ୍ୟବସ୍ଥା ଠିକ୍ ନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନପାରି ଲୋକଙ୍କୁ ହୀନସ୍ତା କରିଥିବା ଅଭିଯୋଗ ହୋଇଛି। ତେବେ ରାତିରେ ଏସବୁ ଅଞ୍ଚଳରୁ ଜଳ ନିଷ୍କାସନ ନେଇ ପୌରପାଳିକା ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇପାରି ନାହିଁ।

ବରଗଡ଼ ଜିଲ୍ଲାରେ ବର୍ଷା ବିତ୍ପାତ

ବରଗଡ଼: ବୁଧବାର ରାତିରୁ ଲଗାଣ ବର୍ଷା ବରଗଡ଼ ଜିଲ୍ଲାବାସୀଙ୍କ ପାଇଁ ଚିନ୍ତା ବଢ଼ାଇଛି। ଲଗାଣ ବର୍ଷା ବିଭିନ୍ନ ସ୍ଥାନକୁ ବୁଡ଼ାଇ ଦେଇଛି। ଗାଁଠୁ ଆରମ୍ଭ କରି ସହର, ସବୁଠି ପାଣି ଢେଉ ମାରୁଛି। ବୁଧବାର ରାତିସାରା ଏବଂ ଗୁରୁବାର ଦିନ ତମାମ ନିରନ୍ତର ବର୍ଷା ସ୍ଥିତି ବିଗାଡ଼ି ଦେଇଛି। ବର୍ଷା ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଜିଲ୍ଲାବାସୀ ଆତଙ୍କିତ ଅବସ୍ଥାରେ। ବୁଧବାର ଦିନ ତମାମ ଜିଲ୍ଲାରେ ୫୧୦ ମିମି ବର୍ଷା ରେକର୍ଡ ହୋଇଛି। ଅତାବିରା ବ୍ଲକରେ ସର୍ବାଧିକ ୧୧୬ମିମି ବର୍ଷା ହୋଇଛି। ତା’ ପଛକୁ ରହିଛି ପଦ୍ମପୁର ବ୍ଲକ (୯୮ମିମି)। ଗୁରୁବାର ଜିଲ୍ଲାର ସବୁ ବ୍ଲକ୍‌ରେ ବର୍ଷା ଛେଚିଛି। ଭେଡ଼େନ ବ୍ଲକ୍‌ରେ ସର୍ବାଧିକ ୬୫.୩ ମିମି ବର୍ଷା ହୋଇଛି। ଅମ୍ବାଭୋନା, ଭଟଲି, ବିଜେପୁର ଏବଂ ଝାରବନ୍ଧରେ ବିକ୍ଷିପ୍ତ ବର୍ଷା ହୋଇଥିବା ବେଳେ ଅନ୍ୟ ବ୍ଲକ୍‌ଗୁଡ଼ିକରେ ପ୍ରବଳ ବର୍ଷିଛି। ଶହଶହ ହେକ୍ଟର ଜମି ପାଣି ଘେରରେ ରହିଛି। ସାଂଘାତିକ ବର୍ଷା ସତ୍ତ୍ବେ ଜିଲ୍ଲାରେ କିଛି ଅଘଟଣ ଘଟିନାହିଁ। କେତେକ ସ୍ଥାନରେ ମାଟି ଘର ଭାଂଗି ଯାଇଥିଲେ ହେଁ କେହି ମୃତାହତ ହୋଇନାହାନ୍ତି। ବରଗଡ଼ ସହରରେ ସ୍ଥିତି ବେହାଲ ହୋଇଛି। ତଳିଆ ଅଞ୍ଚଳରେ ଥିବା ପଡ଼ାରେ ପାଣି ପଶିଛି।

ବର୍ଷାରେ ବେହାଲ ଟିଟିଲାଗଡ଼ ସହର

ଟିଟିଲାଗଡ଼: ଟିଟିଲାଗଡ଼ ସହରରେ ଭୀଷଣ ମାତ୍ରାରେ ବର୍ଷା ଲାଗି ରହିବା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ମୁଖ୍ୟ ରାସ୍ତା ଉପରେ ଦୁଇ ଫୁଟର ବର୍ଷାପାଣିର ସୁଅ ଛୁଟୁଛି। ଅନେକ ତଳିଆ ଅଞ୍ଚଳରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ନୀଳଚକ୍ରନଗର, ହାଇସ୍କୁଲପଡ଼ା, ଗାର୍ଲସ ହାଇସ୍କୁଲପଡ଼ା, କଟକିଆପଡ଼ା, ଗୋରୁବଜାରପଡ଼ାରେ ରାସ୍ତା ଉପରେ ବର୍ଷାପାଣି ଲହଡ଼ି ମାରୁଥିଲା। ହାଟପଦାପଡ଼ା, ବୈଷ୍ଣବୀ ବିହାର, ଘଣ୍ଟାଶୁଣିପଡ଼ା, ନେହରୁନଗର, ଅଶୋକନଗର, ସର୍ଗିଗୁଡ଼ା ଆଦିର ତଳିଆ ଅଞ୍ଚଳର ଅନେକ ଘରକୁ ବର୍ଷାପାଣି ପଶିଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସହରରେ ବର୍ଷାଜଳ ନିଷ୍କାସନ ପାଇଁ ଠିକ ବ୍ୟବସ୍ଥା ନଥିବାରୁ ନର୍ଦମା ପାଣି ସହରର ମୁଖ୍ୟରାସ୍ତା ଉପରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ସହରର ଭୂତଳ ପୋଲ ଅବସ୍ଥା ମଧ୍ୟ ସାଙ୍ଘାତିକ ହୋଇ କୃତ୍ରିମ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଦ୍ୟୁତ୍‌ ଖୁଣ୍ଟଟି ବଙ୍କେଇ ଯାଇ ଗଛଗୁଡ଼ିକ ଉପରେ ପଡିବା ଯୋଗୁଁ ସହରର ଗୋଟିଏ ଅଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି। ବିଦ୍ୟୁତ ବିଭାଗ କର୍ମଚାରୀମାନେ ଦିନ ତମାମ ମରାମତି କରୁଥିବା ଦେଖିବାକୁ ମିଳିଛି। ଏମିତିକି ଭୀଷଣ ବର୍ଷା ସାଙ୍ଗକୁ ତୀବ୍ର ଗତିରେ ପବନ ବୋହିବା ଯୋଗୁଁ ଅନେକ ସ୍ଥାନରେ ଗଛ ଉପୁଡ଼ିଥିବା ଦେଖିବାକୁ ମିଳିଛି। ସରକାରୀ ଭାବେ ଆଜି ଟିଟିଲାଗଡ଼ ଅଞ୍ଚଳରେ ୫୫ ମିମି ବର୍ଷା ରେକର୍ଡ କରାଯାଇଛି।

ବର୍ଷାରେ ଉବୁଟୁବୁ ବଲାଙ୍ଗୀର, ସହର ସାରା ଅସମ୍ଭାଳ ପାଣି
ବଲାଙ୍ଗୀର: ପ୍ରବଳ ବର୍ଷା ଯୋଗୁଁ ସାରା ବଲାଙ୍ଗୀର ସହର ଜଳମଗ୍ନ ହୋଇ ପଡ଼ିବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ରେଡ୍‌ୱାର୍ଣ୍ଣିଂ ଜାରି କରାଯାଇଥିଲା। ବୁଧବାର ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଏହା ଗୁରୁବାର ଦିନ ତମାମ ଲାଗି ରହିବାରୁ ସାରା ସହରରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି। ଜରୁରୀ ଶାଖା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯ‌ାୟୀ ଜିଲ୍ଲାର ୧୪ଟି ବୃଷ୍ଟିପାତ ମାପକେନ୍ଦ୍ର ମଧ୍ୟରୁ ବଲାଙ୍ଗୀରରେ ସର୍ବାଧିକ ୨୧୫ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ତଳକୁ ପୁଇନ୍ତଲା ବ୍ଲକ୍‌ରେ ୧୩୦ ମିମି ବର୍ଷା ରେକର୍ଡ଼ କରାଯାଇଛି। ଦୁଇ ଦିନ ଧରି ଜିଲ୍ଲାରେ ବର୍ଷା ଲାଗି ରହିବା ଫଳରେ ନାହିଁନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ଗୁଡ଼ଭେଲା ବ୍ଲକରେ ୯୨.୩ ମିମି ବର୍ଷା ହୋଇଥିବା ବେଳେ ଜିଲ୍ଲାର ସବୁ ବ୍ଲକ୍‌ରେ ପ୍ରବଳ ବର୍ଷା ହୋଇଥିବା ଜଣାଯାଇଛି। ବର୍ଷା ଯୋଗୁଁ ସହରରେ ଥିବା ମାଲପଡ଼ା, ପ୍ୟାଲେସଲାଇନ, ଜୋରପଡ଼ା, ଡ୍ୟାମପଡ଼ା, ବରପାଲିପଡ଼ା, ଚିମିନିଭାଟି, ହାତୀଶାଲପଡ଼ା, ମ୍ୟୁନିସିପାଲିଟି, ଜିଲ୍ଲାପାଳ କାର୍ଯ୍ୟାଳୟ, ଲର୍କିପାଲି, ଲାଲଟିକ୍ରା, ବଡ଼ଦେଓନଗର, ରାଜୀବନଗର, ଶାସ୍ତ୍ରୀନଗର, ସାଲେପାଲି, ସମଲେଶ୍ବରୀ ମନ୍ଦିର, ପାଟଣେଶ୍ବରୀ ମନ୍ଦିର, ଗୋପାଳଜୀ ମନ୍ଦିର, ‌ଠିକାଦାରପଡ଼ା, ତାଲପାଲିପଡ଼ା, ତୁଲସୀନଗର, ତେଲିଗୋଠପଡ଼ା, କଂସାରିପଡ଼ା, ରେଲଷ୍ଟେସନ ଆଦି ବହୁ ଅଞ୍ଚଳର ଶତାଧିକ ଘରକୁ ପାଣି ପଶିଥିବା ଦେଖାଯାଇଛି। ଜିଲ୍ଲାପାଳ ଚଞ୍ଚଳ ରାଣା, ପୌରାଧ୍ୟକ୍ଷା ଲିକା ସାହୁ, ତହସିଲଦାର, ବିଡିଓ ତଥା ଅନ୍ୟ ଅଧିକାରୀ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହିତ କ୍ଷତିଗ୍ରସ୍ତମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନର ବ୍ୟବସ୍ଥା କରିଥିଲେ। ମ୍ୟୁନିସିପାଲିଟି ପକ୍ଷରୁ ପାଣି ଜମା ଥିବା ସ୍ଥାନଗୁଡ଼ିକରୁ ୩ ପାଣିପମ୍ପ ଓ ୮ଟି ଜେସିବି ସାହାଯ୍ୟରେ ପାଣି ନିଷ୍କାସନର ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ କଲ୍ୟାଣମଣ୍ଡପକୁ ରିଲିଫ କ୍ୟାମ୍ପ ପାଇଁ ପ୍ରସ୍ତୁତ ରଖାଯିବା ସହିତ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଥିବା ନେଇ ନିର୍ବାହୀ ଅଧିକାରୀ ବିଶ୍ବମ୍ଭର ମିଶ୍ର କହିଛନ୍ତି।

ଦାନଗଦୀ-ଡୁବୁରି ରାସ୍ତାରେ ପାଣି ସୁଅ
ଦାନଗଦୀ: ପ୍ରବଳ ବର୍ଷା ଫଳରେ ଦାନଗଦୀ ବଜାର ନିକଟ ତ୍ରିଜଙ୍ଗା ବସ୍ତି ଅବସ୍ଥା ଆଜି ବେହାଲ ହୋଇଯାଇଛି। ବିଭିନ୍ନ ୱାର୍ଡରେ ଲୋକମାନେ ପାଣି ଘେରରେ ଅଛନ୍ତି। ସାହି ରାସ୍ତା ମରଣଯନ୍ତା ପାଲଟିଛି। ସେହିପରି କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖ୍ୟ ରାସ୍ତା (ଦାନଗଦୀ-ଡୁବୁରି) ରେ ପାଣି ସୁଅ ଚାଲିଥିଲା। ମହାରଣା ସିମେଣ୍ଟ ଗୋଦାମ ସାମ୍‌ନା ରାସ୍ତାରେ ଆଣ୍ଠୁଏ ପାଣି ଚାଲିଥିଲା। ପ୍ରବଳ ପାଣି ସୁଅ ଛୁଟିଥିବାରୁ ଗାଡ଼ିମୋଟର ଚଳାଚଳରେ ଅସୁବିଧା ହୋଇଥିଲା। ଡାକ୍ତରଖାନା, ସ୍କୁଲ, କଲେଜ ଯିବାରେ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଭିନ୍ନ କଳକାରଖାନାକୁ ଯାଉଥିବା ଶ୍ରମିକ/ କର୍ମଚାରୀମାନେ ମଧ୍ୟ ହଇରାଣ ହୋଇଥିଲେ। ଗାଡ଼ିରେ ପାଣି ପଶି ଷ୍ଟାର୍ଟ ବନ୍ଦ ହୋଇଯାଉଥିବାରୁ ଅନେକ ଚାଳକ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଥିଲା।
ପୂର୍ତ୍ତ ବିଭଗ ଅଧୀନରେ ଥିବା ଏହି ରାସ୍ତାରେ ଜଳ ନିଷ୍କାସନ ବ୍ୟବସ୍ଥା ଠିକ୍‌ ଭାବେ କରାଯାଇନଥିବାରୁ ଏଭଳି ସମସ୍ୟା ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅଧିକାଂଶ ସ୍ଥାନରେ ଡ୍ରେନ୍‌ ପୋତି ହୋଇଯାଇଛି। ଅନ୍ୟପଟେ ତ୍ରିଜଙ୍ଗାରେ ଅଧିକାଂଶ ଲୋକ ଭୂମିହୀନ ହୋଇଥିବାରୁ ଭଙ୍ଗା ଘରେ ଜରି ପାଲ ଟାଣି ରହୁଛନ୍ତି। ତ୍ରିଜଙ୍ଗାର କ୍ଷୀରୋଦ ଚନ୍ଦ୍ର ଦାସ, ଅଶୋକ ପାତ୍ର, କାଳନ୍ଦୀ ପାତ୍ର, ରବିନାରାୟଣ ଦାସ, ବାବୁଲି ପାତ୍ର, ତପନ ପାତ୍ର, ରବି ସାମଲ, ମଙ୍ଗୁଳୁ ସାମଲଙ୍କ ଘର ପାଣି ଘେରରେ ରହିଛି।

ନୂଆପଡ଼ାରେ ବର୍ଷା ବିତ୍ପାତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବହୁ କ୍ଷୟକ୍ଷତି ହୋଇଥିବା ଦେଖାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଲଖନା ରାସ୍ତା ଭାଙ୍ଗି ଯାଇଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ନୂଆପଡ଼ା ସହରର ବୁଲୁ ରଣାଙ୍କ ମାଟି ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ସେହିପରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କୋମନା ବ୍ଲକ ଲଖନା ପଞ୍ଚାୟତର ୬ନଂ ୱାର୍ଡ ସିଙ୍ଗଲପଡ଼ାରୁ ଲଖନା ପଞ୍ଚାୟତକୁ ସଂଯୋଗ ହୋଇଥିବା ମୁଖ୍ୟ ମୋରମ ରାସ୍ତା ଭାଙ୍ଗି ଯାଇଥିବାରୁ ଅଞ୍ଚଳବାସୀଙ୍କ ଗମନାଗମନ ଠପ୍ ହୋଇପଡ଼ିଛି। ଏ ସମ୍ପର୍କରେ ପିଇଓ ବରୁଣ ଦାସଙ୍କୁ ପଚାରିବାରୁ ପଡ଼ାବାସୀଙ୍କ ଯିବାଆସିବା ପାଇଁ ଶୀଘ୍ର ରାସ୍ତା ମରାମତି କରାଯିବ ବୋଲି ପ୍ରକାଶ କରିଛନ୍ତି। ତେବେ ନୂଆପଡ଼ା ଜିଲ୍ଲାରେ ମୋଟ ୩୫.୮ ମିମି ବର୍ଷା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ନୂଆପଡ଼ା ବ୍ଲକରେ ସର୍ବାଧିକ  ୬୪.୪ ମିମି, କୋମନା ବ୍ଲକରେ ୨୦ ମିମି, ବୋଡ଼େନରେ ୩୨ ମିମି, ଖଡ଼ିଆଳ ବ୍ଲକରେ ୨୮.୬ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ପାଣିପାଗ ବିଭାଗ ପକ୍ଷରୁ ୧୫ ତାରିଖ ନୂଆପଡ଼ା ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଦିଆଯିବା ସହ ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର