ସମବାୟ ବ୍ୟାଙ୍କରେ କୋର୍‌ ବ୍ୟାଙ୍କିଙ୍ଗ ବ୍ୟବସ୍ଥା

ଭୁବନେଶ୍ୱର : ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ସମବାୟ ବ୍ୟାଙ୍କଗୁଡ଼ିକରେ କୋର୍‌ ବ୍ୟାଙ୍କିଙ୍ଗ ସଲ୍ୟୁସନ୍‌ (ସିବିଏସ୍‌) ବ୍ୟବସ୍ଥା ଆରମ୍ଭ ହୋଇଛି। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ (ଓଏସ୍‌ସିବି), ୧୭ଟି ଜିଲ୍ଲା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ (ଡିସିସିବି) ଓ ୨୬୦୦ ପ୍ରାଥମିକ କୃଷି ଋଣ ସୋସାଇଟି (ପାକ୍‌ସ)ରେ ସିବିଏସ୍‌ ବ୍ୟବସ୍ଥା ଲାଗୁ କରାଯାଇଛି। ଡିସିସିବି ଓ ପ୍ୟାକ୍ସଗୁଡ଼ିକ ମଧ୍ୟରେ ଡିଜିଟାଲ୍‌ ସଂଯୋଗ ସ୍ଥାପନ ହୋଇଛି।

ରାଜ୍ୟରେ ତ୍ରିସ୍ତରୀୟ ସମବାୟ ବ୍ୟାଙ୍କ ରହିଛି। ସବୁ  ସ୍ତରରେ ସିବିଏସ୍‌ ବ୍ୟବସ୍ଥା ଲାଗୁ କରାଯାଇଥିବାରୁ କୃଷି ଋଣର ଶୀଘ୍ର ପ୍ରକ୍ରିୟାକରଣ ହୋଇପାରିବ ବୋଲି ଅଶା କରାଯାଉଛି। ଏହା ବ୍ୟତୀତ ଚାଷୀମାନେ ରୁପେ କିଷାନ୍‌ କ୍ରେଡିଟ୍‌ କାର୍ଡ ଜରିଆରେ ଯେକୌଣସି ବ୍ୟାଙ୍କର ଏଟିଏମ୍‌ରୁ ସୁବିଧାରେ ଟଙ୍କା ଉଠାଇପାରିବେ।

ପାକ୍‌ସଗୁଡ଼ିକର କମ୍ପ୍ୟୁଟରୀକରଣ କରାଯାଇଥିବାରୁ ଚାଷୀମାନେ ଯେତେବେଳେ ଚାହିଁବେ ମଞ୍ଜୁର ହୋଇଥିବା ଋଣ ରାଶି ଉଠାଇପାରିବେ। ପାକ୍‌ସଗୁଡ଼ିକରେ ରିଅଲ ଟାଇମ୍‌ ଭିତ୍ତିରେ କୃଷି ଋଣ ଯୋଗ୍ୟତା ଯାଞ୍ଚ ହୋଇପାରିବ।

ସିବିଏସ୍‌ ବ୍ୟବସ୍ଥା କିଭଳି କାର୍ଯ୍ୟ କରୁଛି ତାହା ଜାଣିବା ପାଇଁ ବାଙ୍କୀ ଡିସିସିବି ଅଧୀନରେ ଥିବା ସିମିଲପୁର ପାକ୍‌ସରେ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଚାଷୀମାନେ ଡିସିସିବି ବ୍ୟାଙ୍କ ଓ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଏଟିଏମ୍‌ରୁ ଅତି ସହଜରେ ଟଙ୍କା ଉଠାଇ ପାରିଥିଲେ। ନାବାର୍ଡ ସହଯୋଗରେ ଏହି ପରୀକ୍ଷଣ କରାଯାଇଥିଲା।

ଭି-ସଫ୍ଟ ଟେକ୍‌ନୋଲୋଜିସ୍‌ ପକ୍ଷରୁ ସମବାୟ ବ୍ୟାଙ୍କଗୁଡ଼ିକରେ ସିବିଏସ୍‌ ବ୍ୟବସ୍ଥା ‘ଓ୍ଵିଙ୍ଗସ୍‌’ ଓ ‘ରୁଟସ୍‌’ ନାମକ ସମନ୍ଵିତ େଓ୍ଵବ ଭିତ୍ତିକ ଓପନ୍‌ ସୋର୍ସ ସଫ୍‌ଟଓୟାର ସମାଧାନ ପ୍ରଦାନ କରାଯାଇଛି।

ରବି ଓ ଖରିଫ ଋତୁରେ ଚାଷୀମାନଙ୍କଠାରୁ ପାକ୍‌ସଗୁଡ଼ିକ ଜରିଆରେ ଅମଳ ହୋଇଥିବା ଖାଦ୍ୟଶସ୍ୟ କିଣାକିଣି ହୋଇଥାଏ ଓ ସେମାନଙ୍କୁ ବ୍ୟାଙ୍କ ଖାତାରେ ପେମେଣ୍ଟ୍‌ କରାଯାଏ। ଓଏସ୍‌ସିବି ଓ ଡିସିସିବିଗୁଡ଼ିକ ଜରିଆରେ ପାଖାପାଖି ୮୦୦୦ କୋଟି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଉଛି। ଚଳିତ ଖରିଫ ଋତୁରେ ଚାଷୀମାନଙ୍କ ଖାତାରେ ୫୨୨୪ କୋଟି ଟଙ୍କା ସିଧାସଳଖ ଜମା କରାଯାଇଛି।

ଉଲ୍ଲେଖଯୋଗ୍ୟ, ସମବାୟ ବ୍ୟାଙ୍କଗୁଡ଼ିକରେ ସିବିଏସ୍‌ ବ୍ୟବସ୍ଥା ଲାଗୁ କରିବା ପାଇଁ କେନ୍ଦ୍ର ସରକାର ବଜେଟ୍‌ରେ ବ୍ୟବସ୍ଥା କରିଛନ୍ତି। ଓଡ଼ିଶା ଏକମାତ୍ର ରାଜ୍ୟ ଯାହା ଏଭଳି ଘୋଷଣା ହେବାର ବହୁ ପୂର୍ବରୁ ନିଜ ସମବାୟ ବ୍ୟାଙ୍କଗୁଡ଼ିକରେ ସିବିଏସ୍‌ ବ୍ୟବସ୍ଥା କରିପାରିଛି। ଆଗାମୀ ଦିନରେ ଓଡ଼ିଶାର ସଫଳ ମଡେଲ୍‌କୁ ଅନ୍ୟ ରାଜ୍ୟଗୁଡ଼ିକର ସମବାୟ ବ୍ୟାଙ୍କ ପାଇଁ ଲାଗୁ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର