ଦଶପଲ୍ଲା : ଅବଧି ଶେଷ ହେବାର ୪ ବର୍ଷ ପରେ ବି ଶେଷ ହେଉନି ବୃତ୍ତଙ୍ଗ ନଦୀର ନେଫାରି ଘାଟ ସେତୁ ନିର୍ମାଣ, ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ୩ ପଞ୍ଚାୟତବାସୀ
ଦଶପଲ୍ଲା : ଅବଧି ଶେଷ ହେବାକୁ ୪ ବର୍ଷ ବିତିଗଲା। କିନ୍ତୁ ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ବାଣିଗୋଚ୍ଛାରୁ ଶିରିଶିରା ରାସ୍ତା ଓ ବୃତ୍ତଙ୍ଗ ନଦୀର ନେଫାରି ଘାଟ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେଉ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆସିଛି। ଏପରିକି ବାଣିଗୋଚ୍ଛା, କୁଜାମେଣ୍ଢି ଓ ଦୁଡ଼ା ଆଦି ୩ ପଞ୍ଚାୟତର ଲୋକେ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶ ଥାଉକି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବାଣିଗୋଚ୍ଛାରୁ ଶିରିଶିରା ୮.୭୫୦ କିମି ରାସ୍ତା ନିର୍ମାଣ ସହ ବୃତ୍ତଙ୍ଗ ନଦୀର ନେଫାରି ଘାଟ ସେତୁ ନିର୍ମାଣ ପାଇଁ ୪ କୋଟି ୫୫ ଲକ୍ଷ ୪୦ ହଜାର ୭ ଶହ ୭୭ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା ଏବଂ ଟେଣ୍ଡର୍ ପରେ ଠିକାଦାର ମଧ୍ୟ ୨୦୧୫ ଜାନୁଆରି ୧୩ ତାରିଖରୁ କାର୍ଯ୍ୟ ଆରମ୍ଭ କରିଥିଲା। ଏହାର ନିର୍ମାଣ କାର୍ଯ୍ୟ ୨୦୧୫ ଡିସେମ୍ବର ୧୨ ତାରିଖରେ ସରିବା କଥା। କିନ୍ତୁ ଅବଧି ସରିବାକୁ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେଉନାହିଁ। ନେପାରି ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ତତ୍ସଂଲଗ୍ନ ଆପ୍ରୋଚ୍ ରାସ୍ତା ନିର୍ମାଣ ହୋଇ ନ ଥିବାରୁ ୩ ପଞ୍ଚାୟତ ଅନ୍ତର୍ଗତ ନେଫାରୀ, ଦଶନିପଡ଼ା, କୁରାଢ଼ି ନିଶା, ବିଜା ତଇଳା, କୁମ୍ଭିକିଳା, ବତାଙ୍ଗା, ଗାଡ଼ିଆପଡ଼ା, ତୁମୁଡ଼ିବିଡ଼ା, ବେହେରା ସାହି, ପ୍ରଧାନ ଗାଁ, ଗୋଛାବାରୀ, ଦୁଡ଼ୁକିପାଜୁ, ନାୟକ ଗାଁ, ଝରଣା ଖୋଲ ଓ ଶିରିଶିରା ଆଦି ୨୦ରୁ ଊର୍ଦ୍ଧ୍ବ ଗ୍ରାମର ଶହ ଶହ ଲୋକ ଯିବାଆସିବା କରିବା ନିମନ୍ତେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି।
ବର୍ଷବର୍ଷ ଧରି ଛାତ୍ରଛାତ୍ରୀମାନେ ପାଠପଢ଼ା ହେଉ କି ରୋଗୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ଆଣିବା ହେଉ କିମ୍ବା ଦୈନନ୍ଦିନ ଜୀବନରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ଅଞ୍ଚଳବାସୀ ବର୍ଷା ଦିନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ଷା ହେଲେ ବୃତ୍ତଙ୍ଗ ନଦୀରେ ପ୍ରବଳ ବନ୍ୟା ପାଣି ଆସିଲେ ଲୋକେ ଟିଣ ପକାଇ ବିପଦସଙ୍କୁଳ ଭାବେ ଯାତାୟାତ କରୁଛନ୍ତି। ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବାଣିଗୋଛା ସରପଞ୍ଚ ଭୁବନୀ କରଣଙ୍କ ସମେତ ଅଞ୍ଚଳବାସୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଠିକାଦାର କି ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉ ନଥିବା କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ସୁବୁଦ୍ଧିଙ୍କୁ ପଚାରିବାରୁ, ବର୍ଷା ହେତୁ କାମ ବନ୍ଦ ରହିଥିବା କହିବା ସହ ଲୋକଙ୍କୁ ଯାତାୟାତ ପାଇଁ ବାରଣ କରାଯାଇଥିବା କହିଛନ୍ତି।