ଭଲ ଖବର : କରୋନା ମୁକାବିଲା ଚିନ୍ତା, ୬ ହଜାର ମାସ୍କ ତିଆରି କରିସାରିଲେଣି ଏସଏସଜି

ଜୟପୁର (ଶ୍ରୀକାନ୍ତ ସାହୁ): ସାରା ବିଶ୍ବକୁ ଘାରିଛି କରୋନା ମୁକାବିଲା ଚିନ୍ତା। ସଚେତନତା ହିଁ ଏହି ରୋଗକୁ ହରେଇବାର କ୍ଷମତା ରଖୁଥିବାବେଳେ ନିଜକୁ ସୁରକ୍ଷିତ ରହିବା ପାଇଁ ମାସ୍କର ଆବଶ୍ୟକତା ରହିଛି। କୋରାପୁଟ ଜିଲ୍ଲା ଜୟପୁର ସହର ଚନ୍ଦନବାଡ ସାହିର ଲକ୍ଷ୍ମୀ ଗଣମପତି ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ଅଣ୍ଟା ଭିଡିଛନ୍ତି। ଗତ ତିନିଦିନ ମଧ୍ୟରେ ସହରକୁ ୬୦୦୦ରୁ ଅଧିକ ମାସ୍କ ତିଆରି କରି ବିକ୍ରି କରୁଥିବା ଜଣାପଡିଛି। ତାହା ପୁଣି ଶହେକି ଦୁଇଶହ ନେହେଁ ମାତ୍ର ୨୦ଟଙ୍କାରେ ବିକ୍ରି କରୁଛନ୍ତି ଏହି ମହିଳା। ନିଜେ ସଶକ୍ତ ହେବା ସହ କରୋନା ପରି ରୋଗକୁ ହରାଇବାକୁ ପ୍ରୟାସ ଜାରି ରଖିଛନ୍ତି।

କରୋନା ରୋଗ କାୟା ମେଲାଇବା ପରେ ମାସ୍କର ଆବଶ୍ୟକତା ପଡିଥିଲା। ତେବେ ବଜାରରେ ଅଭାବୀ ବିକ୍ରି ପରିଲକ୍ଷିତ ହେବାରୁ ଏହି ଏସଏସଜି ଗ୍ରୁପ ଆଗକୁ ଅଣ୍ଟା ଭିଡିଥିଲା। ମଙ୍ଗଳବାରଦିନ ୨୦୦୦ ଖଣ୍ଡ ଓ ବୁଧବାର ଦିନ ୪୦୦୦ ଖଣ୍ଡ ମାସ୍କ ତିଆରି କରି ବଜାରକୁ ଛାଡିଥିବା ବେଳେ ଏହା ଧୋଇ କରି ପୁଣିଥରେ ବ୍ୟବହାର କରିହେବ ବୋଲି ଏସଏସଜି ଗ୍ରୁପର ସଭାପତି ଜି.ଭାରତୀ କହିଛନ୍ତି। ଏବେ ଏହି ଗ୍ରୁପରେ ସଭାପତିଙ୍କ ସହ ସମ୍ପାଦକ ୱାଇ.କାନ୍ତାମ୍ମା, ଜି.ନେହା, ଜି.ଜ୍ୟୋତିରମୟୀ, କେ.ପାର୍ବତୀ, ଏଚ.ଚିନ୍ନାମ୍ମା, ପ୍ରତିମା ଲେଙ୍କା, ରଶ୍ମୀ ପଣ୍ଡା, ଏ.ଦକ୍ଷୀନ୍ନା, ଗୀତାଞ୍ଜଳୀ ମହାପାତ୍ର ପ୍ରମୁଖ ସଦସ୍ୟ ରହିଥିବାବେଳେ ୬୦ରୁ ଅଧିକ ମହିଳା ପ୍ରତିଦିନ କାର୍ଯ୍ୟକରୁଛନ୍ତି। ତେବେ ପୂର୍ବରୁ ଏହି ଏସଏସଜି ସ୍କୁଲ ପିଲାଙ୍କ ପାଇଁ ୟୁନିଫର୍ମ ତିଆରି କରୁଥିବାବେଳେ ଏପରି ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ପାଇଁ ମାସ୍କ ତିଆରି ଲୋକଲୋଚନକୁ ଆସିଛନ୍ତି। ଏବେ ଏହି ଗ୍ରୁପ ମେଡିକାଲ ଷ୍ଟୋର, ବିଭିନ୍ନ ଦୋକାନରେ ଦେଉଥିବାବେଳେ ଲୋକେ ନିଜେ ଆସି ନେଉଥିବା ଜଣାପଡିଛି। ଗତ ଦୁଇଦିନରେ ୬୦୦୦ହଜାର ମାସ୍କ ତିଆରିକରିଥିବାବେଳେ ଆସନ୍ତାଦିନରେ ଅଧିକ ଉତ୍ପାଦନ କରିବାକୁ ମନସ୍ଥ କରିଛନ୍ତି।

ସମ୍ବନ୍ଧିତ ଖବର