ବାରଙ୍ଗ : ଚାରି ଦିନ ହେଲା ରାଜଧାନୀ ଓ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ରାଜଧାନୀର ତାପମାତ୍ରା ପାଖାପାଖି ୪୦ ଡିଗ୍ରି ଟପିଥିବାବେଳେ ଏହାର ପ୍ରଭାବ ପଡ଼ିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ। ବନ୍ୟପ୍ରାଣୀମାନେ ପ୍ରବଳ ଗରମ ସହି ନ ପାରି ଖୋଜିଖୋଜି ଛାଇରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି। ସେହିଭଳି କିଛି ପ୍ରାଣୀ ସେମାନଙ୍କ ଖୁଆଡ଼ରେ ଥିବା ପାଣିରୁ ବାହାରୁ ନଥିବା ଦେଖିବାକୁ ମିଳିଛି। ତେଣୁ ପ୍ରଚଣ୍ଡ ତାତିରୁ ପ୍ରାଣୀମାନଙ୍କ ସୁରକ୍ଷା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ନନ୍ଦନକାନ ପ୍ରାଣୀ ଉଦ୍ୟାନ ପରିସରରେ ବନ୍ୟଜନ୍ତୁମାନେ ଛଟପଟ ହେବା ପରିସ୍ଥିତିକୁ ଆସି ଯାଇଥିଲେ। ଦିନ ୧୧ଟା ବେଳକୁ ଜୀବଜନ୍ତୁମାନେ ହାଲିଆ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ବହୁ ପ୍ରାଣୀ ଗଛ ଛାଇରେ ଶୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ବାଘ, ସିଂହ, ଭାଲୁ, ଗଧିଆ, ସିମ୍ପାଞ୍ଜିଙ୍କ ଭଳି ଜୀବମାନେ ଗରମ ସହି ନ ପାରି ଗଛ ଛାଇ ଦେଖି ଆଶ୍ରୟ ନେଇଥିଲେ। ମୟୂର, ଫିଜାଣ୍ଟ, ଲରିକିଟ, ଜାଭା ଚଟିଆ, ଅଷ୍ଟ୍ରିଚ୍,ଏମୁ, ବର୍ଜରି, ମେୟର୍ସ ପ୍ୟାରୋଟ ପ୍ରଭୃତି ଶୁକ ଜାତୀୟ ପକ୍ଷୀମାନେ ହାଲିଆ ହୋଇ ବାରମ୍ବାର ପାଣି ପିଉଥିବାର ଦେଖିବାକୁ ମିଳିଥିଲା। ସେହିଭଳି ହରିଣ, ମିରିଗ, ସମ୍ବର, ବାରାଶିଙ୍ଗା ହରିଣ, ମଣିପୁରି ହରିଣ ପ୍ରଭୃତି ଖରା ଭୟରେ ଗଛ ତଳେ ଓ ବାଉଁଶ ତାଟି ଛାଇ ତଳେ ବିଶ୍ରାମ ନେଉଥିଲେ।
ଚଳିତ ବର୍ଷ ଆଗୁଆ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ମଧ୍ୟ ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ସୂଚନାନୁସାରେ ଏବେ ତୃଣଭୋଜି ଜୀବ ଓ ପକ୍ଷୀମାନଙ୍କ ଘରେ ନଡ଼ା ଓ ଝାଟିତାଟି ପକାଇ ଛପର କାର୍ଯ୍ୟ ଆରମ୍ଭ କରାଯାଇଛି। ହରିଣ, ସମ୍ବର, ବାରାଶିଙ୍ଗା ହରିଣ, କୁଟୁରା, ମଣିପୁରି ହରିଣ ଓ ଜିରାଫଙ୍କ ଖୁଆଡ଼ରେ ଲାଗିଥିବା ଜଳ ସିଞ୍ଚନ ଯନ୍ତ୍ରକୁ ମରାମତି କରିବା କାର୍ଯ୍ୟ ଆରମ୍ଭ ହୋଇଛି। ଆଗକୁ ସିମ୍ପାଞ୍ଜିଙ୍କ ଲାଗି ପଇଡ଼ ପାଣି, ତରଭୁଜ ଆଜି ଯୋଗାଇ ଦିଆଯିବ। ଏମିତିକି ସେମାନଙ୍କ ଖୁଆଡ଼କୁ ଥଣ୍ଡା ରଖିବା ଲାଗି ଏସି ଲଗାଇବା ପାଇଁ ବ୍ୟବସ୍ଥା କରାଯାଉଛି। ବାଘ ଓ ସିଂହଙ୍କ ଖୁଆଡ଼ ପରିସରରେ ପ୍ରଚୁର ଜଳ ରହିବ। ବିଭିନ୍ନ ପକ୍ଷୀ ଓ ମାଙ୍କଡ଼ ଜାତୀୟ ଜୀବଙ୍କ ଲାଗି ପ୍ରତିବର୍ଷ ଭଳି କାକୁଡ଼ି, ତରଭୁଜ, ସେଓ, ଅଙ୍ଗୁର, ଅମୃତଭଣ୍ଡା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ। ବିଶେଷକରି ହାତୀମାନଙ୍କୁ ଦିନରେ ଦୁଇ ଥର ଗାଧୋଇ ଦେବା ସହିତ ସେମାନଙ୍କୁ ପ୍ରଚୁର ଆଖୁ ଖାଇବାକୁ ଦିଆଯିବ ବୋଲି ଉପନିର୍ଦ୍ଦେଶକ ଶ୍ରୀ ଆଚାର୍ଯ୍ୟ କହିଛନ୍ତି।