ବିଛାଖଣ୍ତିରେ ଶତାଧିକ ବେଆଇନ ଖାଦାନ : ମାସକୁ ୧୦କୋଟିର କଳାପଥର ଲୁଟ୍

ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଗାଡ଼ି ଚଢ଼ଉରେ ସୀମିତ

ଯାଜପୁର/କବାଟବନ୍ଧ : ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବେଧଡ଼କ ଭାବେ ଲୁଟ୍ ହେଉଛି ଖଣିଜ ସଂପଦ। ରାତିଦିନ ଶହ ଶହ କୋଟି ଟଙ୍କାର କଳାପଥର, ବାଲି, ମୋରମ ଚାଲାଣ ହେଉଛି। ରାଜ୍ୟର ସର୍ବାଧିକ ରାଜସ୍ବ ଦେଉଥିବା ଧର୍ମଶାଳା ତହସିଲ ଅଞ୍ଚଳରେ କଳାପଥର ଚୋରା ଚାଲାଣ ଚରମ ସୀମାରେ ପହଞ୍ଚିଛି। ଡଙ୍କାରୀ, ରାହାଡ଼ପୁର, ଆରୁଆ ଏବଂ ବିଛାଖଣ୍ଡି ପାହାଡ଼କୁ ବିସ୍ଫୋରଣ କରି ଖିନ୍‌ଭିନ୍‌ କରିବାରେ ଲାଗିଛନ୍ତି ମାଫିଆ। କେବଳ ବିଛାଖଣ୍ଡି ପାହାଡ଼ ଅଞ୍ଚଳରେ ଶତାଧିକ ବେଆଇନ୍‌ ଖାଦାନ ରଖିଛି। ଏଠାରୁ ମାସିକ ୧୦କୋଟି ଟଙ୍କାର କଳାପଥର ଲୁଟ୍‌ ହେଉଛି। ହେଲେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗାଡ଼ି ଚଢ଼ଉରେ ସୀମିତ ରହିଛି।

ଚୋରା ଲଘୁ ଖଣିଜ କାରବାରକୁ ନିୟନ୍ତ୍ରଣ ପାଇଁ ନିକଟରେ ଜିଲ୍ଲାପାଳ ସବୁ ତହସିଲ ସ୍ତରରେ ୫ଟି ବିଭାଗର ଅଧିକାରୀଙ୍କୁ ନେଇ ସ୍କ୍ବାଡ୍‌ ଗଠନ କରିଥିଲେ। ଧର୍ମଶାଳା ତହସିଲ ଅଞ୍ଚଳରେ ଚାଲିଥିବା ବେଆଇନ୍‌ କାରବାରକୁ ଦେଖିଲେ ଏହି ସ୍କ୍ବାଡ୍‌ କାମ କରୁନଥିବା ଜଣାପଡୁଛି। ଲଘୁ ଖଣିଜ ସମ୍ପଦ ଖନନ ଓ ପରିବହନ ପାଇଁ ରାଜ୍ୟ ସରକାର ବିଭିନ୍ନ ଆଇନ କରିଥିଲେ ବି ତାହା ଧର୍ମଶାଳା ତହସିଲ ଅଞ୍ଚଳରେ କାମରେ ଆସୁନି। କେତେକ ପ୍ରଶାସକ ମାଫିଆଙ୍କ ସହିତ ସାମିଲ ହୋଇ କୋଟିକୋଟି ଟଙ୍କାର କଳାପଥର ଲୁଟ କରୁଛନ୍ତି। ବାଡ ଫସଲ ଖାଇବା ନ୍ୟାୟରେ ଅଧିକାରୀମାନେ ମାଫିଆଙ୍କୁ ସୁରକ୍ଷା ଦେଉଛନ୍ତି। କେତେବେଳେ କେମିତି ଚୋରା ଚାଲାଣକାରୀଙ୍କୁ ପୂର୍ବ ସୂଚନା ଦେଇ ଗୋଟିଏ ଦୁଇଟି ଟ୍ରାକ୍ଟର ଜବତ କରି କିଛି ଜରିମାନା ଆଦାୟ କରି ନିଜର କାମ ସାରିଦେଉଛନ୍ତି। ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ତି ଅଞ୍ଚଳରେ ଥିବା ଏକାଧିକ ପାହାଡ଼ରେ ଦୀର୍ଘ ଦିନ ହେଲା ଶତାଧିକ ବେଆଇନ କଳାପଥର ଖାଦାନ କରି ମାଫିଆମାନେ କୋଟିକୋଟି ଟଙ୍କାର ମୁନାଫା କରୁଛନ୍ତି। ପୁଲିସ ପ୍ରଶାସନ ତଥା ବନ ବିଭାଗ ଚୁପ ହୋଇ ବସିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏହି ପାହାଡ଼ରେ ରାଜସ୍ବ ବିଭାଗ ଓ ଜଙ୍ଗଲ ବିଭାଗ ମଧ୍ୟରେ ସୀମା ବିବାଦ ରହିଛି। ଜଙ୍ଗଲ ଜମିରୁ କଳାପଥର ଲୁଟ ହେଉଛି କହି ରାଜସ୍ବ ବିଭାଗ ଯାଉନାହିଁ ଏବଂ ରାଜସ୍ବ ଜମିରୁ ଲୁଟ ହେଉଛି କହି ବନ ବିଭାଗ ମୁଣ୍ତ ଖେଳାଉନି। ଏହି ଗୋଳିଆ ପାଣିରୁ ମାଫିଆମାନେ ମାଛ ଧରିବାରେ ଲାଗିଛନ୍ତି। ଜଣେ ଜଣେ ୨ରୁ ୩ଏକର ପାହାଡ଼ ନିଜ କବଜାକୁ ନେଇ ବେଆଇନ ବ୍ଲାଷ୍ଟିଂ କରି ବୋଲଡର ଓ ସ୍ପର ଚାଲାଣ କରୁଛନ୍ତି। କେତେକ ନେତା ଓ ଅଧିକାରୀଙ୍କ ପୃଷ୍ଟପୋଷକତାରେ ଏସବୁ ଚାଲିଛି। ମାଫିଆଙ୍କୁ ଅଘୋଷିତ ଲିଜ୍‌ ଦେଇ ଅଧିକାରୀମାନେ ସୁରକ୍ଷା କବଚ ପାଲଟୁଥିବା ଗୁରୁତର ଅଭିଯୋଗ ହୋଇଛି। ସେହିପରି ଧର୍ମଶାଳା ତହସିଲ କାର୍ଯ୍ୟାଳୟକୁ ମାଫିଆମାନେ କବଜା କରିନେଇଛନ୍ତି। ସାଧାରଣ ଗରିବ ଲୋକ କୌଣସି ଅତ୍ୟାବଶ୍ୟକ କାର୍ଯ୍ୟରେ ତହସିଲ ଅଫିସକୁ ଗଲେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ଅପରପକ୍ଷରେ ସଂପୃକ୍ତ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ ମାଫିଆଙ୍କ ସହ ଦୀର୍ଘଘଣ୍ଟା ଧରି କବାଟକିଳା ଆଲୋଚନାରେ ବ୍ୟସ୍ତ ରହୁଛନ୍ତି। ସେହିପରି ଲିଜଧାରୀ ମଧ୍ୟ ଆବଶ୍ୟକ ଠାରୁ ଢେର ଗୁଣରେ ଅଧିକ ପଥର ଉତ୍ତୋଳନ କରି ରାଜସ୍ବ ଲୁଟ କରୁଛନ୍ତି। ବିଛାଖଣ୍ତି ପାହାଡ଼ର ୧୬ଟି ପଥର ଖାଦାନ ପାଇଁ ୩୬.୫ ହେକ୍ଟର ଅଞ୍ଚଳକୁ ଲିଜ ଦିଆଯାଇଥିବା ବେଳେ ଲିଜଧାରୀମାନେ ଏହାର ୧୦ ଗୁଣା ଅଧିକ ପଥର ଖୋଳୁଛନ୍ତି। ପରିସ୍ଥିତି ଏଭଳି ହେଲାଣି ଯେ ଆଉ ବର୍ଷ କେଇଟା ଭିତରେ ବିଛାଖଣ୍ଡି ପାହାଡ଼ ମାନଚିତ୍ରରୁ ଲିଭିଯିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର